ସମୃଦ୍ଧ ହେଉଛି ଦାସିଆ ଅଜାଙ୍କ ସଂଗ୍ରହାଳୟ, ବିରଳ ସାମଗ୍ରୀ ସବୁକୁ ଦେଖିବା ପାଇଁ ବଢ଼ୁଛି ଆଗ୍ରହ

Advertisment
ସମୃଦ୍ଧ ହେଉଛି ଦାସିଆ ଅଜାଙ୍କ ସଂଗ୍ରହାଳୟ, ବିରଳ ସାମଗ୍ରୀ ସବୁକୁ ଦେଖିବା ପାଇଁ ବଢ଼ୁଛି ଆଗ୍ରହ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଉଦୟପୁରଠାରେ ଓଡ଼ିଶାର ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ଦ୍ବାରା ପ୍ରତିଷ୍ଠିତ ପାଠାଗାର ଓ ସଂଗ୍ରହାଳୟକୁ ଭୁବନେଶ୍ବରରେ ରହୁଥିବା ଓଡ଼ିଶାର ବିଶିଷ୍ଟ ବୌଦ୍ଧ ଗବେଷକ ପ୍ରଫେସର ଅଖିଳ କୁମାର ସାହୁଙ୍କ ପାଠାଗାରର ଶତାଧିକ ପୁସ୍ତକ, ଗବେଷଣା ନିବନ୍ଧ ଏବଂ ଥାଇଲାଣ୍ତର ବିଭିନ୍ନ ଆକୃତିର ବୌଦ୍ଧ ମୂର୍ତ୍ତି, ୧ ହଜାରରୁ ଊର୍ଦ୍ଧ୍ବ ପୁରାତନ ସମ୍ବାଦପତ୍ର କଟିଂ ପ୍ରଦାନ କରାଯାଇଛି। ସେହିଭଳି ପରଲୋକଗତ ସାହିତ୍ୟିକ କୁଳମଣି ନାଥଶର୍ମାଙ୍କ ନିଜସ୍ବ ପାଠାଗାରର ୧ ହଜାରରୁ ଊର୍ଦ୍ଧ୍ବ ପୁସ୍ତକ ଓ ପତ୍ରପତ୍ରିକା; ପ୍ରଫେସର ଗଣେଶ ପ୍ରସାଦ ଦାସ, ଡ. ରାଧାବିନୋଦ ନାୟକ, ବିଶିଷ୍ଟ ବିଜ୍ଞାନ ଲେଖକ ଡ. ଚିତ୍ତରଞ୍ଜନ ମିଶ୍ର, ଅବସରପ୍ରାପ୍ତ ପ୍ରଶାସକ ପ୍ରାଣକୃଷ୍ଣ ରଥ, ପଣ୍ତିତ ରଞ୍ଜନ ଦାସ, ଓଡ଼ିଶା ପରିବେଶ ସମିତି ସଭାପତି ପ୍ରଫେସର ସୁନ୍ଦର ନାରାୟଣ ପାତ୍ର, କବି ପ୍ରସନ୍ନ କୁମାର ପାଟ୍ଟଶାଣୀ, ସାହିତ୍ୟିକ ସାରଦା ପ୍ରସନ୍ନ ନାୟକ ଆଦିଙ୍କ ପରିବାର ପକ୍ଷରୁ ୨ ହଜାରରୁ ଊର୍ଦ୍ଧ୍ବ ଉପାଦେୟ ପୁସ୍ତକ ଓ ପତ୍ରପତ୍ରିକା ପାଠାଗାରରେ ପହଞ୍ଚିଛି।

publive-image

ସେହିଭଳି ଭବାନୀ ଚରଣ ରାୟ ୧୯୫୫ ମସିହାରେ ପୋଲାଣ୍ତରୁ ଆଣିଥିବା ବିରଳ ଟୋପି, ପଣ୍ତିତ ଦାମୋଦର ହୋତାଙ୍କ ବ୍ୟବହୃତ ହାରମୋନିୟମ୍, ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କର ବ୍ୟବହୃତ ପୁରୁଣା ହାରମୋନିୟମ୍, ପୋଷାକ ପତ୍ର ଏବଂ ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କର ୧୯୫୦ ମସିହାର ବ୍ୟବହୃତ ମାଟି ଡୁବିତାବଲା, ପ୍ରସିଦ୍ଧ ସୀତାର ବାଦକ ବୀଣାପାଣୀ ମହାନ୍ତିଙ୍କ ବ୍ୟବହୃତ ହାରମୋନିୟମ୍, ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ବ୍ୟବହୃତ ରେକର୍ଡ ପ୍ଲେୟାର ମେସିନ୍, ସୁସାହିତ୍ୟିକ ଜାପାନୀ ବାବୁଙ୍କ ଘରୁ ପୁରାତନ ବୀଣା ବାଦ୍ୟଯନ୍ତ୍ର ଏବଂ ବିଶିଷ୍ଟ ଜଳଚର ପ୍ରାଣୀ ଗବେଷକ ଲାଲା ଅଶ୍ବିନୀ କୁମାର ସିଂହଙ୍କ ଦ୍ବାରା ଭାରତବର୍ଷରେ କୁମ୍ଭୀରମାନଙ୍କର ଗତିବିଧି ଓ ଗବେଷଣା ନିମନ୍ତେ ଆମେରିକାରୁ ପ୍ରଥମେ ଭାରତକୁ ଅଣାଯାଇଥିବା ରେଡିଓ ଟ୍ରାନ୍ସମିଟର ଯନ୍ତ୍ର, ନାଟ୍ୟକାର ଚିନ୍ତାମଣି ଜେନାଙ୍କ ବ୍ୟବହୃତ ପୁରୁଣା ଟେଲିଫୋନ୍ ଟାଇପ୍ ମେସିନ୍ ଏବଂ ବାଘମାରୀ କଳାପଥର ନିକଟସ୍ଥ ଗୌଡ଼ ନୂଆଗାଁର ପଣ୍ତିତ ଗଗନ ବିହାରୀ ପଣ୍ତାଙ୍କ ଘରୁ ୨ ଶହ ୫୦ ବର୍ଷର ୨୭ଟି ବିରଳ ତାଳପତ୍ର ପୋଥି ଏବଂ ୧ ଶହ ୫୦ ବର୍ଷ ତଳର କାରୁକାର୍ଯ୍ୟପୂର୍ଣ୍ଣ ଚନ୍ଦନପେଡ଼ା ଏବଂ କଟକ କାଜି ବଜାରର ଓଡ଼ିଶା ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ମିର୍ଜା ଆସଲମ୍ ବେଗଙ୍କ ଘରୁ ବ୍ରିଟିଶମାନଙ୍କ ଦ୍ବାରା ବ୍ୟବହୃତ ଚକୋଲେଟ୍ ବକ୍ସ ଓ ସାଉଦି ଆରବର ବିରଳ ସ୍ବର୍ଣ୍ଣପଥର ଦାସିଆ ଅଜାଙ୍କ ପାଠାଗାର ସଂଗ୍ରହାଳୟ ପାଇଁ ଦାସିଆ ଅଜାଙ୍କ ନାତି ତଥା ପାଠାଗାର ଓ ସଂଗ୍ରହାଳୟର ସଂପାଦକ ଦୀପକ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।

publive-image

ଦାସିଆ ଅଜାଙ୍କ ସଂଗ୍ରହର ସ୍ବପ୍ନକୁ ସାକାର କରିବା ପାଇଁ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ବର୍ତ୍ତମାନ ନୂଆ ନୂଆ ସଂଗ୍ରହ ଦ୍ବାରା ଦାସିଆ ଅଜାଙ୍କ ପାଠାଗାର ଓ ସଂଗ୍ରହାଳୟ ଦିନକୁ ଦିନ ସମୃଦ୍ଧ ହେବାରେ ଲାଗିଛି। ଗୋଟିଏ ନିପଟ ମଫସଲ ଗ୍ରାମରେ ଥିବା ସଂଗ୍ରହାଳୟକୁ ରାଜ୍ୟ, ଦେଶ ତଥା ବିଶ୍ବର କୋଣ ଅନୁକୋଣରୁ ସଂଗୃହୀତ ହୋଇ ଆସୁଥିବା ବିରଳ ସାମଗ୍ରୀ ସବୁକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କର ଆଗ୍ରହ ବଢ଼ୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe