ଜଳୁଛି ସଂରକ୍ଷିତ ଜଙ୍ଗଲ; ମହୁଲ ସଂଗ୍ରହ ପାଇଁ ଲାଗୁଛି ନିଆଁ

ଜଙ୍ଗଲ ନିଆଁରୁ ଜଳିଗଲା ଘର

ଜଳୁଛି ସଂରକ୍ଷିତ ଜଙ୍ଗଲ; ମହୁଲ ସଂଗ୍ରହ ପାଇଁ ଲାଗୁଛି  ନିଆଁ

ନୂଆଗାଁ: ଖରାଦିନ ଆସିଲେ ନୂଆଗାଁ ବ୍ଲକ୍‌ର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ନିତିଦିନିଆ କଥା। ହେଲେ ନିଆଁକୁ ବନ ବିଭାଗ କର୍ମଚାରୀମାନେ ରାତିଦିନ ଏକ କରି ଲିଭାଇବା ପାଇଁ ପ୍ରୟାସ ଜାରି ରଖୁଥିଲେ ସୁଦ୍ଧା ସ୍ଥିତି ଅଣାୟତ୍ତ ହେଉଛି। କିଛି ବ୍ୟକ୍ତି ମହୁଲ ଓ ଅଙ୍ଗାର ସଂଗ୍ରହ ପାଇଁ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ଏବେ ନୂଆଗାଁ ବ୍ଲକ୍‌ ଅଞ୍ଚଳରେ ତାତି ବଢୁଥିବା ବେଳେ ଜଙ୍ଗଲରେ ଲାଗିଥିବା ନିଆଁ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ମହିପୁର ରେଞ୍ଜ ମହିତମା ସେକ୍ସନ ଅନ୍ତର୍ଗତ ହାତୀମୁଣ୍ତା ଓ ରଗଡିମଡା ସଂରକ୍ଷିତ ଜଙ୍ଗଲରେ ଶହ ଶହ ଏକର ଜଙ୍ଗଲ ଓ ଜମି ପ୍ରଭାବିତ ହେବା ସହ ଜଙ୍ଗଲଗୁଡ଼ିକରେ ବ୍ୟାପକ କ୍ଷତି କରୁଛି। ଚଳିତ ଗ୍ରୀଷ୍ମ ଋତୁ ଆରମ୍ଭରୁ ମାସାଧିକ କାଳ ବର୍ଷା ଉଭାନ ହୋଇଯାଇଥିବାରୁ ଶୁଖିଲା ପତ୍ର ଓ ଡାଳରେ ଲାଗୁଥିବା ନିଆଁ ଭୟଙ୍କର ରୂପ ଧରି ଜଙ୍ଗଲ ମଧ୍ୟକୁ ମାଡ଼ିଯାଉଛି। ନିଆଁରେ ବହୁ ମୂଲ୍ୟବାନ ଗଛଲତା ଓ ଗୁଳ୍ମ ପୋଡ଼ିଯିବା ସହ ବହୁ ବନ୍ୟଜନ୍ତୁ ପୋଡ଼ି ପ୍ରାଣ ହରାଉଛନ୍ତି।

ଜଙ୍ଗଲ ନିଆଁ ପାଇଁ ଆଞ୍ଚଳିକ ତାପମାତ୍ରା ୨ ଡିଗ୍ରି ସେଲସିଅସ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଉଥିବା ବିଶେଷ ସୂତ୍ରରୁ ପ୍ରକାଶ। ସେହିପରି କୁହୁଳୁଥିବା ନିଆଁରେ ଆଖପାଖ ଅଂଚଳ ଧୂଆଁମୟ ହୋଇରହିବା ସହ ପାଉଁଶ ଉଡି ସ୍ଥାନୀୟ ପରିବେଶ ପ୍ରଦୂଷିତ ହେଉଛି। ଗତକାଲି ହାତୀମୁଣ୍ତା ଓ ରଗଡିମଡା ସଂରକ୍ଷିତ ଜଙ୍ଗଲ ଜଳୁଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଦିନ ଦ୍ବିପ୍ରହରରେ ଏକର ଏକର ଜଙ୍ଗଲ ଜଳି ଯାଉଥିବା ବେଳେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଝାଞ୍ଜିପବନ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିଲା। ତେବେ ଜଙ୍ଗଲ ପାର୍ଶ୍ବ ଗଛରୁ ମହୁଲ ଫୁଲ ସଂଗ୍ରହ ଓ ଅଙ୍ଗାର ସଂଗ୍ରହ ପାଇଁ ଜଙ୍ଗଲରେ ନିଆଁ ଲଗାଯାଉଛି। ଏଥିସହିତ ଜଙ୍ଗଲ ପାଖ ଜମିଗୁଡ଼ିକ ସଫା କରିବା ପାଇଁ ମଧ୍ୟ କିଛି ଚାଷୀ ସେଠାରେ ନିଆଁ ଲଗାଉଛନ୍ତି। ଏ ସଂପର୍କରେ ମହିପୁର ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁଙ୍କୁ ଯୋଗାଯୋଗ କରିବାରେ ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ବିଭିନ୍ନ ସିପ୍ଟରେ ୮୦ ଜଣ ବନ କର୍ମଚାରୀଙ୍କ ସମେତ ଆବଶ୍ୟକ ସ୍ଥଳେ କିଛି ଶ୍ରମିକମାନଙ୍କୁ ମଧ୍ୟ ନିୟୋଜିତ କରାଯାଉଥିବା କହିଛନ୍ତି। ଯଦି କୌଣସି ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଉଥିବାର ସୂଚନା ମିଳେ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି। ତେବେ ଜଙ୍ଗଲ ସୁରକ୍ଷା ଦିଗରେ ବ୍ୟାପକ ସଚେତନତା ଓ ଆନ୍ତରିକତା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

publive-image

ଜଙ୍ଗଲ ନିଆଁରୁ ଜଳିଗଲା ଘର

ଦଶପଲ୍ଲା: ଜଙ୍ଗଲରୁ ନିଆଁ ଲାଗି ଜଳି ଯାଇଛି ଘର। ବେସାହାରା ହୋଇଯାଇଛି ଏକ ପରିବାର। ବନ କର୍ମଚାରୀଙ୍କ ଅବହେଳାକୁ ସ୍ଥାନୀୟ ଲୋlକେ ଦାୟୀ କରିଥିବା ବେଳେ ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଘୁଗୁଡିପଡ଼ା ପଞ୍ଚାୟତ ବସନ୍ତପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗ୍ରାମର ବସନ୍ତ ନାୟକ ଝିଟିକା ପାହାଡ଼ ନିକଟରେ ଏକ ଘରକରି ରହି ଆସୁଛନ୍ତି। ପରିବାର ଲୋକ କେହି ରହୁନଥିବା ହେତୁ ବସନ୍ତ ଏକାକି ରହନ୍ତି। ସେ ଗତକାଲି ଦଶପଲ୍ଲା ହାଟକୁ ଆସିଥିଲେ। ଅପରାହ୍ଣରେ ଝିଟିକା ଜଙ୍ଗଲରେ ନିଆଁ ଲାଗିଥିଲା। ବନ କର୍ମଚାରୀଙ୍କ ଅନୁପସ୍ଥିତି ପାଇଁ ନିଆଁ ଧିରେଧିରେ ବସନ୍ତଙ୍କ ଘରେ ଲାଗିଥିଲା। ସେ ଘରକୁ ଫେରିବା ବେଳକୁ ସବୁକିଛି ଜଳିପୋଡି ଛାର୍‌ଖାର୍ ହୋଇଯାଇଛି। ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ ଦୈନିକ ଜଙ୍ଗଲରେ ନିଆଁ ଲାଗୁଥିବାରୁ ବନ କର୍ମଚାରୀମାନେ ଏହାକୁ ଲିଭାଇବା ପାଇଁ ଗୁରୁତ୍ବ ଦେଉ ନାହାନ୍ତି। ଏହା ନିକଟବର୍ତ୍ତୀ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe