ଖଣି ପାଇଁ ବଳି ପଡ଼ିବ ସଂରକ୍ଷିତ ଜଙ୍ଗଲ

Advertisment
ଖଣି ପାଇଁ ବଳି ପଡ଼ିବ ସଂରକ୍ଷିତ ଜଙ୍ଗଲ

ଛେଣ୍ଡିପଦା: ୪୦ ବର୍ଷ ଧରି ଜଗାରଖାକରି ଆସିଥିବା ଜଙ୍ଗଲ କୋଇଲାଖଣିରେ ଯାଉଛି। ଏ ବାବଦରେ ଉପଯୁକ୍ତ କ୍ଷତିପୂରଣ ପାଇବା ନେଇ ସଂପୃକ୍ତ ଗ୍ରାମବାସୀମାନଙ୍କ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଛେଣ୍ଡିପଦା ଅଞ୍ଚଳରେ ନୟନୀ କୋଲ ବ୍ଲକ୍‌କୁ ତେଲେଙ୍ଗାନା ରାଜ୍ୟର ସିଙ୍ଗରେନି କମ୍ପାନିକୁ ନିଲାମ ଦିଆଯାଇଛି। ଏହି କୋଲ ବ୍ଲକ ଅଧୀନରେ ସମୁଦାୟ ୯୧୨.୭୯୯ ହେକ୍ଟର ଜମି ରହିଛି। ସେଥି ମଧ୍ୟରୁ ୬୪୩.୦୯୫ ହେକ୍ଟର ସଂରକ୍ଷିତ ଜଙ୍ଗଲ ଜମି ଅଛି। ଏହି ସଂରକ୍ଷିତ ଜଙ୍ଗଲରେ ଛେଣ୍ଡିପଦା ଗ୍ରାମର ମା’ ହିଙ୍ଗୁଳା ଓ ରାମଚଣ୍ଡୀ ଏବଂ ସନ୍ତରାବନ୍ଧ ଗ୍ରାମର ମହିଷାମର୍ଦ୍ଦିନୀ ବନ ସୁରକ୍ଷା ସମିତି ଜଗାରଖା କରିଥିବା ସଂରକ୍ଷିତ ଜଙ୍ଗଲ ରହିଛି। ଏବେ ସିଙ୍ଗରେନି କମ୍ପାନି ପକ୍ଷରୁ କୋଇଲା ଖଣି ପାଇଁ ଜଙ୍ଗଲ କଟା ହେବା ଯୋଜନା ଆରମ୍ଭ ହୋଇଛି। ବନ ବିଭାଗ ଦାୟିତ୍ୱରେ ଜଙ୍ଗଲ ଥିଲେ ସୁଦ୍ଧା ଏହା ଦିନକୁ ଦିନ ପଦା ହେଉଥିଲା। ତେଣୁ ସରକାରଙ୍କ ଯୌଥ ପରିଚାଳନା ଆଇନ ଅନୁଯାୟୀ ସ୍ଥାନୀୟ ଗ୍ରାମବାସୀ ଓ ବନ ବିଭାଗର ମିଳିତ ସହଯୋଗରେ ଜଙ୍ଗଲର ରକ୍ଷଣା ବେକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହି ଯୋଜନାରେ ବିଭିନ୍ନ ଗ୍ରାମରେ ବନସୁରକ୍ଷା ସମିତି ଗଠନ କରି ଜଙ୍ଗଲ ଗାଁକୁ ହସ୍ତାନ୍ତର କରାଯାଇଥିଲା। ଗ୍ରାମବାସୀଙ୍କ ସହଯୋଗରେ ଜଙ୍ଗଲକୁ ନିଆଁଠୁ ସୁରକ୍ଷା ଦେବା, କାଠ ଚୋରି ରୋକିବା, ଜଙ୍ଗଲରେ ଥିବା ଫାଙ୍କା ଜମିରେ ବୃକ୍ଷରୋପଣ କରିବା, ଜଙ୍ଗଲ ସୁରକ୍ଷିତ ରଖିବା ପ୍ରଭୃତି କାର୍ଯ୍ୟ ହେଉଥିଲା। ଫଳରେ ଏହି ଅଞ୍ଚଳରେ ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇଥିଲା।

ଜଙ୍ଗଲର ସୁରକ୍ଷା ପାଇଁ ଗ୍ରାମବାସୀ ବର୍ଷ ବର୍ଷ ଧରି ପାଳି କରି ତାହାକୁ ଜଗିବା ସହ ଜଗୁଆଳି ନିୟୋଜିତ କରୁଥିଲେ। ଜଙ୍ଗଲରୁ ସେମାନେ ଜାଳେଣି କାଠ ସଂଗ୍ରହ କରୁଥିଲେ। ଏବେ ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କୋଇଲା ଖଣି ଖନନ ପାଇଁ ଜଙ୍ଗଲ କଟା ହେବାକୁ ଯାଉଛି। ମାତ୍ର ଗ୍ରାମବାସୀ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଜଙ୍ଗଲରୁ ଗଛ କଟା ହେବା ପରେ ଗ୍ରାମବାସୀଙ୍କର ଜାଳେଣି କାଠ ଅଭାବ ହେବ। ଜଙ୍ଗଲ କାଟିବା ପରେ ପରିବେଶର ସନ୍ତୁଳନ ବିଗିଡ଼ିଯିବ। ବନ୍ୟପ୍ରାଣୀ ତାଙ୍କର ବାସ ହରାଇବେ। ସେମାନଙ୍କ ଚଲାପଥ ବଦଳିଯିବ। ଏହାଦ୍ବାରା ଗ୍ରାମବାସୀଙ୍କ ଧନଜୀବନ ଓ ଫସଲ ଅସୁରକ୍ଷିତ ହୋଇପଡ଼ିବାର ଆଶଙ୍କା ରହିଛି। ଏହାବ୍ୟତୀତ ୪୦ ବର୍ଷ ଧରି ଯେହେତୁ ଗ୍ରାମବାସୀ ଜଙ୍ଗଲ ଜଗାରଖା କରିଥିଲେ, ସେମାନଙ୍କୁ କ୍ଷତିପୂରଣ ନଦେଇ କମ୍ପାନି ପକ୍ଷରୁ ଗଛ କଟା ହେବାକୁ ଯାଉଥିବାରୁ ଅସନ୍ତୋଷ ଦେଖାଦେଇଛି। ସେହିପରି ଥଳିପଶି ଗ୍ରାମବାସୀ ୪୦ ବର୍ଷ ପୂର୍ବରୁ ଜଙ୍ଗଲ ଜଗାରଖା କରିଆସୁଥିଲେ ମଧ୍ୟ ବିଭାଗ ପକ୍ଷରୁ ବନ ସୁରକ୍ଷା ସମିତି ଗଠନ ହୋଇନଥିବାରୁ ଜଙ୍ଗଲର ଗଛକଟା ବାବଦ କ୍ଷତିପୂରଣ ସେମାନଙ୍କୁ ନମିଳିବାର ସମ୍ଭାବନା ରହିଛି। କ୍ଷତିପୂରଣ ନମିଳିଲେ ଗ୍ରାମବାସୀ ଜଙ୍ଗଲ କଟାକୁ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଗଛ କଟାକୁ ନେଇ ଶୀର୍ଷ ସ୍ତରରେ ଆଲୋଚନା ହେଉଥିଲେ ମଧ୍ୟ ଗ୍ରାମବାସୀଙ୍କ ଦାବିକୁ ଗୁରୁତ୍ୱ ଦିଆଯାଉ ନଥିବାରୁ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe