ଅଧ୍ୟାପକଙ୍କ ୭ ଘଣ୍ଟା ଡ୍ୟୁଟି ନିଷ୍ପତ୍ତିକୁ ବିରୋଧ

Advertisment
ଅଧ୍ୟାପକଙ୍କ ୭ ଘଣ୍ଟା ଡ୍ୟୁଟି ନିଷ୍ପତ୍ତିକୁ ବିରୋଧ

jagranjosh.com

ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ

ଭୁବନେଶ୍ବର : ଅଧ୍ୟାପକଙ୍କ ୭ ଘଣ୍ଟିଆ ଡ୍ୟୁଟିକୁ ନେଇ ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ କାର୍ଯ୍ୟକାରିଣୀରେ ଗଭୀର ଉଦ୍‌ବେଗ ପ୍ରକାଶ କରାଯାଇଛି। ଦୁଇ ଦିନ ତଳେ ବସିଥିବା କାର୍ଯ୍ୟକାରିଣୀ ବୈଠକରେ ସଭାପତି ଅକ୍ଷୟ କୁମାର ମହାପାତ୍ର କହିଛନ୍ତି ଯେ ଏହା ଏକ ଅପ୍ରାସଙ୍ଗିକ ପ୍ରସଙ୍ଗ। ଅସଜଡ଼ା ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ବଦଳରେ ୭ ଘଣ୍ଟିଆ ସମୟ ନିର୍ଘଣ୍ଟ କରାଯିବା ଶିକ୍ଷାନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ଗଭୀର ମର୍ମାହତ କରିଛି।

ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ନିୟମ ଆଧାରରେ ଅଧ୍ୟାପକ ଓ ଅଧ୍ୟାପିକାମାନେ ୫ଘଣ୍ଟା ଡ୍ୟୁଟି କରିବା ଆବଶ୍ୟକ। ତେବେ ଅଧ୍ୟାପକମାନେ ଅଧିକ ସମୟ କ୍ୟାମ୍ପସରେ ରହୁଛନ୍ତି। ତଥାପି ସରକାର ୭ଘଣ୍ଟିଆ ନୂଆ ନିର୍ଦେଶନାମା ଜାରି କରିଛନ୍ତି। ଏହା ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାରେ ବାଧା ସୃଷ୍ଟି କରିବ, ଏଥିରେ ସନ୍ଦେହ ନାହିଁ। କାରଣ ଜଣେ ଶିକ୍ଷକ ସର୍ବନିମ୍ନ ୩ ଘଣ୍ଟାର ପ୍ରସ୍ତୁତି କଲା ପରେ ହିଁ ମହାବିଦ୍ୟାଳୟରେ ଶିକ୍ଷାଦାନ କରିବାକୁ ସକ୍ଷମ ହୁଏ। ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥିତ କରିବା ପାଇଁ ସରକାର ଶିକ୍ଷକ ସମାଜକୁ ଦୋଷାରୋପ ନ କରି ସରକାରୀ ଉତ୍ତରଦାୟିତ୍ବ ନେବାକୁ ଯତ୍ନଶୀଳ ହେବା ଉଚିତ୍‌ ବୋଲି ସଂଘର ଯୁଗ୍ମ ସାଧାରଣ ସମ୍ପାଦକ ଉମାକାନ୍ତ ପାତ୍ର ଆଶାପୋଷଣ କରିଛନ୍ତି।

ଅଲ୍‌ ଓଡ଼ିଶା ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ

ଭୁବନେଶ୍ବର : ଅଧ୍ୟାପକମାନେ ପ୍ରତିଦିନ ୭ ଘଣ୍ଟା ଡ୍ୟୁଟି କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଜାରି କରିଥିବା ନିର୍ଦେଶନାମାକୁ ବିରୋଧ ଜାରି ରହିଛି। ନିଷ୍ପତ୍ତିର ପୁନର୍ବିଚାର କରିବା ସହ ପ୍ରତ୍ୟାହାର କରିବା ଲାଗି ଅଲ୍‌ ଓଡ଼ିଶା ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ(ଆଙ୍ଗୋଟିଆ) ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ା ଯାଇଛି। ସଂଘର ସାଧାରଣ ସମ୍ପାଦକ ଚିତ୍ତ ମହାପାତ୍ର ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ‌ଯେ ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକଙ୍କ କାର୍ଯ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି। ଆବଶ୍ୟକସ୍ଥଳେ ବିଭିନ୍ନ ଦାୟିତ୍ବପ୍ରାପ୍ତ ଅଧିକାରୀମାନେ ରାତି ପର୍ଯ୍ୟନ୍ତ କଲେଜରେ ରହୁଛନ୍ତି। ଚଏସ୍‌ ବେସ୍‌ଡ କ୍ରେଡିଟ୍‌ ସିଷ୍ଟମ(ସିବିସିଏସ୍‌) ଲାଗୁ ହୋଇଥିବାରୁ ଜଣେ ଅଧ୍ୟାପକ ୨ରୁ ୩ ଘଣ୍ଟା ପଢ଼ିବା ପରେ କ୍ଲାସରେ ପିଲାଙ୍କୁ ପଢ଼ାଇଥାନ୍ତି। ତାହାକୁ ବିଚା‌ରକୁ ନେଇ ଆବଶ୍ୟକ। ସରକାରୀ ଓ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ କାର୍ଯ୍ୟଶୈଳୀ ଏକା ନୁହେଁ। କ‌ଲେଜଗୁଡ଼ିକର ଭିତ୍ତିଭୂମି ବିକାଶ, ଅଧ୍ୟାପକ ପଦ ପୂରଣ, ସମାନ କାମକୁ ସମାନ ଦରମା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ସୁସ୍ଥ ବାତାବରଣ ସୃଷ୍ଟି କରିବାକୁ ସଂଘର ସଭାପତି ଶରତ ପାଣିଗ୍ରାହୀ, ଅଜୟ ମିଶ୍ର, ସାଙ୍ଗଠନିକ ସମ୍ପାଦକ ମଦନ ମହଲ୍ଲା, ଉପସଭାପତି ପ୍ରଦ୍ୟୁମ୍ନ ସ୍ବାଇଁ ପ୍ରମୁଖ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe