ଟ୍ରେନରେ ମାଲ୍‌ ପରିବହନକୁ ବିରୋଧ, ଟ୍ରକ ମାଲିକଙ୍କ ଆନ୍ଦୋଳନ 

Advertisment
ଟ୍ରେନରେ ମାଲ୍‌ ପରିବହନକୁ ବିରୋଧ, ଟ୍ରକ ମାଲିକଙ୍କ ଆନ୍ଦୋଳନ 

ଯୋଡ଼ା: ଟ୍ରକ ଯୋଗେ ପରିବହନ ଦାବିନେଇ ଯୋଡ଼ା ଖଣିମଣ୍ଡଳ ଅଧୀନ ଦେଓଝର ଠାରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ କମ୍ପାନି  କାରଖାନା ସମ୍ମୁଖରେ ଆଜି ପୂର୍ବାହ୍ନରେ ଟ୍ରକ ମାଲିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସେମାନେ କାରଖାନାରୁ ରେଳ ଯୋଗେ ମାଲ୍ ପରିବହନକୁ ବିରୋଧ କରିଛନ୍ତି। କମ୍ପାନି ଦୈନିକ ରେଳ ମାଧ୍ୟମରେ ମାଲ  ପରିବହନ କରୁଥିବାରୁ ଟ୍ରକ ମାଲିକ ହାତବାନ୍ଧି ବସୁଛନ୍ତି। ଦୈନିକ ୭ ରୁ ୮ ରେକ୍ ପ୍ରାୟ ୩୦ ହଜାର ଟନ୍ ପିଲେଟ ରେଳ ମାଧ୍ୟମରେ ପରିବହନ କରାଯାଉଛି ହେଲେ ଟ୍ରକ ଯୋଗେ ପରିବହନ ନିମନ୍ତେ କମ୍ପାନିର କୌଣସି ଆନ୍ତରିକତା ପ୍ରକାଶ ପାଉ ନଥିବାରୁ ଆଜି ଏକତ୍ରିତ ହୋଇ ଶହଶହ ଟ୍ରକ ମାଲିକ ଏହାର ପ୍ରତିବାଦ କରିଛନ୍ତି। କମ୍ପାନି ଫାଟକ ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଯୋଡ଼ା ଟ୍ରକ୍ ମାଲିକ ସଂଘ ଓ ଆଞ୍ଚଳିକ ଟ୍ରକ୍ ମାଲିକ ସଂଘ ଆଜି ମିଳିତ ଭାବରେ  ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ।  ଶତାଧିକ ଟ୍ରକ୍ ମାଲିକ ଏଥିରେ ସାମିଲ୍ ହୋଇ ଟ୍ରକ୍ ଯୋଗେ ପରିବହନ ପାଇଁ ଦାବି ଜଣାଇଥିଲେ। ଏନେଇ କମ୍ପାନିର ମାନବ ସମ୍ବଳ ଅଧିକାରୀ ଶଶାଙ୍କ ଶେଖର ପଟ୍ଟନାୟକ ଟ୍ରକ୍ ମାଲିକଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ଏନେଇ କମ୍ପାନି ନିଷ୍ପତ୍ତି ନେବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

କମ୍ପାନି ସଡ଼କ ପଥରେ ପରିବହନ ନକରି ରେଳବାଇ ଯୋଗେ ପେଲେଟ୍ ପରିବହନ କରୁଛି, ଯାହାଫଳରେ ସ୍ଥାନୀୟ ଟ୍ରକ୍ ଗୁଡ଼ିକ ଆଉ କାମ ପାଇପାରୁନାହାନ୍ତି। କେନ୍ଦ୍ର ସରକାରଙ୍କର ପକ୍ଷରୁ  ପିଲେଟ ଓ ଲୁହା ପଥରରେ ରପ୍ତାନି କର ଲାଗୁ  ପରେ  ଯୋଡ଼ା ଖଣିମଣ୍ଡଳରେ ଥିବା ବହୁ ଖଣି ଓ କାରଖାନାରୁ  ପିଲେଟ ଓ ଲୁହାପଥର ପରିବହନ ବନ୍ଦ ହୋଇଯାଇଛି। ଏହାର ପ୍ରଭାବରେ ଯୋଡ଼ା ଖଣି ଅଞ୍ଚଳର ହଜାର ହଜାର ଟ୍ରକ୍ ଏବେ ଛିଡ଼ା ହୋଇଛି। ମାଲିକଙ୍କ ଦାନାପାଣି ଉଜୁଡ଼ି ଗଲାଣି।  ଋଣ କରି ଟ୍ରକ୍ କିଣିଥିବା ମାଲିକମାନେ ଏବେ କିସ୍ତି ଶୁଝି ପାରୁ ନାହାନ୍ତି। ସେମାନେ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବାବେଳେ କିଛି ଖଣି ଓ କାରଖାନା କର୍ତ୍ତୃପକ୍ଷ ଟ୍ରକ୍‌ରେ ଖଣିଜ ଓ  ପିଲେଟ୍ ପରିବହନ ନ କରି ରେଳ ଯୋଗେ ପରିବହନ କରୁଛନ୍ତି।  ଏ ଦିଗରେ ସରକାର କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ। ଆଗାମୀ ଦିନରେ ସମ୍ପୃକ୍ତ କମ୍ପାନି ଟ୍ରକ୍ ଯୋଗେ ମାଲ ପରିବହନ ଦାବି ନ ଶୁଣିଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଟ୍ରକ ମାଲିକମାନେ କଡ଼ା ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe