Against police: ଗାଁରେ ରାତିତମାମ ପୁଲିସ ଅଟକ ଗିରଫ ପ୍ରତିବାଦରେ ଥାନା ଘେରିଲେ

ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ତଳଦପା ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ଓ ଗ୍ରାମବାସୀ ମୁହାଁମୁହିଁ ହେବା ଘଟଣାରେ ଗତକାଲି ବିଳମ୍ବିତ ରାତିରେ ୨ ଜଣଙ୍କୁ ଗିରଫ କରିବାକୁ ଆସିଥିଲା....

Untitled-9

ତିହିଡ଼ି: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ତଳଦପା ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ଓ ଗ୍ରାମବାସୀ ମୁହାଁମୁହିଁ ହେବା ଘଟଣାରେ ଗତକାଲି ବିଳମ୍ବିତ ରାତିରେ ୨ ଜଣଙ୍କୁ ଗିରଫ କରିବାକୁ ଆସିଥିଲା ପୀରହାଟ ପୁଲିସ। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଗ୍ରାମବାସୀ ପୁଲିସକୁ ରାତିତମାମ ଅଟକ ରଖିଥିଲେ। ଆଜି ସକାଳୁ ଲୋକେ ଥାନା ଘେରାଉ କରିଛନ୍ତି।
 

ସୂଚନା ମୁତାବକ,  ଗତ ୧୧ ତାରିଖରେ ତଳଦପା ପ୍ରାଥମିକ ସ୍କୁଲ୍‌ର ଜଣେ ପାଚିକାଙ୍କୁ କାର୍ଯ୍ୟରୁ ଅନ୍ତର କରିବାକୁ ନେଇ କେତେକ ଗ୍ରାମବାସୀ ଓ ପ୍ରଧାନଶିକ୍ଷକ ମୁହାଁମୁହିଁ ହୋଇଥିଲେ। ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ଜେନା ଓ ଗ୍ରାମର ଗୌରୀ ମଳିକଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ କେସ୍‌ ନଂ. ୩୧୧/୨୫ ଓ ୩୧୨/୨୫ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।  ବୁଧବାର ରାତି ୧ଟାରେ ପୀରହାଟ ଥାନା ଅଧିକାରୀ ରୋଜାଲିନ ବେହେରା ୯ ଜଣ ପୁଲିସ କର୍ମଚାରୀଙ୍କୁ ନେଇ ତଳଦପା ଗ୍ରାମରେ ପହଞ୍ଚି ଅଭିମନ୍ୟୁ ମଳିକ ଓ ସୁଶୀଳ ମଳିକଙ୍କୁ ଗିରଫ କରିଥିଲେ। ଏହାକୁ ବିରୋଧ କରି ଗ୍ରାମବାସୀ ପୁଲିସକୁ ଅଟକ ରଖିଥିଲେ। ଆଜି ସକାଳ ୬ଟା ସମୟରେ ଖବର ପାଇ ବାରସର ସରପଞ୍ଚ ଚକ୍ରଧର ଦାସ ସେଠାରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ପ୍ରାୟ ୫ ଘଣ୍ଟା ଅଟକ ରହିବା ପରେ ପୁଲିସ କର୍ମଚାରୀମାନେ ଉଭୟଙ୍କୁ ଗିରଫ କରି ଥାନାକୁ ନେଇଥିଲେ। 

ଅନ୍ୟପକ୍ଷରେ,  ଗିରଫ ପ୍ରତିବାଦରେ ଗୁରୁବାର ସକାଳେ ୪୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଥାନା ସାମନାରେ ଧାରଣା ଦେଇଥିଲେ। ଗିରଫ ୨ ଜଣଙ୍କୁ ମୁକ୍ତ କରିବା ସହ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଥିଲେ। ଖବରପାଇ ତିହିଡ଼ି ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଓ ବାଂଶଡ଼ା ଥାନା ଆଇଆଇସି ଏମ୍‌ଡି ହାପିଜ ଥାନାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe