ଏସଟି କମିସନ ସଦସ୍ୟଙ୍କୁ ବିରୋଧ: ୭୨ ଘଣ୍ଟାରେ ବଦଳି ନ କଲେ ଆନ୍ଦୋଳନ

କାଞ୍ଜିପାଣି, ହରିଚନ୍ଦନପୁର ଥାନା ଅଧିକାରୀଙ୍କ ବହିଷ୍କାର ଦାବି

ଏସଟି କମିସନ ସଦସ୍ୟଙ୍କୁ ବିରୋଧ: ୭୨ ଘଣ୍ଟାରେ ବଦଳି ନ କଲେ ଆନ୍ଦୋଳନ

କେନ୍ଦୁଝର: କେନ୍ଦୁଝରରେ ଜାତୀୟ ଅନୁସୂଚିତ ଜନଜାତି କମିସନ ସଦସ୍ୟ ଅନନ୍ତ ନାୟକଙ୍କୁ ବିରୋଧ କରାଯିବା ପ୍ରତିବାଦରେ ଆଜି ଏଠାରେ ଆଦିବାସୀଙ୍କ ମେଳି ଦେଖିବାକୁ ମିଳିଛି।  ଆଜି ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ ଡାକରାରେ ଆଦିବାସୀମାନେ ଜିଲ୍ଲାପାଳଙ୍କ ବିରୋଧରେ ଗର୍ଜିଛନ୍ତି। ହଜାର ହଜାର ଆଦିବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଦିବାସୀ ବିରୋଧୀ ଜିଲ୍ଲାପାଳ ତୁରନ୍ତ ଜିଲ୍ଲା ଛାଡ଼ ବୋଲି ନାରାବାଜି କରିଛନ୍ତି। ୭୨ ଘଣ୍ଟା ମଧ୍ୟରେ ଜିଲ୍ଲାପାଳଙ୍କୁ ଅନ୍ୟତ୍ର ବଦଳି କରା ନଗଲେ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଆଦିବାସୀ କଲ୍ୟାଣ ମଞ୍ଚ ଚେତାବନୀ ଦେଇଛି। ଆଜି ପୂର୍ବାହ୍ଣ ୧୧.୩୦ରୁ ୨.୦୦ଟା ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏକପ୍ରକାର ବିକ୍ଷୋଭକାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥିଲା।

ଜାତୀୟ ଅନୁସୂଚିତ ଜନଜାତି କମିସନ ସଦସ୍ୟ ଅନନ୍ତ ନାୟକଙ୍କୁ ଜୁଲାଇ ୨୯ରେ ହରିଚନ୍ଦନପୁର ବ୍ଲକ୍‌ର ଭଗାମୁଣ୍ଡା ଏବଂ ଅଗଷ୍ଟ ୧ ତାରିଖରେ କାଞ୍ଜିପାଣିଠାରେ ବିରୋଧ କରାଯିବା ସହ ଅପଦସ୍ତ କରାଯାଇଥିଲା। ଏହି ଘଟଣାକୁ ୫ ଦିନ ବିତିଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ ନାହିଁ। ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ପ୍ରଶ୍ରୟ ଦେଉଥିବାରୁ ଆକ୍ରମଣକାରୀଙ୍କ ବିରୋଧର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଆଦିବାସୀ ନେତା କୈଳାସ ନାୟକ କହିଛନ୍ତି।

ଜିଲ୍ଲାରେ ଆଦିବାସୀମାନେ ମୌଳିକ ସୁବିଧା ପାଉନାହାନ୍ତି। ରାଜ୍ୟ ସରକାର ସେମାନଙ୍କ ବିକାଶ ପ୍ରତି ଆନ୍ତରିକତା ଦେଖାଉ ନାହାନ୍ତି। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଗ୍ରାମସଭା ଏବଂ ପଲ୍ଲୀସଭା କେବଳ କାଗଜକଲମରେ ହେଉଛି। ଆଦିବାସୀଙ୍କୁ ଅନ୍ଧାରରେ ରଖି କାମ କରାଯାଉଛି। ଖଣି ଅଞ୍ଚଳରେ ମେସିନରେ କାମ କରାଯାଉଥିବାରୁ ଆଦିବାସୀମାନେ କର୍ମସଂସ୍ଥାନ ହରାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଆଦିବାସୀଙ୍କ ଅଭିଯୋଗ ଶୁଣିବା ପାଇଁ କେନ୍ଦୁଝର ଗସ୍ତରେ ଆସୁଥିବା ଶ୍ରୀ ନାୟକଙ୍କୁ ଶାସକ ଦଳର କିଛି ନେତା ଏବଂ କର୍ମୀ ପ୍ରାୟୋଜିତ ଭାବେ ବିରୋଧ କରି ତାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଆଦିବାସୀ କଲ୍ୟାଣ ମଞ୍ଚ ଅଭିଯୋଗ କରିଛି।

ପୂର୍ବରୁ ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ ପକ୍ଷରୁ ଶ୍ରୀ ନାୟକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ପ୍ରତିବାଦ ଜଣାଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଆଜି ସ୍ଥାନୀୟ କାଳୀପଡ଼ିଆରେ ହଜାର ହଜାର ଆଦିବାସୀ ପୁରୁଷ, ମହିଳା ଏକାଠି ହୋଇଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତୁରନ୍ତ ଜିଲ୍ଲାପାଳଙ୍କୁ ବଦଳି କରିବା ସହ ହରିଚନ୍ଦନପୁର ଏବଂ କାଞ୍ଜିପାଣି ଥାନା ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିବାକୁ ଦାବି କରିଥିଲେ।

publive-image

ଏହି ବିକ୍ଷୋଭରେ କେନ୍ଦୁଝର ଜିଲ୍ଲା ଗୋଣ୍ଡ ସାଂସ୍କୃତିକ ସମାଜର ସଭାପତି ଜନାର୍ଦ୍ଦନ ନାୟକ, ପ୍ରଭାକର ସିଂ, ଗୋବିନ୍ଦ ନାୟକ, ଦୟାନିଧି ଖଣ୍ଡା, ଦିଗାମ୍ବର ଦଣ୍ଡପାଟ, ବଲ୍ଲଭ ନାୟକ, ଭୂୟାଁ ସମାଜର ଆନନ୍ଦ ଦେହୁରୀ, ତମାଳ ପ୍ରଧାନ, ଦୀନବନ୍ଧୁ ଦେହୁରୀ, ବିଶ୍ୱଭୂଷଣ ସାଆନ୍ତ, ଦ୍ରୌପଦୀ ଦେହୁରୀ, ନିତ୍ୟାନନ୍ଦ ଦେହୁରୀ, କୃଷ୍ଣ ନାଏକ, କଲୁ ନାଏକ, ସୁରେଶ ନାଏକ, ଶରତ ନାଏକ, ମନୋଜ ନାଏକ, କିରଣବାଳା ନାୟକ, ବାଥୁଡ଼ି ସମାଜର ହରିଶ ନାଏକ, ଚପଳଚାନ୍ଦ ରଣସିଂ, ମକରଧ୍ୱଜ ନାଏକ, ଗିରିଶ ଚନ୍ଦ୍ର ନାଏକ, ରଜତ କୁମାର ନାଏକ, ହୋ ସମାଜର ପ୍ରେମପ୍ରକାଶ ମୁଣ୍ଡା, ଅଶୋକ କୁମାର ପିଙ୍ଗୁଆ, କୃଷ୍ଣଚନ୍ଦ୍ର ମୁଣ୍ଡା, ବାରିସା ମାଝୀ, ମଙ୍ଗଲ ମୁଣ୍ଡା, ମୁକୁନ୍ଦ ମୁଣ୍ଡା, ମୁନା ପୂର୍ତ୍ତି, ମାଝୀ ସମାଜର ନିର୍ମଳ ମାଝୀ, ଅଜୟ ମାଝୀ, ପୀତାମ୍ବର ମାଝୀ, ବାଗୁଡ଼ି ହେମ୍ବ୍ରମ, ମୁଣ୍ଡା ସମାଜର ସୋମନାଥ ମୁଣ୍ଡା, ବୁଧୁରାମ ମୁଣ୍ଡା, ଶ୍ୟାମ ମୁଣ୍ଡା, ଜୁଆଙ୍ଗ ସମାଜ ପକ୍ଷରୁ ଅଧିକାରୀ ଜୁଆଙ୍ଗ, ଶ୍ରୀଧର ଜୁଆଙ୍ଗ ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଆଇନଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe