ବାଲେଶ୍ବର: ଫକୀରମୋହନ କଲେଜ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାରେ ଆଜି ବାଲେଶ୍ବରରେ ତୀବ୍ର ପ୍ରତିବାଦର ତାତି ଦେଖିବାକୁ ମିଳିଛି। ବିରୋଧୀ ବିଜେଡି, କଂଗ୍ରେସ ସମେତ ଏଆଇଡିଏସ୍ଓ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ତଥା ବିଭିନ୍ନ ଛାତ୍ର ସଂଗଠନ ଆନ୍ଦୋଳନକୁ ଓହ୍ଲାଇବା ସହିତ ସରକାରଙ୍କ ଉପରେ ବର୍ଷିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଏଫ୍ଏମ୍ କଲେଜ, ଏସ୍ପି, ପୂର୍ବାଞ୍ଚଳ ପୁଲିସ ଡିଆଇଜି କାର୍ଯ୍ୟାଳୟରେ ପହଞ୍ଚି ଆନ୍ଦୋଳନକାରୀମାନେ ନିଜ ନିଜର ବିରୋଧାଭାସ ପ୍ରକଟ କରିଛନ୍ତି। ଅପରପକ୍ଷେ କ୍ରାଇମବ୍ରାଞ୍ଚ ଟିମ୍ ଆଜି ମଧ୍ୟ କଲେଜରେ ତନାଘନା କରିଥିବା ବେଳେ ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ବାଲେଶ୍ବର ସହଦେବଖୁଣ୍ଟା ଥାନା ପୁଲିସ ଗିରଫ କରିଛି।
ସୋମବାର ପୂର୍ବାହ୍ନରେ ବିଜୁ ଛାତ୍ର ଓ ଯୁବ ଜନତା ଦଳର କର୍ମକର୍ତ୍ତା ଏଫ୍ଏମ୍ କଲେଜ ସମ୍ମୁଖରେ ଜୋର୍ଦାର୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଜେପି ଦଳ ଓ ରାଜ୍ୟ ସରକାର ବିରୋଧରେ ପ୍ରବଳ ନାରାବାଜି କରିଥିଲେ। ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ମାନସ କୁମାର ଦତ୍ତ, ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଜିଲ୍ଲା ଛାତ୍ର ଜନତା ସଭାପତି ସିମନ୍ ଦାସମହାପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ପ୍ରତିବାଦରେ ବିଜୁ ଛାତ୍ର ଜନତା ଦଳର ମହାସଚିବ ଈପ୍ସିତା ସାହୁ ଯୋଗ ଦେଇ ସ୍ଥାନୀୟ ସାଂସଦ, ବିଧାୟକ ଘଟଣାକୁ ଘଣ୍ଟ ଘୋଡ଼ାଇଥିବା ଅଭିଯୋଗ କରି ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ। ପରେ ଗାନ୍ଧୀ ସ୍ମୃତି ଭବନ ପରିସରରେ ଦଳ ପକ୍ଷରୁ ଏକ ବିରାଟ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା।
ବିଜେଡି, କଂଗ୍ରେସର ଜୋର୍ଦାର ବିକ୍ଷୋଭ; କୁଶପୁତ୍ତଳିକା ଦାହ
ଦ୍ବିତୀୟ ଦିନରେ କ୍ରାଇମବ୍ରାଞ୍ଚର ତନାଘନା
ବିଜେଡିର ରାଜ୍ୟ ଉପସଭାପତି ପ୍ରତାପ ଜେନା, ଜିଲ୍ଲା ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଦଳୀୟ ବିଧାୟକମାନେ ପୂର୍ବାଞ୍ଚଳ ପୁଲିସ ଡିଆଇଜି ସତ୍ୟଜିତ ନାୟକଙ୍କୁ ଭେଟି ଛାତ୍ରୀ ଆତ୍ମାହୁତି ନିର୍ଯାତନା ମାମଲା ତଦନ୍ତରେ ଅବହେଳା କରିଥିବା ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏଥିସହିତ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଘଟଣାରେ ନୀଳଗିରି ବିଧାୟକଙ୍କ ଗିରଫ ଦାବି କରିଥିଲେ। ସେହିପରି ଜିଲ୍ଲା ଛାତ୍ର କଂଗ୍ରେସ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଥିବା ବେଳେ ପ୍ରଦେଶ କଂଗ୍ରେସ ତଥ୍ୟ ଅନୁଧ୍ୟାନ କମିଟି ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃ୍ତ୍ବରେ ଏସ୍ପିଙ୍କୁ ଭେଟି ନିରପେକ୍ଷ ତଦନ୍ତ ପାଇଁ ଦାବି ଜଣାଇଥିଲେ।
ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍ପି ରାଜଲକ୍ଷ୍ମୀ ନାୟକ ଓ ଡିଏସ୍ପି ଇମନ୍ କଲ୍ୟାଣ ନାୟକ ସକାଳ ୧୦ରୁ ପ୍ରାୟ ୩ଟା ପର୍ଯ୍ୟନ୍ତ କଲେଜ ପରିସରରେ ତନାଘନା କରିଥିଲେ। କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)ର ୬ ସଦସ୍ୟଙ୍କ ମଧ୍ୟରୁ ସହକାରୀ ପ୍ରଫେସର ମୌସୁମୀ ଦାସପଟ୍ଟନାୟକ ଏବଂ କଲେଜର ୪ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ପୀଡ଼ିତାଙ୍କ ଭାଇଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଏଥିସହିତ କ୍ରାଇମବ୍ରାଞ୍ଚ ଟିମ୍ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିଥିବା ସ୍ଥାନ ପରିଦର୍ଶନ କରିଥିଲା। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଏଫ୍ଏମ୍ କଲେଜର ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ସହଦେବଖୁଣ୍ଟା ପୁଲିସ ଗିରଫ କରିଛି। ପୀଡ଼ିତା ଛାତ୍ରୀଙ୍କ ପରିବାର ପକ୍ଷରୁ ଅଧ୍ୟକ୍ଷଙ୍କ ଗିରଫ ପାଇଁ ଦାବି କରାଯାଇଥିବା ବେଳେ ଉଚ୍ଚଶିକ୍ଷା ବିଭାଗର ତିନିଜଣିଆ କମିଟିର ପ୍ରାରମ୍ଭିକ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।
Follow Us