ପିଆଜ ଦର ବୃଦ୍ଧିର ପ୍ରତିବାଦ, ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ

ପିଆଜ ଦର ବୃଦ୍ଧିର ପ୍ରତିବାଦ, ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ

ଭୁବନେଶ୍ବର: ପିଆଜର ଦରବୃଦ୍ଧି ପ୍ରତିବାଦ ଓ ଯୋଗାଣ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କର୍ମୀମାନେ ଶିଶୁ ଭବନ ଛକରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସରକାରୀ ବାସଭବନକୁ ଘେରାଉ ଉଦ୍ୟମ କରିବା ସହ ପିଆଜ ମଧ୍ୟ ପିଙ୍ଗିଥିଲେ। ପୁଲିସ ବାଧା ଦେବାରୁ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ କିଛି କର୍ମୀଙ୍କୁ ପୁଲିସ ଗିରଫ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାଜୀବ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ରାଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଶିଶୁଭବନ ଛକ ନିକଟରେ ଥିବା ମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯାଇଥିଲା। ସେଠାରେ ଏକ ପ୍ରତିବାଦ ସଭାରେ ସାଧାରଣ ସମ୍ପାଦକ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ପିଆଜ ଦର ବୃଦ୍ଧି ହୋଇଛି। ଦର କମାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବା ପରିବର୍ତେ ରାଜ୍ୟ ସରକାର ଏହାକୁ ଜାତୀୟ ବିପତ୍ତି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗତ ୨୦ ବର୍ଷରେ ପିଆଜ ଦର ବିଭିନ୍ନ ସମୟରେ ଆକାଶଛୁଆଁ ହୋଇଛି। ପିଆଜ ଚାଷୀଙ୍କୁ ଓଡ଼ିଶାରେ ପ୍ରୋତ୍ସାହନ ନାହିଁ, ଯଥେଷ୍ଟ ପରିମାଣର ଶୀତଳଭଣ୍ଡାର ମଧ୍ୟ ନାହିଁ, ପିଆଜ ପାଇଁ ଓଡ଼ିଶା ସର୍ବଦା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। କିନ୍ତୁ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଏଥିପାଇଁ ଯୋଗାଣ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ରାଲିରେ ଅନ୍ୟମାନଙ୍କ ମଧ୍ୟରେ ୟାସିର ନୱାଜ, ରଂଜିତ ପାତ୍ର, ପ୍ରକାଶ ମିଶ୍ର, ଆଲୋକ ଦାସ, ପ୍ରତୀକ୍ଷା ରଥ, ବାବୁ ଜେନା, ନିଖିଲ ପଟ୍ଟନାୟକ, ହେମନ୍ତ ମହାପାତ୍ର, ଉମେଶ ପାଢ଼ୀ, ବିରଞ୍ଚି ବାରିକ, ଅମିତ କୁମାର, ଅରବିନ୍ଦ ପାଞ୍ଜିଆ, ଆଶୁତୋଷ ସାହୁ, ନିଶି ବର୍ଷା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe