ଶିକ୍ଷକ ବଦଳିର ପ୍ରତିବାଦ: ସ୍କୁଲରେ ତାଲା ପକାଇ ଅଧିକାରୀଙ୍କୁ ଘେରାଉ

ଶିକ୍ଷକ ବଦଳିର ପ୍ରତିବାଦ: ସ୍କୁଲରେ ତାଲା ପକାଇ ଅଧିକାରୀଙ୍କୁ ଘେରାଉ

ସଇନ୍ତଳା: ସଇନ୍ତଳା ବ୍ଲକ୍‌ ବୁଢ଼ାବାହାଲ ପଞ୍ଚାୟତ ଧୁମାପାଲିସ୍ଥିତ ସରକାରୀ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ହୋଇଥିବାରୁ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଫଳରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମିଶି ଗତ ୩ଦିନ ହେଲା ସ୍କୁଲରେ ତାଲା ପକାଇ ଫାଟକ ଆଗରେ ବସିଛନ୍ତି। ଶୁକ୍ରବାର ଘଟଣାର ସମାଧାନ କରିବାକୁ ଆସିଥିବା ଦୁଇଜଣ ଅତିରିକ୍ତ ଶିକ୍ଷାଧିକାରୀ ନାରାୟଣ ଭୋଇ ଓ ମହାଦେବ ମିଶ୍ରଙ୍କ ସହ ସିଆର୍‌ସିସି ଲକ୍ଷରାଜ ମେହେରଙ୍କୁ ବହୁ ସମୟ ଧରି ଉତ୍ତ୍ୟକ୍ତ ଗ୍ରାମବାସୀ ଘେରାଉ କରିଥିଲେ। ବିଇଓ ଗୋବର୍ଦ୍ଧନ ଭୋଇ ଫୋନ୍‌ ଯୋଗେ ଶନିବାର ସୁଦ୍ଧା ଶିକ୍ଷକଙ୍କ ବଦଳି ଘଟଣାର ସମାଧାନ କରାଯିବ ବୋଲି ଆନ୍ଦୋଳନକାରୀ ତଥା ଗାଁ ମୁଖିଆ ସୁରେନ୍ଦ୍ର ଭୋଇଙ୍କୁ କହିବା ପରେ ଅଧିକାରୀମାନଙ୍କୁ ଗ୍ରାମବାସୀମାନେ ଛାଡ଼ିଥିଲେ। ଅନ୍ୟପକ୍ଷରେ ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ସର ନାଗ କହିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରଧାନଶିକ୍ଷକ ସୁଧାଂଶୁ ଶେଖର ନାଏକ, ସରୋଜ ପୃଷ୍ଟି ଓ ଅନ୍ୟଜଣେ ଭିନ୍ନକ୍ଷମ ଶିକ୍ଷକ ଅଛନ୍ତି। ବର୍ତ୍ତମାନ ଶ୍ରୀ ପୃଷ୍ଟିଙ୍କୁ ଡୁଙ୍ଗୁରିପାଲି ପଞ୍ଚାୟତ କୁଆଁରଗାଁସ୍ଥିତ ସ୍କୁଲକୁ ବଦଳି ହୋଇଛି।

ଅନ୍ୟପକ୍ଷରେ ଧୁମାପାଲି ସ୍କୁଲକୁ ଅନ୍ୟ କୌଣସି ଶିକ୍ଷକଙ୍କୁ ତାଙ୍କ ସ୍ଥାନରେ ବଦଳି କରାଯାଇନାହିଁ। ଏନେଇ ଗ୍ରାମବାସୀ ପ୍ରଥମେ ବିଇଓଙ୍କୁ ଲିଖିତ ଭାବ‌େ ଜଣାଇଥିଲେ। ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଗତ ୮ ତାରିଖରୁ ଗ୍ରାମବାସୀ, ସ୍କୁଲ କମିଟି ସଦସ୍ୟ ଓ ଛାତ୍ରଛାତ୍ରୀ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଆାନ୍ଦୋଳନରେ ଗାଁର ପ୍ରତିମା ରଣା, ତିଳୋତ୍ତମା ନାଗ, ସଂଜୁ ବାଗ, ପ୍ରେମଶୀଳା ବାଗ, ଜୟନ୍ତୀ ଦୀପ, କଷ୍ଟ ବାଗ, ମକରନ୍ଦ ରଣା, ପୁଷ୍ପାଞ୍ଜଳି ରଣାଙ୍କ ସହ ବହୁ ଗ୍ରାମବାସୀ ଆନ୍ଦୋଳନରେ ସାମିଲ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe