ଡାକ୍ତରଙ୍କ ଡେପୁଟେସନ୍‌ ବାତିଲ୍‌ ଓ ନୂଆ ନିଯୁକ୍ତି ଦାବି କରି ଡାକ୍ତରଖାନା ଆଗରେ ଜନମଞ୍ଚ ପକ୍ଷରୁ ଅନଶନ

Advertisment
ଡାକ୍ତରଙ୍କ ଡେପୁଟେସନ୍‌ ବାତିଲ୍‌ ଓ ନୂଆ ନିଯୁକ୍ତି ଦାବି କରି ଡାକ୍ତରଖାନା ଆଗରେ ଜନମଞ୍ଚ ପକ୍ଷରୁ ଅନଶନ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ତ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କ ଡେପୁଟେସନ ବାତିଲ ଓ ନୂତନ ଡାକ୍ତର ନିଯୁକ୍ତି ଦାବି କରିଛି ଜନମଞ୍ଚ। ଏନେଇ ଜନମଞ୍ଚ ପକ୍ଷରୁ ଉପଖଣ୍ଡ ଡାକ୍ତରଖାନା ଆଗରେ ସିଭିଲ ସୋସାଇଟିର କାର୍ଯ୍ୟକାରୀ ସଭାପତି ଡିଙ୍ଗର କୁମ୍ଭାର ଦିନିକିଆ ଅନଶନରେ ବସିଥିଲେ। ଏସ୍‌ଡିଏମ୍‌ଓ ଡା. ପୀତବାସ ସା ଧାରଣାସ୍ଥଳକୁ ଆସି ୭ ଦିନ ମଧ୍ୟରେ ଡେପୁଟେସନ ବାତିଲ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଶ୍ରୀ କୁମ୍ଭାର ଅନଶନରୁ ଓହରିଥିଲେ। ତାଙ୍କ ଅନଶନକୁ ସମର୍ଥନ କରି ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନେ, କଣ୍ଟାବାଞ୍ଜି ଆର୍‌କେସ୍‌ର ସଦସ୍ୟମାନେ ସାମିଲ ହୋଇଥିଲେ।

ଜନମଞ୍ଚର ଅଭିଯୋଗ ଅନୁସାରେ, ଏହି ଡାକ୍ତରଖାନାରେ ଅନେକ ବର୍ଷରୁ ଡାକ୍ତର ସମସ୍ୟା ଲାଗିରହିଛି। ଆବଶ୍ୟକ ଡାକ୍ତର ନଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଏହି ଡାକ୍ତରଖାନାରେ ୧୮ ଜଣ ଡାକ୍ତର ରହିବା ସ୍ଥାନରେ ବର୍ତମାନ ୯ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଦିଲୀପ ସାହୁ ସପ୍ତାହରେ ୩ଦିନ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଡେପୁଟେସନରେ ଯାଇଥାନ୍ତି। ନିଶ୍ଚେତକ ଡା. ରବୀନ୍ଦ୍ର ମେହେର ବହୁଦିନରୁ ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅଫିସର ଦାୟିତ୍ବରେ ଅଛନ୍ତି। ଦନ୍ତ ରୋଗ ବିଶେଷଜ୍ଞ ଡା. ସ୍ବସ୍ତିକ ଦାସ ୨୦୧୮ ମସିହାରୁ ସିନ୍ଧେକେଲା ସିଏଚ୍‌ସିକୁ ଡେପୁଟେସନରେ ଯାଇଛନ୍ତି। ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରୁ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. କେ.ଏନ. ମହାନ୍ତି ଓ ଟିଟିଲାଗଡ଼ ଉପଖଣ୍ତ ଡାକ୍ତରଖାନାରୁ ଭେଷଜ ବିଶେଷଜ୍ଞ ଡା. ହେମନ୍ତ ମେହେର ସପ୍ତାହକ ୩ ଦିନ ଏହି ଡାକ୍ତରଖାନାକୁ ଡେପୁଟେସନରେ ଆସିଥାନ୍ତି। ତେଣୁ ଡାକ୍ତରମାନଙ୍କ ଡେପୁଟେସନ ବାତିଲ ଏବଂ ଡାକ୍ତରଖାନାରେ ଖାଲି ପଡ଼ିଥିବା ବରିଷ୍ଠ ଭେଷଜ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ, ଚକ୍ଷୁ ରୋଗ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, ନିଶ୍ଚେତକ ବିଶେଷଜ୍ଞ, ପାଥୋଲୋଜି ବିଶେଷଜ୍ଞ ପଦବି ପୂରୁଣ ଦାବିରେ ଏହି ଅନଶନ କରାଯାଇଥିବା ଜନମଞ୍ଚ ସଭାପତି ଶ୍ରୀ କୁମ୍ଭାର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe