ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲା: ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅଙ୍କୁ ଗିରଫ ଦାବିରେ କର୍ମଚାରୀଙ୍କ ବିକ୍ଷୋଭ

Advertisment
ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲା: ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅଙ୍କୁ ଗିରଫ ଦାବିରେ କର୍ମଚାରୀଙ୍କ ବିକ୍ଷୋଭ

ଭଦ୍ରକ: ଭଦ୍ରକ ଜିଲ୍ଲାର ସର୍ବପୁରାତନ ବୈଷୟିକ ଶିକ୍ଷାନୁଷ୍ଠାନ ବରପଦା ଇଞ୍ଜିନିୟରିଂ କଲେଜରେ ବ୍ୟାପକ ଦୁର୍ନୀତି ହୋଇଥିବାବେଳେ ଏହି କଲେଜ ନାମରେ ଭୁବନେଶ୍ୱରରେ ଅନ୍ୟ ଏକ ଶିକ୍ଷାନୁଷ୍ଠାନ ପାଇଁ କମି କିଣାଯାଇ ପରେ ଏହି ଜମି ଓ କଲେଜ କୋଠାକୁ ଏକ ବିଲଡର ସଂସ୍ଥାକୁ ବିକ୍ରି କରିବା ପରେ କଲେଜ ଫଣ୍ଡକୁ ଏହି ଜମି ବିକ୍ରି ଟଙ୍କା ଫେରିନଥିଲା। କଲେଜର ଟଙ୍କାକୁ ଏହି କଲେଜ ଦାୟିତ୍ୱରେ ଥିବା ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ପ୍ରୟାସକାନ୍ତି ସାମଲ (ଲୁଲୁ) ହଡ଼ପ କରିନେଇଥିଲେ। କଲେଜ ଟଙ୍କାକୁ ଚଳୁ କରି ଲୁଲୁ ନାମୀ ଦାବି ଗାଡ଼ି ଚଢ଼ି ବିଳାସପୂର୍ଣ୍ଣ ଜୀବନ ବିତାଉଥିବାବେଳେ ବରପଦା ଇଞ୍ଜିନିୟରିଂ କଲେଜର କର୍ମଚାରୀଙ୍କୁ ସେମାନଙ୍କର ୧୭ ମାସର ଦରମା ନଦେବା ଘଟଣାକୁ ନେଇ ଦୀର୍ଘ ଦିନ ହେଲା କଲେଜ କର୍ମଚାରୀମାନେ ଭୋକ ଉପବାସରେ ନ୍ୟାୟ ପାଇଁ କଲେଜ ଆଗରେ ଧାରଣା ଦେବା ସହ ପ୍ରତିବାଦ କରି ଆସୁଛନ୍ତି। ଏହି କଲେଜ ଦୁର୍ନୀତି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବୋଲି କର୍ମଚାରୀ ସଂଘ ଦାବି କରି ଆସୁଥିଲା। ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ଲୁଲୁ ସାମଲଙ୍କୁ ଗିରଫ କରିବା ନେଇ ଦାବି କରି ଆସୁଥିଲେ। ବିଳମ୍ବରେ ହେଲେ ମଧ୍ୟ ଇଡି ଏହି ମହାଘୋଟାଲାର ତଦନ୍ତ ଆରମ୍ଭ କରିଛି।

publive-image

ଇଡିର ଚଢ଼ାଉ ପରେ ବରପଦା କଲେଜ ଆଗରେ ଆଜି ଶତାଧିକ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ବିକ୍ଷୋଭ ଓ ପ୍ରତିବାଦ ସଭା କରିଛନ୍ତି। ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ଲୁଲୁ ସାମଲଙ୍କୁ ଗିରଫ କରିବା ସହ କଲେଜର ପୂର୍ବତନ ଅଧ୍ୟକ୍ଷ ମନୋଜ ଗୋସ୍ୱାମୀଙ୍କୁ ଗିରଫ କରିବାକୁ ଦାବି କରି କଲେଜ ଗେଟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ବର୍ତ୍ତମାନର କଲେଜ ଅଧ୍ୟକ୍ଷ ମୋହନ ପଣ୍ଡା କର୍ମଚାରୀଙ୍କୁ ଦରମା ଦେଉ ନଥିବା ବେଳେ ତାଙ୍କୁ ତୁରନ୍ତ ଗିରଫ କରାଯାଇ ବୋଲି ଦାବି କରିଥିଲେ। ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରେ ଗ୍ରାମାଂଚଳ ଥାନା ପୁଲିସ ଡେରା ପକାଇଛନ୍ତି ।

ପ୍ରକାଶ ଥାଉ କି, ଇଡି ପକ୍ଷରୁ ଗତ ୧୫ ତାରିଖ ଦିନ ଚଢ଼ାଉ କରାଯାଇ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର କଲେଜ ପରିଚାଳନା କମିଟିର ସଭାପତି ପ୍ରୟାସକାନ୍ତି ସାମଲଙ୍କ ସମେତ କଲେଜର ପୂର୍ବତନ ଅଧ୍ୟକ୍ଷ ମନୋଜ ଗୋସ୍ବାମୀଙ୍କ ଭଦ୍ରକ ସ୍ଥିତ ବାସଭବନ ଓ ଭୁବନେଶ୍ୱର ସ୍ଥିତ ବାସଭବନରେ ଚଢ଼ାଉ କରିଥିଲେ। ସକାଳ ୭ଟାରୁ ଚଢ଼ାଉ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଚଢ଼ାଉ ଚାଲିଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା।

ଗୋଟିଏ ଦିନରେ ଏକାବେଳେ ୨୦ ଟି ସ୍ଥାନରେ ଇଡିର ରେଡ କରାଯାଇଥିବା ବେଳେ ପରଦିନ ୧୬ତାରିଖରେ ଲୁଲୁଙ୍କୁ ପୁଣି ଜେରା କରାଯାଇଥିଲା। ସେତେବେଳେ ତାଙ୍କ ଘରୁ ନଗଦ ୯ ଲକ୍ଷ ଟଙ୍କା ଓ ଏକ ଦାମୀ କାରକୁ ଇଡି ଜବତ କରିଥିଲା। ଏହି ଘଟଣାରେ ଇଡି ପକ୍ଷରୁ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ପ୍ରୟାସକାନ୍ତି ସାମଲଙ୍କୁ ଆସନ୍ତା ୨୪ ତାରିଖରେ ଅଫିସରେ ହାଜର ହେବାକୁ ସମନ ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe