APN Live
ବରଗଡ଼: ବାହାର ଜିଲ୍ଲାର ଅପେରାକୁ ବରଗଡ଼ ଜିଲ୍ଲାରେ ସ୍ଥାନ ନଦେବାକୁ ଦାବି ବଢ଼ିଛି। ପୂର୍ବଭଳି ଅପେରା ଉପରେ ନିଷେଧାଦେଶ ବଳବତ୍ତର ରଖିବାକୁ ଦାବି ହୋଇଛି। ଏନେଇ ପୂର୍ବରୁ ବରଗଡ଼ ଜିଲ୍ଲା ଓକିଲ ସଂଘ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲା। ବୁଧବାର ସଂଘର ପ୍ରତିନିଧି ଦଳ ଏଡିଏମ୍ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ୨୦୦୫ ମସିହାରୁ ଜିଲ୍ଲାବାସୀଙ୍କ ଆର୍ଥିକ ଏବଂ ସାମାଜିକ ସ୍ଥିତିକୁ ଦେଖି ଅପେରା ଉପରେ କଟକଣା ଲାଗିଥିଲା। ୧୭ ବର୍ଷ ଧରି ଏହି କଟକଣା ଯୋଗୁଁ ଆଇନଶୃଙ୍ଖଳା ବି ବ୍ୟବସ୍ଥିତ ରହିଛି। କିନ୍ତୁ ପୁଣି ଅପେରା ଲାଗିଲେ ଘୁଡ଼ୁଘୁଡ଼ୁ ପଟି, ଜୁଆଖେଳ ବଢ଼ିବ। ଲୋକେ ଅନ୍ୟଥାରେ ସର୍ବସ୍ବାନ୍ତ ହେବେ। ତେଣୁ ବରଗଡ଼ ଭଳି ଚାଷୀବହୁଳ ଜିଲ୍ଲାରେ ଏହି କଟକଣା ଆଗକୁ ବି ଜାରି ରଖିବାକୁ ସଂଘ ଦୃଢ଼ ଯୁକ୍ତି ରଖିଛି। ସଂଘର ସାଧାରଣ ସଂପାଦକ ହରିହର ପ୍ରଧାନ ଏବଂ ଉପସଭାପତି ହେମନ୍ତ ପୁରୋହିତ ଏହି ପ୍ରତିନିଧି ଦଳର ନେତୃତ୍ବ ନେଇଥିଲେ। ଅନ୍ୟପକ୍ଷରେ ଜିଲ୍ଲାରେ ବାହାର ଜିଲ୍ଳାର ଅପେରା ବନ୍ଦ ପାଇଁ କୋଶଳ ରାଏଜ୍ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ଘନଶ୍ୟାମ ସାହୁଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି। କୁଶ ସାହୁ, ନିଲେଶ ପ୍ରଧାନ, ଟୁନା ଦେବତା, ନରେଶ ଦୀପ, ରିକୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସମାନ ଦାବି ନେଇ କୋଶଲ ସେନା ପକ୍ଷରୁ ଏଡିଏମ୍ ମିର୍ଦ୍ଧା ଟପ୍ପୋଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
Follow Us