ଭିଜିଲାନ୍ସ ଜାଲରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ସଦସ୍ୟଙ୍କ ପିଏସ୍‌: ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି ଗନ୍ଧ

Advertisment

ଘରୁ ମିଳିଲା ନଗଦ ୨୫ ଲକ୍ଷ, ଦେଢ଼ କେଜି ସୁନା ଗହଣା, ଟଙ୍କା ଗଣିଗଣି ହାଲିଆ

ଘରୁ ମିଳିଲା ନଗଦ ୨୫ ଲକ୍ଷ, ଦେଢ଼ କେଜି ସୁନା ଗହଣା, ଟଙ୍କା ଗଣିଗଣି ହାଲିଆ

ବିରଞ୍ଚିଙ୍କ ପାଖରେ ପହଞ୍ଚୁଥିଲା ଚାକିରି ଆଶାୟୀଙ୍କ ରେଜଲ୍ଟ ତାଲିକା! ଚାକିରି କରାଇ ଦେବେ କହି ଲୁଟୁଥିଲେ

୪ କୋଠା, ୧୪ ପ୍ଲଟ୍, ୫୬ ଲକ୍ଷ ଟଙ୍କାର ବୀମା
ଆଲମିରାରୁ ମିଳିଲା ଆବେଦନକାରୀଙ୍କ ଆଡମିଟ୍‌ କାର୍ଡ
୪ ଥର ବୁଲିଛନ୍ତି ବିଦେଶ, ବିପୁଳ ବିଦେଶୀ ନୋଟ୍ ଜବତ
ଭୁବନେଶ୍ବର ଓ କଟକର ୬ ଜାଗାରେ ଚଢ଼ଉ

ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସ୍ଏସସି)ର ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କ ପିଏସ୍(ବ୍ୟକ୍ତିଗତ ସଚିବ) ବିରଞ୍ଚି ନାରାୟଣ ସାହୁ। ଆଜି ଭିଜିଲାନ୍ସର ଏକାଧିକ ଟିମ୍ ଭୁବନେଶ୍ବର ଓ କଟକର ୬ଟି ସ୍ଥାନରେ ଚଢ଼ଉ କରିଛନ୍ତି। ଚଢ଼ଉ ସମୟରେ ଶ୍ରୀ ସାହୁ ଓ ତାଙ୍କ ସଢ଼ୁଙ୍କ ଘରୁ ନଗଦ ୨୫ ଲକ୍ଷ ଟଙ୍କା ଓ ଦେଢ଼ କେଜି ସୁନା ଗହଣା ମିଳିଥିବାବେଳେ ବିଭିନ୍ନ ସ୍ଥାନରେ ୪ କୋଠା, ୧୪ ପ୍ଲଟ୍ ସମେତ ବିପୁଳ ପରିମାଣର ସମ୍ପତ୍ତି ଦେଖି ଅଧିକାରୀମାନେ ତାଟକା ହୋଇ ଯାଇଛନ୍ତି। ବିଭିନ୍ନ ବ୍ୟାଙ୍କରେ ଆହୁରି ପୁଳାପୁଳା ଟଙ୍କା ଥିବା ଜଣାପଡ଼ିଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଛି। ଓଏସ୍ଏସସି ପରୀକ୍ଷାର୍ଥୀଙ୍କ ନମ୍ବର ବଢ଼ାଇ ଚାକିରି କରାଇ ଦେବା ପାଇଁ କହି ବିରଞ୍ଚି ବିପୁଳ ଅର୍ଥ ଆଦାୟ କରିଥିବା ସନ୍ଦେହ କରୁଛି ଭିଜିଲାନ୍ସ। କାରଣ ତାଙ୍କ ପାଖରୁ ନିଯୁକ୍ତି ପରୀକ୍ଷା ପାଇଁ ଅନେକ ଆବେଦନକାରୀଙ୍କ ଆଡମିଟ୍ କାର୍ଡ ମଧ୍ୟ ଜବତ କରାଯାଇଛି। ଏହା ରାଜ୍ୟରେ ବିଭିନ୍ନ ନିଯୁକ୍ତି ପରୀକ୍ଷା କରୁଥିବା ପୂରା ଷ୍ଟାଫ୍‌ ସିଲେକ୍ସନ କମିସନକୁ ସନ୍ଦେହ ଘେରକୁ ଟାଣିଆଣିଥିବାବେଳେ ଏକ ବଡ଼ ଧରଣର ଦୁର୍ନୀତି ଆଡ଼କୁ ସଂକେତ କରୁଛି। ଏହି ଦୁର୍ନୀତି ପଛରେ ଆଉ କେଉଁ ବଡ଼ ମୁଣ୍ଡ ଅଛନ୍ତି କି ନାହିଁ, ତାହା ଜ‌ାଣିବା ଲାଗି ବିରଞ୍ଚିଙ୍କୁ ଅଟକ ରଖି ତଦନ୍ତକାରୀ ଟିମ୍ ମାରାଥନ୍ ଜେରା କରୁଛି।

publive-image

ଟଙ୍କା ଗଣିଗଣି ହାଲିଆ
ଶୁକ୍ରବାର ଚଢ଼ଉ ବେଳେ ବିରଞ୍ଚିଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ତାଙ୍କ ସଢ଼ୁଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଜବତ ହୋଇଥିଲା। ସମ୍ଭବତଃ ଏତେ ଟଙ୍କା ଥିବ ବୋଲି ଭିଜିଲାନ୍ସ ଅଧିକାରୀମାନେ କଳ୍ପନା କରି ନ ଥିବାରୁ ଟଙ୍କା ଗଣା ମେସିନ୍ ସାଙ୍ଗରେ ନେଇ ନ ଥିଲେ। ତେଣୁ ସେମାନେ ଜବତ ହୋଇଥିବା ବିଡ଼ାବିଡ଼ା ଟଙ୍କା ହାତରେ ଗଣିଥିଲେ। ନଗଦ ୨୫ ଲକ୍ଷ ଟଙ୍କା ଗଣିବାକୁ ବହୁ ସମୟ ଲାଗିଥିଲା। ତେଣୁ ଟଙ୍କା ଗଣିଗଣି ସେମାନଙ୍କୁ ହାଲିଆ ହେବାକୁ ପଡ଼ିଥିଲା। ଟଙ୍କା ଗଣୁଥିବା ଜଣେ କର୍ମଚାରୀ କୌତୁକ କରି ‘ମୁଣ୍ଡବିନ୍ଧା ହେଲାଣି ଅମୃତାଞ୍ଜନ ଆଣ ବୋଲି’ କହୁଥିବା ଶୁଣିବାକୁ ମିଳିଥିଲା।

ମିଳିଥିବା ସୂଚନା ଅନୁସାରେ, ବିରଞ୍ଚିଙ୍କ ନାଁରେ ବହୁ ଦିନ ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ଆସିଥିଲା। ଆଜି ଭୁବନେଶ୍ବର ଭିଜିଲାନ୍ସର ୫ଟି ଟିମ୍ ସକାଳୁ ସକାଳୁ ଚଢ଼ଉ ଆରମ୍ଭ କରି ଦେଇଥିଲା। ୫ ଜଣ ଡିଏସପିଙ୍କ ନେତୃତ୍ବରେ ୧୩ ଜଣ ଇନ୍ସପେକ୍ଟରଙ୍କ ସମେତ ୩୫ରୁ ୪୦ ଜଣ ଅଧିକାରୀ ଏହି ଚଢ଼ଉରେ ସାମିଲ ହୋଇଥିଲେ। ବିରଞ୍ଚି ରହୁଥିବା ନୀଳାଦ୍ରିବିହାରସ୍ଥିତ ଦୁଇ ମହଲା କୋଠାରେ ପହଞ୍ଚିଥିଲା ଗୋଟିଏ ଟିମ୍। ସେଠାରେ ଖାନତଲାସି ବେଳେ ଆଲମିରାରୁ ନଗଦ ୧୨ ଲକ୍ଷ ଟଙ୍କା, ଦେଢ଼ କେଜି ସୁନା ଅଳଙ୍କାର, ଭୁବନେଶ୍ବର, ପୁରୀ, ଖୋର୍ଦ୍ଧାରେ ୧୪ଟି ପ୍ଲଟର କାଗଜପତ୍ର ଏବଂ ୫୬ ଲକ୍ଷ ଟଙ୍କାର ଜୀବନ ବୀମାର କାଗଜପତ୍ର ମିଳିଥିଲା। ସେହିପରି ପିଏଫ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ବିରଞ୍ଚିଙ୍କ ସଢ଼ୁଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ବିରଞ୍ଚିଙ୍କ ଆଲମିରାରୁ ମିଳିଥିବା ଟଙ୍କା ଭର୍ତ୍ତି ଖାମ୍ ନିକଟରୁ ଓଏସ୍ଏସସି ପରୀକ୍ଷା ଆବେଦନକାରୀଙ୍କ ଆଡମିଟ୍ କାର୍ଡ ମଧ୍ୟ ଜବତ କରାଯାଇଥିଲା। ସେହିପରି ଅନ୍ୟ ଏକ ଟିମ୍ ଓଏସ୍ଏସସି ଅଫିସରେ ଥିବା ବିରଞ୍ଚିଙ୍କ ଚାମ୍ବରରେ ଚଢ଼ଉ କରି ବହୁ କାଗଜପତ୍ର, ଫାଇଲ, କମ୍ପ୍ୟୁଟର ହାର୍ଡଡିସ୍କ ଜବତ କରିଛି।

publive-image

ବିରଞ୍ଚି କେବଳ ବିପୁଳ ସଂପତ୍ତିର ମାଲିକ ନୁହନ୍ତି, ସେ ଚାରି ଥର ବିଦେଶ ବୁଲିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଚଢ଼ଉ ବେଳେ ବିଦେଶ ବୁଲିବାର ବିମାନ ଟିକେଟ୍, ହୋଟେଲ ବିଲ୍ ଆଦି ଜବତ ହୋଇଛି। ସେ ମାଲେସିଆ, ଦୁବାଇ, ସିଙ୍ଗାପୋର ଏବଂ ଥାଇଲାଣ୍ଡ ଯାଇଥିବା ଜଣାପଡ଼ିଛି। ସେହି ଦେଶମାନଙ୍କର ବିପୁଳ ନୋଟ୍ ମଧ୍ୟ ଜବତ କରାଯାଇଛି। ଏବେ ସୁଦ୍ଧା ଠାବ ହୋଇଥିବା ତାଙ୍କ ସମ୍ପତ୍ତିର ମୂଲ୍ୟ ୩ କୋଟି ୭୯ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। କିନ୍ତୁ ବିରଞ୍ଚି ଓ ତାଙ୍କ ପରିବାର ଲୋକଙ୍କ ବ୍ୟାଙ୍କ ଟ୍ରାନଜାକସନର ଏକାଧିକ ସ୍ଲିପ୍ ଭିଜିଲାନ୍ସ ହାତରେ ଲାଗିଛି। ତେଣୁ ବ୍ୟାଙ୍କରେ ବିପୁଳ ପରିମାଣର ଟଙ୍କା ଥିବା ଅନୁମାନ କରାଯାଉଛି। ଆସନ୍ତାକାଲି ଏ ସବୁ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe