ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ହିର୍ଲିପାଲି ଛକରେ ବିଧାୟିକା ସ୍ନେହାଂଗିନୀ ଛୁରିଆଙ୍କ ପିଏସ୍ଓ ଭି. ଭବାନୀ ପିସ୍ତଲ ଦେଖାଇବା ଘଟଣା ନେଇ ବିଜେଡି-କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜୁଛି। କଂଗ୍ରେସ କର୍ମୀ ବିଧାୟିକାଙ୍କ ଡ୍ରାଇଭର ଅନନ୍ତ ସିଂହ ଓ ପିଏସ୍ଓଙ୍କୁ ମାଡ଼ ମାରିବା ଘଟଣାରେ ଅତାବିରା ଥାନାରେ ତିନିଟି ମାମଲା ରୁଜୁ ହୋଇଛି।
ଜାତିଆଣ ଆକ୍ଷେପ, ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା, ପିଏସଓଙ୍କ ପିସ୍ତଲ ଛଡ଼ାଇ ନେବା ଭଳି ଅଭିଯୋଗ ହୋଇଛି। ଏଥିରେ କଂଗ୍ରେସ ଦଳର ଦୀପକ ରାୟ, ଜିତୁ ଭୋଇ, ପପୁନ ପ୍ରଧାନ, ଉସମାନ ଖାନ, ରୂପେଶ ଦୋରା, ଉମା ଭୋସାଗରଙ୍କ ସମେତ ୮ରୁ ୧୦ ଜଣ ସଂଶ୍ଳିଷ୍ଟ ଥିବା ଅଭିଯୋଗ ହୋଇଛି। ଅପରପକ୍ଷେ କଂଗ୍ରେସ ପକ୍ଷରୁ ଉସମାନ ଖାନଙ୍କ ଅଭିଯୋଗକ୍ରମେ ଡ୍ରାଇଭର ଓ ପିଏସ୍ଓ ଗାଲିଗୁଲଜ କରିବା ସହ ପିଏସ୍ଓ ବନ୍ଧୁକ ଦେଖାଇ ମାରିବାକୁ ଉଦ୍ୟମ, ଆତଙ୍କ ସୃଷ୍ଟି କରିଥିବା ଦର୍ଶାଯାଇଛି। ଏହାବାଦ୍ ପୁଲିସ ନିଜ ପକ୍ଷରୁ ଏକ ମାମଲା ଦାୟାର କରାଯାଇଛି। ହିର୍ଲିପାଲି ଛକରେ ପୁଲିସ୍ ଉପସ୍ଥିତିରେ ଉଭୟ କଂଗ୍ରେସ ପକ୍ଷ ଏବଂ ବିଧାୟିକାଙ୍କ ଡ୍ରାଇଭର, ପିଏସ୍ଓଙ୍କ ମଧ୍ୟରେ ମାଡ୍ପିଟ୍ ଘଟଣା ନେଇ ମାମଲା ରୁଜୁ ହୋଇଛି। ଏସ୍ଡିପିଓ, ଥାନାଧିକାରୀ ଘଟଣାସ୍ଥଳକୁ ଯାଇ ମାମଲାର ତନାଘନା କରିଛନ୍ତି।
Follow Us