ପିଏସ୍‌ୟୁ ଦେବେ ୧୦ ଲକ୍ଷ ମାଗଣା ଟିକା, କର୍ପୋରେଟ୍ ଭ୍ୟାକସିନ୍ ଟ୍ୟାସ୍କ ଫୋର୍ସ ଗଠନ ହେବ : ଧର୍ମେନ୍ଦ୍ର

Advertisment
ପିଏସ୍‌ୟୁ ଦେବେ ୧୦ ଲକ୍ଷ ମାଗଣା ଟିକା, କର୍ପୋରେଟ୍ ଭ୍ୟାକସିନ୍ ଟ୍ୟାସ୍କ ଫୋର୍ସ ଗଠନ ହେବ : ଧର୍ମେନ୍ଦ୍ର

image source-dna india

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସବୁ ନାଗରିକଙ୍କୁ ମାଗଣା ଟିକା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ସରକାରଙ୍କ ବାଦ୍‌ କର୍ପୋରେଟ୍‌ ଅନୁଷ୍ଠାନ ଏବଂ ବେସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ୨୫ ପ୍ରତିଶତ ଟିକାକରଣ କରିବେ।‌ ସେମାନେ ମିଳିତ ଭାବରେ ନିଜ ନିଜ ବ୍ୟବସ୍ଥାରେ ଟିକା କିଣି ଲୋକଙ୍କୁ ଦେବା ପାଇଁ ନୀତିଗତ ନିଷ୍ପତି ନିଆଯାଇଛି। ଆଜି କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସ୍‌ୟୁ) ଓ ଘରୋଇ ହସ୍ପିଟାଲ୍‌ ମୁଖ୍ୟମାନଙ୍କ ସହ ଟିକାକରଣ ସମ୍ପର୍କରେ ସମୀକ୍ଷା କରିବା ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ଚଳିତ ମାସରେ ଓଡ଼ିଶାରେ କାର୍ଯ୍ୟରତ କେନ୍ଦ୍ରୀୟ ପିଏସ୍‌ୟୁଗୁଡ଼ିକ ନିଜ ଖର୍ଚ୍ଚରେ ୧୦ ଲକ୍ଷ ଲୋକଙ୍କୁ ମାଗଣା ଟିକା ଦେବାର ଖସଡ଼ା ପ୍ରସ୍ତୁତ କରିବାକୁ ସେ କହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ, ପେଟ୍ରୋଲିୟମ୍‌ ଓ ଇସ୍ପାତ ମନ୍ତ୍ରଣାଳୟର ସଚିବ, ଭାରତୀୟ ଶିଳ୍ପ ସଂଘ(ସିଆଇଆଇ)ର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଭର୍ଚୁଆଲ୍‌ ବୈଠକ କରାଯାଇଥିଲା।

ଶ୍ରୀ ପ୍ରଧାନ କହିଥିଲେ ଯେ ଭାରତ ସରକାରଙ୍କ ଟିକାକରଣ ବ୍ୟବସ୍ଥା ବ୍ୟତୀତ ରାଜ୍ୟରେ କର୍ପୋରେଟ୍‌ ଅନୁଷ୍ଠାନ ଏବଂ ଘରୋଇ ତଥା କର୍ପୋରେଟ୍ ହସ୍ପିଟାଲ ମିଳିତ ଭାବରେ ଟିକାକରଣକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି। ଟିକା ସଂଗ୍ରହ, ଟିକା ଯୋଗାଣ ଏବଂ ଟିକାକରଣକୁ ସୁଗମ କରିବା ପାଇଁ ‘କର୍ପୋରେଟ୍ ଭ୍ୟାକସିନ୍ ଟାସ୍କ ଫୋର୍ସ’ ଗଠନ କରାଯାଉ। ଇଣ୍ଡିଆନ ଅଏଲ, ସିଆଇଆଇ, ସେଲ୍‌ ଏବଂ ନାଲ୍‌କୋ ଆଦି ସଂସ୍ଥା ବିଭିନ୍ନ ଘରୋଇ ହସ୍ପିଟାଲ ସାହାଯ୍ୟରେ ଏହି ଟାସ୍କଫୋର୍ସ ଗଠନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ ଭାରତ ସରକାର ଚଳିତ ଜୁଲାଇ ମାସରେ ଓଡ଼ିଶାକୁ ୩୦.୫ ଲକ୍ଷ ମାଗଣା ଟିକା ଆବଣ୍ଟନ କରିଥିଲା ବେଳେ କର୍ପୋରେଟ୍ ମାଧ୍ୟମରେ ୧୦ ଲକ୍ଷରୁ ଅଧିକ ଟିକା ଆବଣ୍ଟନ କରାଯାଇଛି । ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ଅଧିକରୁ ଅଧିକ ଲୋକ କିଭଳି ଟିକାକରଣ ହୋଇପାରିବେ ତାହାକୁ ଲକ୍ଷ୍ୟ ରଖିବାକୁ ପଡ଼ିବ । କର୍ପୋରେଟ୍ ସଂସ୍ଥାଗୁଡ଼ିକ ଦ୍ୱାରା ଜୁନ ମାସରେ ୫୫ ହଜାର ଲୋକଙ୍କୁ ଟିକାକରଣ କରାଯାଇଥିଲା। ଆଗାମୀ ଦିନରେ ଏହି ସଂସ୍ଥାଗୁଡ଼ିକ ନିଜର କର୍ମଚାରୀ ସହ ଆଖପାଖରେ ଥିବା ଗରିବ ଲୋକଙ୍କୁ ମଧ୍ୟ ଟିକା ଦେବା ବ୍ୟବସ୍ଥାକୁ ତ୍ବରାନ୍ବିତ କରନ୍ତୁ। ସମସ୍ତ ଅଂଶୀଦାର କୋୱିନ୍ ଟେକ୍ନୋଲୋଜିକୁ ବ୍ୟବହାର କରି ଲୋକଙ୍କୁ ତାଙ୍କ କାର୍ଯ୍ୟସ୍ଥଳୀ, ଘରେ ଏବଂ ଘରୋଇ ଡାକ୍ତରଖାନାରେ ଟିକା ଦେବା ପାଇଁ ଖସଡ଼ା ପ୍ରସ୍ତୁତ କରନ୍ତୁ। ବୈଜ୍ଞାନିକ ଓ ଦେଶର ଡାକ୍ତରମାନଙ୍କ ଅନୁଯାୟୀ କରୋନାକୁ ହରାଇବା ପାଇଁ ଟିକାକରଣ ହିଁ ଏକମାତ୍ର ବିକଳ୍ପ। ଏହି ସମୀକ୍ଷା ବୈଠକରେ ସମ୍ ହସ୍ପିଟାଲ, କଳିଙ୍ଗ, ଉତ୍କଳ, ଆପୋଲୋ, କିମ୍‌ସ୍‌, ଆମ୍ରି, ବିକାଶ ହସ୍ପିଟାଲ, ଆଇଜିଏଚ୍‌ ସମେତ ରାଜ୍ୟର ଅନେକ ବେସରକାରୀ ହସ୍ପିଟାଲର ପ୍ରତିନିଧି ଏବଂ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଯଥା ରେଳବାଇ, ପାରାଦୀପ ବନ୍ଦର, ଇଣ୍ଡିଆନ ଅଏଲ, ଏଚ୍‌ପିସିଏଲ୍‌, ବିପିସିଏଲ୍‌, ଗେଲ୍‌, ସେଲ, ଏସ୍‌ବିଆଇ, ଏମ୍‌ସିଏଲ୍‌, ଏନ୍‌ଟିପିସିର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇ ଟିକାକରଣ ଉପରେ ନିଜର ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe