ଝାରସୁଗୁଡ଼ା: ଲଖନପୁର ବ୍ଲକ୍ର ଜୁନିଏନ୍ଠାରେ ରାମକୀ ଏନ୍ଭିରୋ କମ୍ପାନିର ବର୍ଜ୍ୟବସ୍ତୁ ପରିଚାଳନା ସଂରକ୍ଷଣ ଓ ନିଷ୍କାସନ ପ୍ରକଳ୍ପ ନିର୍ମାଣ ପାଇଁ ଶୁକ୍ରବାର ପରିବେଶ ମଞ୍ଜୁରି ସମ୍ପର୍କିତ ଜନଶୁଣାଣି ହେବାର ଥିଲା। ପୂର୍ବରୁ ବିରୋଧ ସତ୍ତ୍ବେ ଲଖନପୁର ବାଣୀଝରନ୍ ସ୍ଥିତ ଷ୍ଟାଡିୟମ୍ରେ ଏହି ଜନଶୁଣାଣି କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ମାତ୍ର ଅପରାହ୍ନ ୫ଟା ଯାଏ କମ୍ପାନି ପ୍ରତିଷ୍ଠା କରାଇ ନଦେବା ଦାବିରେ ବିରୋଧ ଜାରି ରହିବାରୁ ଶେଷରେ ଜନଶୁଣାଣିକୁ ବାତିଲ୍ କରାଯାଇଛି। ଆଜିର ଘଟଣାକୁ ମିଶାଇ ରାମକୀ କମ୍ପାନିର ଏହି ପ୍ରକଳ୍ପ ନିମନ୍ତେ ଲଗାତାର ପଞ୍ଚମ ଥର ପାଇଁ ଜନଶୁଣାଣି ବାତିଲ୍ ହୋଇଛି।
/sambad/media/post_attachments/wp-content/uploads/2023/09/b5a6915e-904e-426a-8ca3-4ac87d043512-1024x585.jpeg)
ଆଜି ସକାଳୁ ଜନଶୁଣାଣି ପୂର୍ବରୁ ପ୍ରଥମେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫୦ରୁ ଅଧିକ ଲୋକ ପହଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ। ଆଞ୍ଚଳିକ ଅଧିକାରୀ ହିରଣ୍ୟ ନାୟକ ଯେମିତି ଜନଶୁଣାଣିକୁ ପହଞ୍ଚି ପାରିବେନି ସେଥିପାଇଁ ଲୋକେ ମୁଖ୍ୟ ଫାଟକରେ ତାଲା ମଧ୍ୟ ପକାଇ ଦେଇଥିଲେ। ପରେ ସଦର ଏସ୍ଡିପିଓ ନିର୍ମଳ ମହାପାତ୍ର ଓ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବାରେ ଯଥେଷ୍ଟ ବିଳମ୍ବରେ ଆଞ୍ଚଳିକ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଜନଶୁଣାଣି ସ୍ଥଳରେ ପହଞ୍ଚିଥିଲେ। ସେହି ସମୟରେ ସମାନ୍ତରାଳ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଶତାଧିକ ଲୋକ ପହଞ୍ଚି ବିରୋଧ ପ୍ରଦର୍ଶନ କରିବା ସହ ରାମକୀ ଗୋ-ବ୍ୟାକ୍ ନାରା ଦେଇଥିଲେ। ସେପଟେ, ଜନଶୁଣାଣିସ୍ଥଳରେ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କ ଦ୍ବାରା ବିରୋଧ ପ୍ରଦର୍ଶନ ହୋଇଥିଲା। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଶ୍ରୀ ନାୟକ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇଙ୍କୁ ଉତ୍ତ୍ୟକ୍ତ ଲୋକେ ଗେଟ୍ ନିକଟରେ ହିଁ ଅଟକାଇ ଭିତରକୁ ପଶିବାକୁ ଦେଇନଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା। ଅପରାହ୍ନ ସାଢ଼େ ୪ଟା ଯାଏ ଏହି ଛକାପଞ୍ଝା ଲାଗି ରହିଥିଲା। ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜନଶୁଣାଣି କରାଯିବାକୁ ଏକପ୍ରକାର ଜିଦ୍ ହେବା ପରେ ଉତ୍ତ୍ୟକ୍ତ ଲୋକେ ଷ୍ଟେଜ୍ ଭାଙ୍ଗିବା ସହ ଚେୟାର ଫିଙ୍ଗିଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣା ସ୍ଥଳରେ ପୁଲିସ୍ ମୃଦୁ ଲାଠି ଚାଳନା କରିଥିବା ଦେଖିବାକୁ ମିଳିଥିଲା। ପ୍ରତିବାଦ କରୁଥିବା ପ୍ରାୟ ୨ ଶହ ଲୋକଙ୍କୁ ପୁଲିସ୍ ଘଟଣାସ୍ଥଳରୁ ଉଠାଇ ନେଇଥିଲା। ସନ୍ଧ୍ୟା ଯାଏ ସ୍ଥିତି ନିୟନ୍ତ୍ରଣାଧୀନ ନ ହେବାରୁ ଶେଷରେ ଏହି ଜନଶୁଣାଣି ବାତିଲ୍ ଘୋଷଣା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଜୁନିଏନ୍ରେ ୬୪ ଏକର କୋଲ୍ ବିୟରିଂ ଜଙ୍ଗଲ ଜମିରେ ରାମକୀ ଏନ୍ଭିରୋ କମ୍ପାନିର ପ୍ରତିଷ୍ଠା ହେବାକୁ ବିରୋଧ ହେବାରୁ ପୂର୍ବରୁ ୪ ଥର ଜନଶୁଣାଣି ବାତିଲ୍ ହୋଇସାରିଛି।
/sambad/media/post_attachments/wp-content/uploads/2023/09/9d3043f9-26cf-45b4-be6b-b3896512bf51-1024x572.jpeg)
ପ୍ରଶାସନ ଫେଲ୍, ରାଜନୀତି ପାସ୍
ରାମ୍କୀର ଜନଶୁଣାଣି ଯଦିଓ ସମ୍ପୂର୍ଣ୍ଣ ଭାବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାମଲା ତଥାପି ଏହାକୁ ନେଇ ଝାରସୁଗୁଡ଼ାରେ ରାଜନୀତି ତେଜିଥିଲା। କିଭଳି ଭାବେ ରାମ୍କୀ ଏହି ଜନଶୁଣାଣି କରି ନପାରିବ ସେ ନେଇ ଗତ ସପ୍ତାହେ ଧରି ପ୍ରସ୍ତୁତି ବି ଜାରି ରହିଥିଲା। ସମ୍ବଲପୁର ଅଇଁଠାପାଲିର ଏକ ହୋଟେଲରେ ପ୍ରସ୍ତୁତି ବୈଠକ ହୋଇଥିଲା। ସ୍ଥାନୀୟ ଲୋକଙ୍କ ବିରୋଧକୁ ବାଦ୍ ଦେଇ ତମାମ୍ ବିରୋଧ, ପ୍ରଦର୍ଶନ ମଧ୍ୟ ଉକ୍ତ ପ୍ରସ୍ତୁତି ମଧ୍ୟରେ ସାମିଲ୍ ରହିଥିଲା। ଗତକାଲି ସନ୍ଧ୍ୟା ଯାଏ ହାଇକୋର୍ଟରେ ଜନଶୁଣାଣି ଉପରେ ରହିତାଦେଶ ନେଇ କୌଣସି ରାୟ ନଆସିବାରୁ ଆଜିର ଜନଶୁଣାଣିକୁ କିଭଳି ବାତିଲ୍ କରାଯିବ ସେଥିପାଇଁ ରାଜନୈତିକ ଗୋଷ୍ଠୀ ପ୍ଲାନ୍ ବି ବ୍ୟବହାର କରିଥିଲେ। ଯେଉଁଥିରେ କିଛି ସରକାରୀ ଅଧିକାରୀ ମଧ୍ୟ ସାମିଲ୍ ଥିଲେ। ଏହି ଜନଶୁଣାଣି ବାତିଲ୍ ପରେ ରାଜନୀତି ପାସ୍ ହୋଇଥିବା ବେଳେ ପ୍ରଶାସନ ଓ ଏହାର ଗଣିତ ଫେଲ୍ ମାରିଥିବା ଚର୍ଚ୍ଚା ହେଉଛି।
/sambad/media/post_attachments/wp-content/uploads/2023/09/Capture୧-1.jpg)
୨୦୨୦ ମସିହାରୁ ତଞ୍ଚକତା କରି ଏହି କୋଇଲା କ୍ଷେତ୍ରକୁ ପ୍ରଥମେ ଇଡ୍କୋକୁ ପ୍ରଦାନ କରାଯିବା ପରେ ସେଠାରୁ ରାମକୀ କମ୍ପାନିକୁ ଲିଜ୍ରେ ପ୍ରଦାନ କରାଯାଇଛି। ଏହି କମ୍ପାନିକୁ ବିରୋଧ କରି ଓଡ଼ିଶା ହାଇକୋର୍ଟରେ ରିଟ୍ ପିଟିସନ୍ ସଂଖ୍ୟା ୩୦୨୭୨ରେ ଏକ ମାମଲା ରୁଜୁ ହୋଇଛି। କୋଲ୍ ବିୟରିଂ ଏରିଆ ଲିଜ୍ ଦିଆଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ରହିଥିବା ବେଳେ ଅଣ ମାଇନିଂ ପ୍ରକଳ୍ପ ପାଇଁ ରାମକୀ କମ୍ପାନିକୁ କିଭଳି ଅନୁମତି ଦିଆଗଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେହି ସମୟରେ ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟରତ ଥିବା ଜିଲ୍ଲାପାଳ, ଏମ୍ସିଏଲ୍ ଅଧିକାରୀ ଓ ଇଡ୍କୋ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ଏହି କୋଇଲା କ୍ଷେତ୍ରକୁ ସ୍ଥାନାନ୍ତର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ସେପଟେ, ଏହି ସ୍ଥାନରେ ଜଙ୍ଗଲ ଜମି ରହିଥିବା ସତ୍ତ୍ବେ ପ୍ରକଳ୍ପ ପାଇଁ ଲକ୍ଷାଧିକ ଗଛ ମଧ୍ୟ କଟାଯିବ। ଏହି ପ୍ରକଳ୍ପକୁ ଅଞ୍ଚଳବାସୀ ଆରମ୍ଭରୁ ହିଁ ବିରୋଧ କରିଆସୁଛନ୍ତି। ଗତ ବର୍ଷ ଜୁନ୍ ୧୦ ତାରିଖରେ ହେବାକୁ ଥିବା ଜନଶୁଣାଣିକୁ ଗ୍ରାମବାସୀମାନେ ବିରୋଧ କରିବା ସହ ଆରମ୍ଭରୁ ସଭା ହେବାକୁ ଦେଇନଥିଲେ। ସେତେବେଳେ ଜନଶୁଣାଣିକୁ ବିରୋଧ କରିବା ପାଇଁ ଲଖନପୁର ବ୍ଲକର ୩୩ଟି ପଞ୍ଚାୟତର ବାସିନ୍ଦା ଉପସ୍ଥିତ ରହିଥିଲେ। ବିଭିନ୍ନ କାରଣରୁ ପୂର୍ବରୁ ରାମକୀ କମ୍ପାନୀର ଜନଶୁଣାଣି ବାରମ୍ବାର ବାତିଲ କିମ୍ବା ସ୍ଥଗିତ କରାଯାଇଛି। ୨୦୨୦ ମସିହା ଅଗଷ୍ଟ ୨୭ ତାରିଖରେ ପ୍ରଥମେ ଏହି ଜନଶୁଣାଣିର ଆୟୋଜନ ହୋଇଥିଲା। ମାତ୍ର ସେହି ସମୟରେ ଅଞ୍ଚଳ ବାସିନ୍ଦା ମଞ୍ଚରେ ବିରୋଧ କରିବାରୁ ଏହାକୁ ପ୍ରଶାସନ ସ୍ଥଗିତ କରିଥିଲା। ପରେ ୨୦୨୧ ଏପ୍ରିଲ ୨୬ ତାରିଖରେ ନିର୍ଧାରିତ ହୋଇଥିବା ଏହି କମ୍ପାନିର ଜନଶୁଣାଣିକୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ ସ୍ଥଗିତ ରଖାଯାଇଥିଲା । ସେହିପରି ଗତବର୍ଷ ଜାନୁଆରି ୨୪ ହେବାକୁ ଥିବା ଜନଶୁଣାଣିକୁ ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗି ଥିବାରୁ ସ୍ଥଗିତ ରଖାଯାଇଥିଲା।
Follow Us