ସିମେଣ୍ଟଟ କାରଖାନା ନେଇ ଜନଶୁଣାଣି ଶେଷ; ୩ ପଞ୍ଚାୟତର ଶତାଧିକ ଲୋକ ନିଜର ଦାବି ରଖିଲେ

Advertisment
ସିମେଣ୍ଟଟ କାରଖାନା ନେଇ ଜନଶୁଣାଣି ଶେଷ; ୩ ପଞ୍ଚାୟତର ଶତାଧିକ ଲୋକ ନିଜର ଦାବି ରଖିଲେ

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ମାଟାପାକା ପଞ୍ଚାୟତ ଓ ଶିଖପାଲୀ ପଞ୍ଚାୟତ ତଥା ପଡିଆ ବ୍ଲକର ନିଲିଗୁଡା ପଞ୍ଚାୟତର ଶତାଧିକ ଲୋକଙ୍କୁ ନେଇ ଆଜି ମାଟାପାକା ଗ୍ରାମରେ ଡାଲମିଆ ସିମେଣ୍ଟ ପକ୍ଷରୁ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନର ସହଯୋଗର ଏହି ଜନ ଶୁଣାଣି ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି। ଏହି ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଏଥିସହ ରାୟଗଡା ପ୍ରଦୂଷଣ ବୋର୍ଡରୁ ଶ୍ରୀ କର, ଡାଲମିଆ ସିମେଣ୍ଟ କମ୍ପାନୀର ଏକଜ୍ୟୁକୁଟିଭ ଡିରେକ୍ଟର ଏସ.କେ.ରାଉତ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଦାବି ଶୁଣିଥିଲେ।

ପ୍ରଥମେ ଡାଲମିଆ ସିମେଣ୍ଟ କମ୍ପାନିର ନିର୍ଦେଶକ ଶ୍ରୀ ରାଉତ ଏହି ଅଂଚଳ କୋତାମାଟର ଠାରେ ଏକ ସିମେଣ୍ଟ କାରଖାନା ନିର୍ମାଣ କରାଯିବା ନେଇ ରାଜ୍ୟ ସରକାରଙ୍କ ଦ୍ବାରା ସ୍ବୀକୃତୀ ପାଇଥିବା କହିଥିଲେ।ଏଠାରେ ଖଣି କ୍ଷେତ୍ର ୮୦୧ ହେକ୍ଟର  ଜାଗାରେ ଚୂନ ପଥର ଖଣି ନିର୍ମାଣ କରିବା ସହ ବାର୍ଷିକ ସମୂଦାୟ ଖନନ ୭.୬ ନିୟୁତ ଟନ୍ (ଚୂନପଥର ଉପ୍ତାଦନ କ୍ଷମତା ବାର୍ଷିକ ୩.୦ ନିୟୁତ ଟନ୍, ମୃର୍ତ୍ତିକା ବାର୍ଷିକ ୫ ନିୟୁତ ଟନ୍ ଏବଂ ବ୍ୟଜବସ୍ତୁ ବାର୍ଷିକ ୪.୧ ନିୟୁତ ଟନ୍) ସହିତ ଘଣ୍ଟା ପ୍ରତି ୧୦୦୦ ଟନ୍ କ୍ଷମତା ବିଶିଷ୍ଟ ଏକ କ୍ରସର ସ୍ଥାପନା ନିମନ୍ତେ ଜନଶୁଣାଣି କରାଯାଇଥିଲା।ତେବେ ଏହି ଜନ ଶୁଣାଣିର ପ୍ରାଥମିକ ପର୍ଯ୍ୟାୟ ହେଲା ପ୍ରଦୂଷଣ ମଞ୍ଜୁର ପାଇଁ।ଏହି ରିପୋର୍ଟ ଭାରତ ସରକାରଙ୍କ ନିକଟକୁ ଯିବ। ଏହା ପରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି କୁହାଯାଇଛି।

ସ୍ଥାନୀୟ ତିନି ପଞ୍ଚାୟତର ଲୋକେ ମଧ୍ୟ ଏହି ଜନଶୁଣାଣିରେ ନିଜ ନିଜର ପ୍ରତିକ୍ରିୟା ରଖିଥିଲେ। ଏହି ଅଂଚଳରେ କୌଣସି କାରଖାନା ନଥିବା ଯୋଗୁଁ ରୋଜଗାରର କୌଣସି ମାଧ୍ୟମ ନଥିବା କହିଥିଲେ।ଏହି ଅଂଚଳରେ ବହୁ ଶିକ୍ଷିତ ବେକାର ଯୁବକଯୁବତୀ ରହିଥିଲେ ମଧ୍ୟ କାମ ନଥିବାରୁ ବାହାର ରାଜ୍ୟକୁ ବାଧ୍ୟ ହୋଇ ଦାଦନ ଖଟିବାକୁ ଯାଉଛନ୍ତି ବୋଲି କୁହାଯାଇଥିଲା। ଏହି ତିନି ପଞ୍ଚାୟତର ଗ୍ରାମବାସୀଙ୍କ ମଧ୍ୟରୁ ଆନନ୍ଦ ସୋଡି, ବିନାୟକ ପଡିଆମି, ଇର୍ମା ମାଡକାମୀ ବିଶେଷକରି ଏହି ଅଂଚଳରେ ଯୋଗାଯୋଗର କୌଣସି ମାଧ୍ୟମ ନଥିବା ହେତୁ ତୁରନ୍ତ ଟାଵାରର ବ୍ୟବସ୍ଥା କରାଯାଉ ବୋଲି ଦାବି କରିଥିଲେ।ସେହିପରି ଶିକ୍ଷା ପାଇଁସ୍କୁଲ କଲେଜ ନଥିବାରୁ ଏହାର ସୁବିଧା କରାଯିବା ସହ ସ୍ବାସ୍ଥ୍ୟ ସେବା ପାଇଁ ଆମ୍ବୁଲେନସ ଏବଂ ହସପିଟାଲ କରିବା ପାଇଁ ଦାବି କରିଥିଲେ। ଏହି ଦୁର୍ଗମ ଅଂଚଳରେ ବିକାଶ ଧାରା ଚାଲୁ ରହିବା ପାଇଁ ଗ୍ରାମବାସୀ ନିଜର ମତ ରଖିଥିଲେ।ସମସ୍ତେ ଏକା ସ୍ବରରେ ଏଠାରେ କମ୍ପାନି ନିର୍ମାଣନେଇ ସହମତି କରିଥିଲେ।

ତେବେ ଜନଶୁଣାଣି ଯେପରି ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହେବ ସେନେଇ ପୁଲିସ ବିଭାଗ ପକ୍ଷରୁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା।ଯେଉଁଠାରେ ଜନଶୁଣାଣୀ ହେଉଥିଲା ତାର ଚାରି ଦିଗକୁ ପୁଲିସ ନିଜ ଅକ୍ତିଆରକୁ ନେଇଥିଲା।ଚାରିପଟେ ଗେଟ କରି କୌଣସି ଲୋକଙ୍କୁ ଛଡାଯାଉନଥିଲା।ଏପରିକି କିଛି ମାତ୍ର ଗଣମାଧ୍ୟମ ମାନଙ୍କର ନାମ ଥିବାରୁ ସେମାନଙ୍କୁ ହିଁ ଛଡାଯାଇଥିଲା। ଯେଉଁ ଯେଉଁ ଲୋକ ଏହି ଜନଶୁଣାଣୀରେ ଭାଗ ନେବେ ସେମାନଙ୍କୁ ଆଗରୁ ଚିହ୍ନଟ କରାଯାଇଥିଲା।ସେମାନେ ହିଁ ଏହି ଜନଶୁଣାଣିରେ ଭାଗ ନେଇଥିଲେ। ପ୍ରାୟ ୨୦ ପ୍ଲାଟୁନ ପୁଲିସ ବିଭିନ୍ନ ଜିଲ୍ଲାରୁ ମଗାଯାଇଥିଲା।କୌଣସି ଅପ୍ରତିକର ପରିସ୍ଥିତିକୁ ସାମ୍ନା କରିବା ପାଇଁ ପୁଲିସ କଡା ପହରା ଦେଉଥିଲା।ଯେଉଁମାନେ ଜନଶୁଣାଣିରେ ବିଭ୍ରାଟ କରିବା ପାଇଁ ଆସିଥିଲେ ସେମାନଙ୍କୁ ଭିତରକୁ ଛଡାଯାଇନଥିଲା। ଏସପି ନିତେଶ ଵାଧଵାନିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe