କଠୋର ଦଣ୍ଡ ଅଭାବରୁ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଉଛି, ହାଇକୋର୍ଟରେ ଜନସ୍ବାର୍ଥ ମାମଲା

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ରାଜ୍ୟରେ ହାତୀ ଅସୁରକ୍ଷିତ। ଏବେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ରହିଥିବା ଆଇନରେ ହାତୀ ବା ଅନ୍ୟ ବଣ୍ୟଜନ୍ତୁ ଶିକାର ପାଇଁ ରହିଥିବା ଦଣ୍ଡ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ। ଆସାମ ଢାଞ୍ଚାରେ ଓଡ଼ିଶାରେ ବନ୍ୟଜନ୍ତୁ ଆଇନରେ ସଂଶୋଧନ ହେବା ଆବଶ୍ୟକ ବୋଲି ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

କଟକ ମଙ୍ଗଳାବାଗ ଅଞ୍ଚଳର ଗୀତା ରାଉତଙ୍କ ତରଫରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ କିଛିବର୍ଷ ହେବ ବନ୍ୟଜନ୍ତୁ ଶିକାର ବଢି ଚାଲିଛି। ବିଶେଷକରି ହାତୀ ମୃତ୍ୟୁ ନେଇ ନିୟମିତ ଖବର ପ୍ରକାଶ ପାଉଛି। ଜଙ୍ଗଲ ଭିତରେ ହାତୀ ଶିକାର କରାଯାଉଛି, ଟ୍ରେନ୍ ଦୁର୍ଘଟଣାରେ ହାତୀ ପ୍ରାଣ ହରାଉଛନ୍ତି। ଏବେ ନିକଟରେ ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀକୁ ଗୁଳିମାଡ଼ ହୋଇଛି। ହାତୀ ଶରୀରର ୪ରୁ ୫ଟି ସ୍ଥାନରେ ଗୁଳି ବାଜିଛି। ହାତୀ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଏଥିପାଇଁ ବନ ବିଭାଗ କିନ୍ତୁ ଚିନ୍ତିତ ନାହିଁ। ସରକାର ହାତୀ ମୃତ୍ୟୁ ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କରୁ ନଥିବା ମନେହେଉଛି। ବନ୍ୟ ଜୀବନ (ସୁରକ୍ଷା )ଆଇନ,୧୯୭୨ ଅଧୀନରେ ଥିବା ଦଣ୍ଡ ବ୍ୟବସ୍ଥା ଯଦି ଅଧିକ କଠୋର ନ ହେବ ତେବେ ଏମିତି ବନ୍ୟଜନ୍ତୁ ଶିକାର ବଢି ଚାଲିଥିବ। ଆସାମରେ ଏହି ପ୍ରସଂଗକୁ ରାଜ୍ୟ ସରକାର ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ୨୦୧୦ରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ରହିଥିବା ଆଇନରେ ପରିବର୍ତ୍ତନ କରିଥିଲେ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସେହିଭଳି, ବିଗତ ୫ ବର୍ଷ ଭିତରେ ବନ୍ୟଜନ୍ତୁ ବିଶେଷ କରି ହାତୀଙ୍କ ସୁରକ୍ଷା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ କେତେ ଜଣ ଅଭିଯୁକ୍ତଙ୍କୁ ହାତୀ ଶିକାର ପାଇଁ ଗିରଫ କରାଯାଇଛି; ସେ ନେଇ ତଥ୍ୟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ମାମଲାରେ ଜଙ୍ଗଲ ଓ ପରିବେଶ ସଚିବ, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ), ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe