ଆସନ୍ତା ୩୦, ୩୧ରେ ପବ୍ଲିକ୍‌ ପ୍ରସିକ୍ୟୁଟର ଲିଖିତ ପରୀକ୍ଷା : ଏକ୍ସପ୍ଲୋସିଭ୍‌ ରୁଲ୍‌-୧୯୮୩କୁ ନେଇ ଦ୍ୱନ୍ଦ୍ୱ

Advertisment
ଆସନ୍ତା ୩୦, ୩୧ରେ ପବ୍ଲିକ୍‌ ପ୍ରସିକ୍ୟୁଟର ଲିଖିତ ପରୀକ୍ଷା : ଏକ୍ସପ୍ଲୋସିଭ୍‌ ରୁଲ୍‌-୧୯୮୩କୁ ନେଇ ଦ୍ୱନ୍ଦ୍ୱ

କଟକ : ପୂର୍ବରୁ ବାତିଲ ହୋଇଥିବା ପବ୍ଲିକ୍‌ ପ୍ରସିକ୍ୟୁଟର ଲିଖିତ ପରୀକ୍ଷା ଚଳିତ ମାସ ୩୦ ଓ ୩୧ ତାରିଖରେ ଅନୁଷ୍ଠିତ ହେବ। ଏନେଇ ଆଜି ଓପିଏସ୍‌ସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୩୦ ତାରିଖରେ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଜେନେରାଲ୍‌ ଇଂଲିଶ ଓ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ କ୍ରିମିନାଲ୍‌ ମେଜର ଆକ୍ଟ ଉପରେ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ୩୧ ତାରିଖ ସକାଳ ୧୦ଟାରେ କ୍ରିମିନାଲ୍‌ ଲ’ ଉପରେ ପରୀକ୍ଷା ହେବା ପାଇଁ ବିଜ୍ଞପ୍ତିରେ ଦର୍ଶାଯାଇଛି। ମୋଟ ୧୨ଟି ଅଣସଂରକ୍ଷିତ ପଦବି ପାଇଁ ହେଉଥିବା ଏହି ଲିଖିତ ପରୀକ୍ଷାରେ ୩୩୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ହେଲେ ପେପର୍‌-୩ କ୍ରିମିନାଲ୍‌ ଲ’ ପାଠ୍ୟକ୍ରମରେ ତ୍ରୁଟି ପାଇଁ ପୂର୍ବରୁ ବାତିଲ ହୋଇଥିବା ପରୀକ୍ଷାର ସଂଶୋଧିତ ପାଠ୍ୟକ୍ରମରେ ମଧ୍ୟ ତ୍ରୁଟି ରହିଥିବା ଜଣାପଡ଼ିଛି। ଫଳରେ ତ୍ରୁଟିଯୁକ୍ତ ପାଠ୍ୟକ୍ରମକୁ ପଢି ପ୍ରାର୍ଥୀମାନେ କିପରି ପରୀକ୍ଷା ଦେବେ ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି।

ସଂଶୋଧିତ ପାଠ୍ୟକ୍ରମରେ ଏକ୍ସପ୍ଲୋସିଭ୍‌ ନିୟମକୁ ନେଇ ଏହି ଦ୍ୱନ୍ଦ୍ୱ ଦେଖାଦେଇଛି। ପୂର୍ବରୁ ଏକ୍ସପ୍ଲୋସିଭ୍‌ ରୁଲ୍‌ ୧୯୮୩ ରହିଥିଲାବେଳେ ତାହା ସଂଶୋଧିତ ହୋଇ ୨୦୦୮କୁ ପରିବର୍ତ୍ତନ ହୋଇସାରିଲାଣି। ହେଲେ ଓପିଏସ୍‌ସି ପକ୍ଷରୁ ଜାରି ହୋଇଥିବା ସିଲାବସ୍‌ରେ ୧୯୮୩ ନିୟମ ଉଲ୍ଲେଖ ରହିଛି। ତେଣୁ ପରୀକ୍ଷାରେ ବିଭ୍ରାଟ ହେବା ଆଶଙ୍କା ଦେଖାଦେଇଛି। ଏ ସଂକ୍ରାନ୍ତରେ ଗତ ଏପ୍ରିଲ ମାସରେ ଗୃହ ସଚିବ ଓ ଓପିଏସ୍‌ସି କର୍ତ୍ତୃପକ୍ଷଙ୍କୁ ଆଇନ୍‌ଜୀବୀ ସୁରଭି ମହାନ୍ତି ଅଭିଯୋଗ କରିଥିଲେ। ହେଲେ ଏହାକୁ ଦୃଷ୍ଟି ଦିଆନଯାଇ କେବଳ ପୂର୍ବରୁ ଦର୍ଶାଯାଇଥିବା ତ୍ରୁଟିକୁ ସଂଶୋଧିତ କରାଯାଇ ପାଠ୍ୟକ୍ରମ ପ୍ରକାଶ କରାଯାଇଥିଲା। ପୂର୍ବରୁ ପ୍ରକାଶ ପାଇଥିବା ନିଯୁକ୍ତି ବିଜ୍ଞପ୍ତିରେ ଆର୍ମ୍ସ ଆକ୍ଟ ୧୯୫୦ ଓ ରୁଲ୍‌ ୧୯୫୪, ଜୁଭେନାଇଲ୍‌ ଜଷ୍ଟିସ୍‌ (କେୟାର ଆଣ୍ଡ ପ୍ରୋଟେକ୍ସନ୍‌ ଅଫ୍‌ ଚାଇଲ୍ଡ) ଆକ୍ଟ ୨୦୦୦ ଓ ରୁଲ୍‌ ୨୦୦୭ ଏବଂ ଦି ବିହାର ଆଣ୍ଡ ଓଡ଼ିଶା ଏକ୍ସସାଇଜ୍‌ ଆକ୍ଟ,୨୦୦୬ କୁ ପାଠ୍ୟକ୍ରମରେ ସ୍ଥାନ ଦିଆଯାଇଥିଲା। ହେଲେ ଏଗୁଡ଼ିକ ପରିବର୍ତ୍ତନ ହୋଇସାରିଥିବାରୁ ଏସଂକ୍ରାନ୍ତରେ ଗତବର୍ଷ ଅଭିଯୋଗ ହୋଇଥିଲା। ପରେ ଉକ୍ତ ତ୍ରୁଟିଗୁଡ଼ିକ ସଂଶୋଧନ କରାଯାଇ ପାଠ୍ୟକ୍ରମରେ ଆର୍ମ୍ସ ରୁଲ୍‌ ୧୯୫୯, ଜୁଭେନାଇଲ୍‌ ଜଷ୍ଟିସ୍‌ର ଚାଇଲ୍ଡ ସ୍ଥାନରେ ଚିଲ୍‌ଡ୍ରେନ୍ସ ଏବଂ ଏକ୍ସସାଇଜ୍‌ ଆକ୍ଟକୁ ଓଡ଼ିଶା ଏକ୍ସସାଇଜ୍‌ ଆକ୍ଟ ୨୦୦୮କୁ ସଂଶୋଧିତ କରାଯାଇଛି। ଏହାସତ୍ତ୍ୱେ ଏକ୍ସପ୍ଲୋସିଭ୍‌ ରୁଲ୍‌ରେ କାହିଁକି ସଂଶୋଧିତ ରୁଲ୍‌କୁ ପାଠ୍ୟକ୍ରମରେ ସ୍ଥାନ ଦିଆଗଲାନାହିଁ ବୋଲି ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ମାତ୍ର ୧୧ଦିନ ବ୍ୟବଧାନରେ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବାକୁ ନେଇ ମଧ୍ୟ ଆପତ୍ତି ଉଠିଛି।

ଓଡ଼ିଶା ରାଜ୍ୟ ପ୍ରସିକ୍ୟୁସନ୍‌ ସର୍ଭିସ୍‌ ନିୟମ ଅଧିନରେ ଗ୍ରୁପ୍‌ ଏ’ ପାହ୍ୟାର ପବ୍ଲିକ୍‌ ପ୍ରସିକ୍ୟୁଟରର ୧୨ଟି ଅଣସଂରକ୍ଷିତ ପଦବି ପାଇଁ ୨୦୧୬ ଅକ୍ଟୋବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ବର୍ଷ ନଭେମ୍ବର ୨୬ ତାରିଖ ସୁଦ୍ଧା ଆବେଦନପତ୍ର ଗ୍ରହଣ କରଯାଇଥିଲା। ଲିଖିତ ପରୀକ୍ଷା ଓ ସାକ୍ଷାତକାର ପରେ ନିଯୁକ୍ତି ମିଳିବ ବୋଲି ବିଜ୍ଞପ୍ତିରେ ଦର୍ଶଯାଇଥିଲା। ପରେ ୨୦୧୭ ଏପ୍ରିଲ୍‌ ୨୪ ତାରିଖରେ ଉକ୍ତ ପଦବି ପାଇଁ ଲିଖିତ ପରୀକ୍ଷା ଜୁନ୍‌ ୫ ଓ ୬ ତାରିଖରେ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ୩୩୫ଜଣ ପ୍ରାର୍ଥୀଙ୍କୁ ସିଡିଏ ସେକ୍ଟର-୬ସ୍ଥିତ ଡିଏଭି ପବ୍ଲିକ୍‌ ସ୍କୁଲ୍‌ରେ ପରୀକ୍ଷା ଦେବା ପାଇଁ ଓପିଏସ୍‌ସି େଓ୍ଵବ୍‌ସାଇଟ୍‌ ଜରିଆରେ ଜଣାଇଦିଆଯାଇଥିଲା। ହେଲେ ୨୦୧୭ ଜୁନ୍‌ ୩ ତାରିଖରେ ଲିଖିତ ପରୀକ୍ଷା ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରଖାଯାଇଥିବା ଜଣାଯାଇଥିଲା। ତେବେ ପରୀକ୍ଷା ପାଇଁ ତାଲିକାଭୁକ୍ତ ହୋଇଥିବା ୩୫ଜଣଙ୍କ ଆବେଦନ ପତ୍ରରେ ତ୍ରୁଟି ଥିବା ଜଣାପଡ଼ିବାରୁ ସେଗୁଡ଼ିକୁ ଅଗଷ୍ଟ ୧୧ ତାରିଖ ସୁଦ୍ଧା ସଂଶୋଧନ କରିବାକୁ ଜୁଲାଇ ୨୬ ତାରିଖରେ ବିଜ୍ଞପ୍ତି ଜରିଆରେ ଜଣାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe