ଅଶୋକା ବିଲ୍ଡକନ୍ ବିରୋଧରେ ଜନଅସନ୍ତୋଷ

Advertisment
ଟୋଲ୍‌ ପ୍ଲାଜା ସୁପରଭାଇଜର୍‌ ପିନ୍ଧିବେ ବଡି କ୍ୟାମେରା

TravelFare.In

ବରଗଡ଼ : ସମ୍ବଲପୁର-ଲୁହୁରାଚଟି ୫୩ ଜାତୀୟ ରାଜପଥ ନିର୍ମାଣ ଦାୟିତ୍ବରେ ଥିବା ଅଶୋକା ବିଲ୍‌ଡକନ୍‌ ବିରୋଧରେ ଜନଅସନ୍ତୋଷ ଦେଖାଦେଇଛି। ଗୁରୁବାର ବରାହଗୋଡ଼ା ଅଶୋକା ଟୋଲପ୍ଲାଜାଠାରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବା ସହ ସମସ୍ତ ଯାନବାହନ ଟୋଲ ମୁକ୍ତ କରାଯାଇଥିଲା।

ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ନିମ୍ନମାନର ତଥା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ସତ୍ତ୍ବେ ଟୋଲ ଆଦାୟ କରିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ହେଁ ନିର୍ମାଣକାରୀ ସଂସ୍ଥା ଅଶୋକା ବିଲ୍ଡକନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉନାହିଁ। ଫଳରେ ଗୁରୁବାର ଦିନ ଜିଲ୍ଲା ଓକିଲ ସଂଘ ପକ୍ଷରୁ  ଆନ୍ଦୋଳନ କରାଯାଇଥିଲା। ଅପରପକ୍ଷେ ଏନ୍‌ଏଚ୍‌ଏଆଇ କର୍ତୃପକ୍ଷ ଘଟଣାସ୍ଥଳକୁ ପହଂଚି ଓକିଲ ସଂଘ ସହ ଆଲୋଚନା କରିଥିଲେ। ଓକିଲ ସଂଘ ପକ୍ଷରୁ ଏହି ବେଆଇନ ଭାବେ ନିଆଯାଉଥିବା ଟୋଲ ଆଦାୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଆଦେଶପତ୍ର ମଗାଯିବା ସହ ଆଇଆଇଟି ଖଡ଼ଗପୁରର ବିଶେଷଜ୍ଞ ଦଳ, ଏନ୍ଏଚଏଆଇ କର୍ତୃପକ୍ଷ, ଜିଲ୍ଲା ଓକିଲ ସଂଘ, ଆଶୋକା ବିଲ୍ଡକନ ମଧ୍ୟରେ ଜନସାଧାରଣଙ୍କ ବିଭିନ୍ନ ଦାବି ନେଇ ହୋଇଥିବା ବୁଝାମଣା ପତ୍ର ଉପସ୍ଥାପନା କରାଯାଉ ବୋଲି ଦାବି ହୋଇଥିଲା। ଏନ୍‌ଏଚ୍‌ଏଆଇ କର୍ତୃପକ୍ଷ କାଗଜାତପତ୍ର ଦେଖାଇବାରେ ଅସମର୍ଥ ହେବାରୁ ଆଲୋଚନା ବିଫଳ ହୋଇଥିଲା ଫଳରେ ବର୍ତମାନ ମଧ୍ୟ ଟୋଲପ୍ଲାଜା ଖୋଲା ରହିବା ସହ ଟୋଲ ନ ଦେଇ ଅବାଧରେ ଯାନବାହାନ ଯାତାୟତ କରୁଛନ୍ତି।

ଅଶୋକା ବିଲ୍‌ଡକନ ଟୋଲ ଆଦାୟ ଯେବେଠୁ ଆରମ୍ଭ କଲାଣି ସେହି ଦିନଠାରୁ ଏହି ରାସ୍ତାର ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଯେଭଳି କି ବିଭିନ୍ନ ସ୍ଥାନରେ ଅଣ୍ଡର ପାସ କରିବା, ସ୍ଲିପ୍‌ ରୋଡ୍‌ ଓ ସର୍ଭିସ୍ ରୋଡ୍‌ କରିବା, ଲାଇଟ୍‌ର ବ୍ୟବସ୍ଥା ନ କରି ଟୋଲ ଆଦାୟ ଆରମ୍ଭ କରାଯାଇଥିଲା। ସେତେବେଳେ ମଧ୍ୟ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଆଜି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଅଶୋକା ବିଲ୍ଡକନ ବିରୋଧରେ ଆନ୍ଦୋଳନ ଡାକରା ଦେବା ସହ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଟୋଲ ଆଦାୟ ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଛି। ଠିକା ସଂସ୍ଥା ତୁରନ୍ତ ଲୁହୁରାଚଟିରୁ -ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତା ମରାମତି କରିବା ସହ ରାସ୍ତାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା କରିବାକୁ ଦାବି କରାଯାଇଥିଲା। ସେହିପରି ବାଜପେୟୀ ଛକ (ବିକାଶ ସ୍କୁଲ) ଏବଂ ଘୁଲିପାଲି ଛକରେ ଭାରୀ ଯାନବାହାନ ଯାତାୟାତ ପାଇଁ ଅଣ୍ଡରପାସ, ହଳଦୀପାଲି ଛକକୁ ଗୋଲେଇ ଛକ କରାଯିବା, ଭଟଲି ରୋଡ଼ ପାଇଁ ସ୍ଲିପ୍ ରୋଡ ବ୍ୟବସ୍ଥା କରିବା, ଜିଲ୍ଲାର ସମସ୍ତ ଯାନବାହାନକୁ ଦେୟ ମୁକ୍ତ କରିବା, ଅତାବିରା, ରେଙ୍ଗାଲିକ୍ୟାମ୍ପରେ ଓ ଅନ୍ୟାନ୍ୟ ସ୍ଥାନରେ ପାର୍ଶ୍ୱରାସ୍ତା ନିର୍ମାଣ କରିବା ଆଦି ଦାବି ନେଇ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା।

ଓକିଲ ସଂଘର କର୍ମକର୍ତାମାନେ ବରାହଗୋଡ଼ାସ୍ଥିତ ଟୋଲପ୍ଲାଜାରେ ପହଂଚି ଉକ୍ତ ରାସ୍ତାରେ ଯାତାୟତ କରୁଥିବା ଯାନବାହାନକୁ ଟୋଲ ମୁକ୍ତ କରିଦେବା ସହ ଠିକା ସଂସ୍ଥା ବିରୋଧରେ ସ୍ଲୋଗାନ ଦେଇଥିଲେ। ଏଥିସହ ନିକଟସ୍ଥ ପଞ୍ଚାୟତ ରାସ୍ତାରେ ଯାନବାହାନଠାରୁ ବେଆଇନ ଭାବରେ ଟୋଲ ଆଦାୟ କରାଯାଉଥିବାରୁ ତାକୁ ମଧ୍ୟ ଆଇନଜୀବୀମାନେ ଯାଇ ବନ୍ଦ କରିଥିଲେ। ଆସନ୍ତାକାଲି ଓକିଲ ସଂଘ ତରଫରୁ ପୁର୍ନବାର ବୈଠକ ପରେ ପରବର୍ତୀ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଛି। ଜିଲା ଓକିଲ ସଂଘ ସଭାପତି ଚନ୍ଦ୍ରଧ୍ୱଜ ଜାଲ, ସଂପାଦକ ହରିହର ପ୍ରଧାନଙ୍କ ସମେତ ବହୁ ଆଇନଜୀବୀ ଆନ୍ଦୋଳନରେ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe