ଭୁବନେଶ୍ବର: ଆକ୍ସନ ମୋଡରେ ନିର୍ବାଚନ କମିଶନ। ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବାରୁ ଲୋକସମ୍ପର୍କ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ନିର୍ବାଚନ କମିଶନ। ନିର୍ବାଚନର କିଛି ଦିନ ପୂର୍ବରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

Advertisment

ନିଲମ୍ବନ ଅବଧି ମଧ୍ୟରେ ରାଜ୍ୟ ମୁଖ୍ୟାଳୟରେ ରହିବେ ତନୁଜା

ସୂଚନା ମୁତାବକ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ନିଲମ୍ବିତ ହୋଇଥିବା ଲୋକସମ୍ପର୍କ ଅଧିକାରୀଜଣଙ୍କ ହେଉଛନ୍ତି ତନୁଜା ମହାନ୍ତି। ନିଲମ୍ବିତ ହେବା ପ‌ରେ ଏବେ ଲୋକ ସମ୍ପର୍କ ଅଧିକାରୀ ତନୁଜା ମହାନ୍ତି ରାଜ୍ୟ ମୁଖ୍ୟାଳୟ ଭୁବନେଶ୍ବରରେ ରହିବେ। ନିଲମ୍ବନ ଅବଧି ମଧ୍ୟରେ ତାଙ୍କୁ ଏଠାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନଭେମ୍ବର ୧୧ରେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଉପ-ନିର୍ବାଚନ ହେବ। ଏଥିପାଇଁ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି। କେହି ଏହାକୁ ଉଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଥିଲେ ନିର୍ବାଚନ କମିସନ। ଏହା ସତ୍ତ୍ବେ ବି ଲୋକସମ୍ପର୍କ ଅଧିକାରୀ ତନୁଜା ମହାନ୍ତି ନିୟମ ଉଲଂଘନ କରିଥିବା ହେତୁ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି। ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡିବେ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ଏହା ସହ ସେ ପ୍ରତିଦିନ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକଙ୍କ ସମ୍ମୁଖରେ ରିପୋର୍ଟ କରିବେ।

ଉଲ୍ଲେଖଯୋଗ୍ୟ, ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା ଆଦର୍ଶ ଆଚରଣ ସଂହିତା ଉଲଂଘନ ଏବଂ ନୂଆପଡା ବିଧାନସଭା ଉପନିର୍ବାଚନ ସମୟରେ ସରକାରୀ କଳର ଅପବ୍ୟବହାର ସମ୍ପର୍କରେ ପିସିସି ପକ୍ଷରୁ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତଥ୍ୟ ପ୍ରମାଣ ସହିତ ଏକ ଦାବିପତ୍ର ଦେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିର୍ବାଚନ ସମୟରେ ନୂଆପଡାକୁ ଏକ ରାଜନୈତିକ ପ୍ରଚାର ଗସ୍ତ କରୁଛନ୍ତି ଏବଂ ସାର୍ବଜନୀନ ଭାବରେ ସାମାଜିକ ଗଣମାଧ୍ୟମରେ ପ୍ରଚାର କରୁଛନ୍ତି। ଆହୁରି ଚିନ୍ତାର ବିଷୟ ହେଉଛି ଯେ, ଏହି ରାଜନୈତିକ ପ୍ରଚାର ଓଡ଼ିଶା ସରକାରଙ୍କ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ସରକାରୀ ମିଡିଆ ସେଲ୍ ହ୍ୱାଟସଆପ୍ ମାଧ୍ୟମରେ ଲୋକସମ୍ପର୍କ ଅଧିକାରୀ ତନୁଜା ମହାନ୍ତି ପୋଷ୍ଟ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଏହି ଅଭିଯୋଗ ପରେ ତଦନ୍ତ କରାଯାଇ ତନୁଜାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: CM Mohan Charan Majhi Surprise Visit: ଅଚାନକ ରାଜୀବ ଭବନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜଳ ସମ୍ପଦର ସମୀକ୍ଷା କଲେ

ଆହୁରି ପଢ଼ନ୍ତୁ: Modi Target Congress: କଂଗ୍ରେସର ଭୁଲ ଯୋଗୁଁ ପାକିସ୍ତାନ ହାତକୁ ଚାଲିଯାଇଥିଲା ଜମ୍ମୁକାଶ୍ମୀରର କିଛି ଅଂଶ: ମୋଦୀ