ଏମ୍‌ଆର ଟିକା ପାଇଁ ଘୁଞ୍ଚିଲା ପୋଲିଓ ସେବନ

ଏମ୍‌ଆର ଟିକା ପାଇଁ ଘୁଞ୍ଚିଲା ପୋଲିଓ ସେବନ

ଭୁବନେଶ୍ୱର : ରାଜ୍ୟରେ ଚାଲିଥିବା ମିଜିଲ୍‌ସ ରୁବେଲା ଟିକାକରଣ ପାଇଁ ପୋଲିଓ ବୁନ୍ଦା ସେବନକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଚଳିତମାସ ୧୦ତାରିଖରେ ହେବାକୁ ଥିବା ଜାତୀୟ କୃମିନାଶକ ଦିବସ ଭଳି ଏହାକୁ ମଧ୍ୟ ଏପ୍ରିଲ ଓ ମେ ମାସରେ ୩ ଦିନ ପାଇଁ ପ୍ରଦାନ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅନୁମତି ପ୍ରଦାନ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତମାସ ୨୯ତାରିଖରୁ ରାଜ୍ୟରେ ମିଜିଲ୍‌ସ ରୁବେଲା ଟିକାକରଣ ଚାଲିଛି। ଏହା ଆସନ୍ତା ମାର୍ଚ ମାସ ପର୍ଯ୍ୟନ୍ତ ଚାଲିବ। ଏହାକୁ ନଜରରେ ରଖି ରାଜ୍ୟରେ ଜାନୁଆରି ଓ ମାର୍ଚ ମାସରେ ହେବାକୁ ଥିବା ୨ ପର୍ଯ୍ୟାୟ ବିଶିଷ୍ଟ ପୋଲିଓ ବୁନ୍ଦା କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଛି। ଜାତୀୟ ସ୍ତରରେ ଜାନୁଆରି ୨୮ତାରିଖରେ ପ୍ରଥମ ପର୍ଯ୍ୟାୟ ପୋଲିଓ ବୁନ୍ଦା କାର୍ଯ୍ୟକ୍ରମ ରହିଥିବା ବେଳେ ଏହାକୁ ଆସନ୍ତା ଏପ୍ରିଲ ମାସର ୧୫, ୧୬ ଓ ୧୭ତାରିଖରେ ଅନୁଷ୍ଠିତ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପୋଲିଓ ବୁନ୍ଦା ଜାତୀୟ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ଓଡ଼ିଶାରେ ମେ ମାସ ୨୦, ୨୧ ଓ ୨୨ତାରିଖରେ ପିଲାଙ୍କୁ ବୁନ୍ଦା ଦିଆଯିବ। ୦-୫ବର୍ଷର ପିଲାଙ୍କୁ ପୋଲିଓ ବୁନ୍ଦା ଦିଆଯିବ।

ପ୍ରଥମ ଦିନର ବୁନ୍ଦା ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯିବାକୁ ଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଦିନରେ ଏଏନ୍‌ଏମ୍‌ ଓ ଆଶା କର୍ମୀ ଘରକୁ ଘର ବୁଲି ଶିଶୁଙ୍କୁ ବୁନ୍ଦା ପ୍ରଦାନ କରିବେ। ପୋଲିଓ ବୁନ୍ଦା ପ୍ରଦାନ ପାଇଁ ନିକଟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି। ତେବେ ରାଜ୍ୟରେ କେତେ ପିଲାଙ୍କୁ ଏହି ଟିକା ଦିଆଯିବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଜିଲ୍ଲାସ୍ତରରେ ଏହାର ମାଇକ୍ରୋ ପ୍ଲାନିଂ କରାଯିବା ପରେ ଶିଶୁଙ୍କ କଥା ସ୍ପଷ୍ଟ ହୋଇପାରିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଚଳିତମାସ ୧୦ତାରିଖରେ ହେବାକୁ ଥିବା ଜାତୀୟ କୃମିନାଶକ ଦିବସକୁ ଆସନ୍ତା ଏପ୍ରିଲ ମାସ ୪ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପ୍ରଥମ ଥର ପାଇଁ ରାଜ୍ୟରେ ଏମ୍‌ଆର ଟିକାକରଣ କରାଯାଉଥିବାରୁ ଏହି ସମୟରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଏପ୍ରିଲ ମାସ ପରବର୍ତୀ ସମୟକୁ ଘୁଞ୍ଚାଇ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe