ରାସ୍ତା ପାର୍ଶ୍ବରେ କଖାରୁ ପାହାଡ଼, ଚାଷୀ ଅଭାବୀ ବିକ୍ରିର ଶିକାର

Advertisment
ରାସ୍ତା ପାର୍ଶ୍ବରେ କଖାରୁ ପାହାଡ଼, ଚାଷୀ ଅଭାବୀ ବିକ୍ରିର ଶିକାର

ବ୍ରଜରାଜନଗର : ରାସ୍ତା କଡ଼ରେ ଗଦା ହୋଇଛି କଖାରୁ ପାହାଡ଼। କେଜି ୨ଟଙ୍କାରେ ବି ବେପାରୀ କିଣିବାକୁ ନାରାଜ। ଏପଟେ ଚାଷୀ ପ୍ରଚୁର କଖାରୁ ଉତ୍ପାଦନ କରିଥିଲେ ହେଁ ଏତେ କମ୍‌ ମୂଲ୍ୟରେ ବିକ୍ରି କରିବାକୁ ମନ ବଳାଉ ନାହାନ୍ତି। ଫଳରେ କୁଇଣ୍ଟାଲ୍‌ କୁଇଣ୍ଟାଲ୍‌ କଖାରୁ ବିଲରେ ଏବଂ ରାସ୍ତା କଡ଼ରେ ପଡ଼ି ପଡ଼ି ନଷ୍ଟ ହେଉଛି। କରୋନା ଯୋଗୁଁ ଜାରି ହୋଇଥିବା ଏହି କଟକଣା ଚାଷୀଙ୍କୁ ସର୍ବସ୍ବାନ୍ତ କରି ଦେଇଛି। ଲକ୍ଷେ ଲକ୍ଷେ ଟଙ୍କା ଆୟ କରିବାର ଆଶା ରଖିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଲଖନପୁର ବ୍ଲକ୍‌ ମହାନଦୀ ବୁଡ଼ି ଅଞ୍ଚଳର ପଳସଦା ପଞ୍ଚାୟତ ପଳସଦା, ଝାରୁପଡା, ନଚେନମୁରା ଗ୍ରାମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଚାଷୀମାନେ ଶହ ଶହ ଏକର ଜମିରେ ପନି ପରିବା ଚାଷ କରିଥାନ୍ତି। ବିଶେଷ ଭାବେ ଏଠାରେ  କଖାରୁ, ତରଭୁଜ, ଜହ୍ନି, ଧୁଡୁକା ଓ କଲରା ଆଦି ବିଶେଷ ଭାବେ ହୋଇଥାଏ। ଏହିସବୁ ଗ୍ରାମରୁ କଟକ, ରାଉରକେଲା, ବରଗଡ଼ ଆଦି ଅଞ୍ଚଳକୁ ଉତ୍ପାଦିତ ପରିବା ଯାଇଥାଏ। କିଛି ବେପାରୀ ଛତିଶଗଡ଼ରୁ ମଧ୍ୟ ଆସିଥାନ୍ତି। ଯଦି କଖାରୁ କେଜି ୫ରୁ ୬ ଟଙ୍କାରେ ବିକ୍ରି ହୁଅନ୍ତା ତେବେ ଚାଷୀକୁ ସେମାନଙ୍କ ମୂଳ ଖର୍ଚ୍ଚ ଯାଇ କିଛି ଲାଭ ପାଇ ପାର‌ନ୍ତେ। ମାତ୍ର ବେପାରୀ ସେତିକି ମୂଲ୍ୟ ଦେବାକୁ ମଧ୍ୟ ରାଜି ନୁହନ୍ତି। ଏବେ କରୋନା କଟକଣା ପାଇଁ ମଣ୍ଡି ବନ୍ଦ ରହିଛି। ହାଟ ବି ବନ୍ଦ। ବାହାର ବେପାରୀ ଆସୁ ନଥିବାରୁ କଖାରୁ ବିକ୍ରି ହେଉ ନାହିଁ। ନିଜେ ହାଟକୁ ନେଇ ବିକ୍ରି କରିବା ବି ସମ୍ଭବ ହେଉ ନାହିଁ। ଝାରସୁଗୁଡା ଓ ବ୍ରଜରାଜନଗର ବଜାରରେ କଖାରୁର ମୂଲ୍ୟ କିଲୋ ପ୍ରତି ୨୦ ଟଙ୍କା ରହୁଥିବା ବେଳେ ବେପାରୀ ମାତ୍ର ସର୍ବାଧିକ ୨ ଟଙ୍କା ଦେଉଛନ୍ତି। ସେହିପରି ଲାଉ ଗୋଟା ବଜାରରେ ୧୦ ଟଙ୍କା ଥିବା ସମୟରେ ଚାଷୀମାନଙ୍କଠାରୁ ଦେଢ଼ରୁ ୨ ଟଙ୍କା ଦେଉଛନ୍ତି। କଲରା କିଲୋ ପ୍ରତି ୭ ଟଙ୍କାରେ ଚାଷୀମାନେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଜହ୍ନି ଓ ଧୁଡୁକା ବିଲରେ ପଚୁଛି। ତରଭୁଜ କିଲୋ ପ୍ରତି ୨ଟଙ୍କା ରହିଛି। ବର୍ଷା ଯୋଗୁଁ ତାହା ଏବେ ବିଲରେ ନଷ୍ଟ ହେଉଛି।

ଏନେଇ  ଝାରୁପଡାର ଚାଷୀ ଗୋପାଳ ଭୋଇଙ୍କୁ ପଚରିବାରୁ ପ୍ରବଳ ବର୍ଷା ଯୋଗୁଁ ତରଭୁଜ କିଆରିରେ ନଷ୍ଟ ହେଉଛି ବୋଲି କହିଛନ୍ତି। ଏବେ ଜମିକୁ ଟ୍ରାକ୍ଟର ଗଲେ ୧୫୦୦ ଟଙ୍କାରୁ କମ ଖର୍ଚ୍ଚ ହେବନି। ସେଥିରେ ତୋଳିବା ପାଇଁ ମଜୁରୀ ଦେବାକୁ ପଡିବ। ବିକ୍ରି ହେଲେ ଅତି ବେଶିରେ ୩ ହଜାର ଟଙ୍କା ମିଳିବ। ଏଥିରେ ଚାଷୀର କ୍ଷତି ହେବ ବୋଲି ପ୍ରକାଶ କରିଥିଲେ। ଏକ ଏକର ଜମିରେ ତରଭୁଜ ଚାଷ କଲେ ମଞ୍ଜି ପାଇଁ ୨୫୦୦ଟଙ୍କା, ସାର ୧୩୦୦ ଟଙ୍କା ଓ ମଜୁରୀ ଲଗାଇବା ଆଦି ବାବଦରେ ୩ ହଜାର ଟଙ୍କା ଲାଗୁଚି। ଏଭଳି ପରିସ୍ଥିତିରେ ଚାଷୀ କିପରି ମୂଳ ଖର୍ଚ୍ଚ ଉଠାଇବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏବେ ବୁଡ଼ି ଅଞ୍ଚଳରେ ଚାଷ କରୁଥିବା ଚାଷୀ କଖାରୁକୁ ଗାଁ ଦାଣ୍ଡ, ରାସ୍ତା କଡ଼ରେ ରଖି ବେପାରୀଙ୍କୁ ଅପେକ୍ଷା କରିଛନ୍ତି।

ଦିନ ଥିଲା ବେପାରୀ ଚାଷୀଙ୍କୁ ଖୋସାମତ କରୁଥିଲେ, ଏବେ ବାହାରୁ ବେପାରୀ ଆସୁ ନଥିବାରୁ ଚାଷୀ ଆଖପାଖର ବେପାରୀଙ୍କୁ ଖୋସାମତ କରିବାକୁ ପଡ଼ୁଛି ବୋଲି ଚାଷୀ ବିଷ୍ଣୁ ସାହୁ କହିଛନ୍ତି। ଲଖନପୁର ବ୍ଲକ ଅଞ୍ଚଳରେ ଏବେ ଚାଷୀଙ୍କ ଆବଶ୍ୟକତାକୁ ନେଇ ଶୀତଳ ଭଣ୍ଡାର ଓ ମଣ୍ଡିର ଆବଶ୍ୟକତା ରହିଛି। ଏଭଳି ଅସମୟରେ ଚାଷୀ ଆବଶ୍ୟକ କଲେ ତାର ଫସଲ ସାଇତି ରଖି ପାରିବ। ମାର୍କେଟର ଆବଶ୍ୟକତାକୁ ଦେଖି ବିକ୍ରି କରି ଭଲ ଦୁଇ ପଇସା ପାଇବାରେ ସକ୍ଷମ ହେବ। ଗାଁ ଗଣ୍ଡାରେ କଟକଣା ଅଧିକ। କରୋନା ମୃତ୍ୟୁ ମଧ୍ୟ ଏବେ ସମସ୍ତଙ୍କୁ ଡରାଇ ଦେଇଛି। ଜୀବନ ଆଗ ଓ ଜୀବିକା ପଛ ବୋଲି କହିଛନ୍ତି ଚାଷୀ ଗୋବିନ୍ଦ ସା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe