ପୁନଶ୍ଚ ପୃଥିବୀ: ବୈତରଣୀ ନଦୀଶଯ୍ୟା ଏବେ ଚାରଣଭୂଇଁ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତ୍ୟୁଫାଶ!

Advertisment

ବିକାଶ ନାମରେ ପୋତାଯାଉଛି ଜଳଧାରା, ନଦୀପଠା

ବିକାଶ ନାମରେ ପୋତାଯାଉଛି ଜଳଧାରା, ନଦୀପଠା

ପୁନଶ୍ଚ ପୃଥିବୀ: ବୈତରଣୀ ନଦୀଶଯ୍ୟା ଏବେ ଚାରଣଭୂଇଁ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତ୍ୟୁଫାଶ!

ଯାଜପୁରସଦର: ବୈତରଣୀ ବିରୋଧରେ ହୋଇଛି ବଡ଼ ଷଡ଼୍‌ଯନ୍ତ୍ର। କେନ୍ଦୁଝର ଜିଲ୍ଲାରେ ଶିଳ୍ପ ଓ ଖଣିଜ ପରିବହନ ପାଇଁ ବୈତରଣୀ ଶୁଖିଯାଉଥିବା ବେଳେ ଯାଜପୁର ଜିଲ୍ଲାରେ ବିକାଶ ନାମରେ ପ୍ରାକୃତିକ ଜଳଧାରାକୁ ପୋତି ଦିଆଯାଉଛି। ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବି ନଦୀର ଗତିପଥକୁ କୃତ୍ରିମ ଭାବେ ବଦଳାଇ ଦିଆଯାଇଛି। ଏଥିସହିତ, ଯାଜପୁରରେ ବାଲି ମାଫିଆ ବୈତରଣୀ ନଦୀଗର୍ଭକୁ ଖାଲି କରି ଚାଲିଥିବାରୁ ଏହା ଅନେକ ସ୍ଥାନରେ ଚାରଣଭୂଇଁ ପାଲଟି ଗଲାଣି। ଯାହାଫଳରେ ‘ଓଡ଼ିଶାର ଗଙ୍ଗା’ କୁହାଯାଉଥିବା ବୈତରଣୀ ଏବେ ବିନାଶ ମୁହାଁ। ବୈତରଣୀ ସୁରକ୍ଷା ପାଇଁ ବେଳ ଥାଉଣୁ ପଦକ୍ଷେପ ନିଆନଗଲେ ଏହା କେବଳ ଇତିହାସ ହୋଇ ରହିଯିବ।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଗୋନାସିକରୁ ବାହାରି କେନ୍ଦୁଝର, ଯାଜପୁର ଏବଂ ଭଦ୍ରକ ଜିଲ୍ଲାର ୩୪୪ କିଲୋମିଟର ପଥ ଅତିକ୍ରମ କରି ପବିତ୍ର ବୈତରଣୀ ନଦୀ ସମୁଦ୍ରରେ ମିଶିଛି। ବୈତରଣୀକୁ କେନ୍ଦୁଝର ଜିଲ୍ଲାରେ ‘ଜୀବନ ରେଖା’ ବୋଲି କୁହାଯାଇଥାଏ। ମାତ୍ର, ଜିଲ୍ଲାର ଶିଳ୍ପସଂସ୍ଥା ପାଇଁ ଏହା ଏବେ ବିପଦରେ ପଡ଼ିଛି। ଅଭିଯୋଗ ଅନୁସାରେ, ବୈତରଣୀ ଜଳକୁ କୃଷି ଏବଂ ପାନୀୟ ଜଳ ପାଇଁ ବ୍ୟବହାର ବଦଳରେ ଶିଳ୍ପସଂସ୍ଥାକୁ ଟେକିଦିଆଯାଇଛି। ବୈତରଣୀ ନଦୀଗର୍ଭରେ ଇଣ୍ଟେକ୍‌ ୱେଲ୍‌ ଖୋଳି ଶିଳ୍ପସଂସ୍ଥା ମନଇଚ୍ଛା ପାଣି ଶୋଷୁଥିଲେ। ଏହାପରେ ଖଣିଜ ପରିବହନ ପାଇଁ ଗୋଟିଏ ଦୁଇଟି ସଂସ୍ଥା ସ୍ଲରି ପାଇପ୍‌ଲାଇନ୍‌ ବିଛାଇ ଏହାର ଜଳ ବ୍ୟବହାର କରିଚାଲିଛନ୍ତି। ପରେପରେ ଅନ୍ୟ କଂପାନି ମଧ୍ୟ ସମାନ ରାସ୍ତା ଧରିଛନ୍ତି। ଆଉ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତାରୁ ବୈତରଣୀ ବର୍ଷର ପ୍ରାୟ ୭ ମାସ ଶୁଖିଲା ରହୁଛି।

ଯାଜପୁର ଜିଲ୍ଲାରେ ମଧ୍ୟ ବୈତରଣୀ ବିରୋଧରେ ଷଡ଼୍‌ଯନ୍ତ୍ର ରଚାଯାଇଛି। ଯାଜପୁରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବୈତରଣୀରେ ମିଶିଥିବା ପ୍ରାକୃତିକ ଜଳଧାରକୁ ପୋତିଦିଆଯାଉଛି। ଅନେକ ସ୍ଥାନରେ ନଦୀପଠାକୁ ପୋତି କଂକ୍ରିଟ୍‌ ଜଙ୍ଗଲ ସୃଷ୍ଟି କରାଯାଉଛି। ସବୁଠୁ ବଡ଼କଥା ହେଉଛି ଏହି ଜଳସ୍ରୋତକୁ ପୋତିବା ପାଇଁ ସେହି ବୈତରଣୀର ବାଲିକୁ ବ୍ୟବହାର କରାଯାଉଛି। ନଦୀଶଯ୍ୟାରୁ ଲକ୍ଷଲକ୍ଷ ଘନଫୁଟ ବାଲି ଉଠାଯାଇ ଖାଲ ପୋତାଯିବା ସହ ଜିଲ୍ଲା ବାହାରକୁ ଅହରହ ଚାଲାଣ କରାଯାଉଛି। ବେଧଡ଼କ ବାଲି ଚାଲାଣ ପ୍ରଶାସନର ନାକ ତଳେ ଚାଲିଥିଲେ ମଧ୍ୟ ଏହାକୁ ରୋକିବା ପାଇଁ କୌଣସି ପଦକ୍ଷେପ ନିଆଯାଉନି।

ପ୍ରଭାବଶାଳୀ ଗୋଷ୍ଠୀର ଷଡ଼୍‌ଯନ୍ତ୍ର ପାଇଁ ବୈତରଣୀ ବିପଦରେ ପଡ଼ିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନଦୀର ଗତିପଥକୁ କୃତ୍ରିମ ଭାବେ ବଦଳାଇ ଦିଆଯାଇଛି । ସେହି ନିକଟରେ  ବିକାଶ ନାମରେ ବାଲି ଓ ମାଟି ପକାଇ ପୋତାଚାଲିଛି। ସ୍ଥିତି ଏମିତି ହେଲାଣିରେ ଅନେକ ସ୍ଥାନରେ ନଦୀରେ ଆଉ ବାଲି ଦିଶୁନି। ନଦୀଶଯ୍ୟା ଘାସ ଏବଂ ଗୁଳ୍ମରେ ଭର୍ତ୍ତିହୋଇ ଗୋରୁଗାଈଙ୍କ ଚାରଣ ଭୂମି ପାଲଟିଗଲାଣି । ଗୁରୁତ୍ବପୂର୍ଣ୍ଣ ହେଉଛି, ଦଶାଶ୍ୱମେଧ ଘାଟର ଦୃଶ୍ୟ। ଏଠାରେ ମା’ ବୈତରଣୀଙ୍କ ଶିଳାମୂର୍ତ୍ତିକୁ ପୂଜା କରାଯାଉଛି। ଏହିସ୍ଥାନରେ ପିତୃପୁରୁଷଙ୍କ ପିଣ୍ଡଦାନ ପାଇଁ ଲୋକେ କାହିଁ କେତେଦୂରରୁ ଆସୁଛନ୍ତି। ଯେଉଁ ବୈତରଣୀକୁ ଦେବୀ ଭାବେ ଯାଜପୁରରେ ପୂଜା କରାଯାଉଛି, ସେଠା‌ରେ ବି ନଦୀ ମୃତପ୍ରାୟ ଅବସ୍ଥାରେ ରହିଛି। ଫଳରେ, ବୈତରଣୀର ସୁରକ୍ଷା ପାଇଁ ଏକ ବଡ଼ ଆନ୍ଦୋଳନ ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରୁଛନ୍ତି। ଗବେଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର କହିନ୍ତି ବୈତରଣୀକୁ ଗଙ୍ଗାର ମାନ୍ୟତା ମିଳିଥିବା ବେଳେ ଏହା ଏବେ ଲୁପ୍ତ ହେବାକୁ ବସିଲାଣି। ଏହିଠାରେ ବିଶ୍ବର ପ୍ରଥମ ଯଜ୍ଞ ହୋଇଥିବା ବେଳେ ଏବେ ତାହାକୁ ରକ୍ଷା କରିବାର ସମୟ ଆସିଛି। ଓଡ଼ିଶାର ଗଙ୍ଗାକୁ ମୃତ୍ୟୁମୁଖରୁ ବଞ୍ଚାଇବା ପାଇଁ ସମସ୍ତେ ଏକାଠି ହେବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe