ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ! ଉଠ୍‌ବସ୍‌ ‌ହୋଇ ୯ ଛାତ୍ରୀ ଅସୁସ୍ଥ

Advertisment

ତଦନ୍ତ ନିର୍ଦେଶ ଦେଲେ ଶିକ୍ଷାମନ୍ତ୍ରୀ

ତଦନ୍ତ ନିର୍ଦେଶ ଦେଲେ ଶିକ୍ଷାମନ୍ତ୍ରୀ

ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ! ଉଠ୍‌ବସ୍‌ ‌ହୋଇ ୯ ଛାତ୍ରୀ ଅସୁସ୍ଥ

ପାଟଣାଗଡ଼/ମୁରିବାହାଲ/ଭୁବନେଶ୍ବର: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ଦଣ୍ଡ। ସ୍କୁଲକୁ ବିଳମ୍ବରେ ପହଞ୍ଚିବା ଓ ପ୍ରାର୍ଥନା ଭୁଲିଯିବାରୁ ଦଣ୍ଡ ଦେଇଛନ୍ତି ଶିକ୍ଷକ। ଖରାରେ ଉଠ୍‌ବସ୍‌ କରାଇବାରୁ ସେମାନଙ୍କ ମଧ୍ୟରୁ ୭ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ସୁନାମୁଦି ଗ୍ରାମସ୍ଥିତ ବାପୁଜୀ ହାଇସ୍କୁଲର ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ସାମ୍ନାକୁ ଆସିବା କ୍ଷଣି ବିଭାଗୀୟ ମନ୍ତ୍ରୀ ସମୀରରଞ୍ଜନ ଦାଶ ତୁରନ୍ତ ତଦନ୍ତ ନିର୍ଦେଶ‌ ଦେଇଛନ୍ତି।

ସୂଚନା ଅନୁସାରେ, ସୁନାମୁଦି ଗ୍ରାମସ୍ଥିତ ବାପୁଜୀ ହାଇସ୍କୁଲକୁ ସୁନାମୁଦି ଗ୍ରାମ ସମେତ ନକଟାସର, ରୁଗୁଡ଼ିମୁଣ୍ଡା ଗ୍ରାମର ପିଲାମାନେ ପାଠ ପଢ଼ିବାକୁ ଆସିଥାନ୍ତି। ସୋମବାର ସକାଳୁ ନକଟାସର ଓ ରୁଗୁଡ଼ିମୁଣ୍ଡାର କିଛି ଛାତ୍ରଛାତ୍ରୀ ପ୍ରାର୍ଥନା ସମୟରେ ପହଞ୍ଚି ପାରି ନଥିଲେ। ବିଳମ୍ବ ହେବାରୁ କାର୍ଯ୍ୟରତ ଶିକ୍ଷକ ବିକାଶ ଧରୁଆ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ପ୍ରାର୍ଥନା କରିବାକୁ କହିଥିଲେ। ୨ ବର୍ଷ ହେଲା ସ୍କୁଲ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ପ୍ରାର୍ଥନା ଠିକ୍‌ ଭାବେ ଗାଇ ପାରି ନଥିଲେ। ଏଥିରେ ଶିକ୍ଷକ ଶ୍ରୀ ଧରୁଆ ରାଗିଯାଇ ସେମାନଙ୍କୁ ଖରାରେ ଛିଡ଼ା କରାଇ ୧୦୦ ଥର ଲେଖାଏଁ କାନ ଧରି ଉଠବସ ହେବାକୁ କହିଥିଲେ। ୩୦ରୁ ୪୦ ଥର ଉଠବସ ହେବା ପରେ ୭ ଜଣ ଛାତ୍ରୀ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଅସୁସ୍ଥ ଥିବାରୁ ଅମ୍ଳଜାନ ବି ଦିଆଯାଇଥିଲା।

ଖବର ପାଇ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଓ ବିଇଓ ଶଙ୍କର ମାଝୀ ଡାକ୍ତରଖାନାରେ ପହଞ୍ଚି ଛାତ୍ରୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ସେହିପରି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ଏହାର ତଦନ୍ତ କରି ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ନିର୍ଦେଶ ପାଇ ଏଡିଇଓ ଗ୍ରାମକୁ ଆସି ତଦନ୍ତ କରିଛନ୍ତି। ସେହିପରି ମୁରିବାହାଲ ଦେବଙ୍ଗସ୍ଥିତ ଇନ୍ଦିରା ଗାନ୍ଧି ହାଇସ୍କୁଲରେ ଅଚେତ ହୋଇପଡ଼ିଥିବା ୨ ଛାତ୍ରୀଙ୍କୁ ମୁରିବାହାଲ ସିଏଚ୍‌ସିରେ ଭର୍ତ୍ତି କରାଯାଇଥିଲା। ସ୍କୁଲକୁ ବିଳମ୍ବରେ ଆସିଥିବାରୁ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ସଂପୃକ୍ତ ଦୁଇ ଛାତ୍ରୀଙ୍କୁ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ୫୦ଥର କାନଧରି ଉଠବସ କରାଇଥିବା ସେମାନଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଅସୁସ୍ଥ ହେବା ପରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉଭୟ ଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ମୁରିବାହାଲ ସିଏଚ୍‌ସିକୁ ଆଣିଥିଲେ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଦେବଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ଶିକ୍ଷକ ରାମରତନ ମେହେରଙ୍କୁ ପଚାରିବାରୁ ଛାତ୍ରୀଦ୍ବୟ ସକାଳୁ ଖାଲି ପେଟରେ ଆସିଥିବାରୁ ହଠାତ୍‌ ଅଚେତ ହୋଇପଡ଼ିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe