ବଲାଙ୍ଗୀର ଜେଲ୍‌ ଗଲା ପୁଞ୍ଜିଲାଲ

Advertisment
ବଲାଙ୍ଗୀର ଜେଲ୍‌ ଗଲା ପୁଞ୍ଜିଲାଲ

ବଲାଙ୍ଗୀର/ପାଟଣାଗଡ଼ : ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରର ଠିକଣା ବଦଳିଛି। ପୁଞ୍ଜିଲାଲକୁ ପାଟଣାଗଡ଼ରୁ ବଲାଙ୍ଗୀର ଜେଲକୁ ସ୍ଥାନାନ୍ତର କରାଯାଇଛି।

ଆଜି ଦିନ ୧୧ଟାରେ ପାଟଣାଗଡ଼ ଜେଲରୁ ପୁଞ୍ଜିଲାଲକୁ ବଲାଙ୍ଗୀର ଜେଲକୁ ଅଣାଯାଇଥିଲା। ଭ୍ୟାନରୁ ଓହ୍ଲାଇ ବଲାଙ୍ଗୀର କାରଗାରର ମୁଖ୍ୟ ଫାଟକ ଯାଏଁ ଯିବା ସମୟରେ ସେଠାରେ ଉପସ୍ଥିତ ଗଣମାଧ୍ୟମ ଉଦ୍ଦେଶ୍ୟରେ ବଡ଼ ପାଟିରେ ପାଟଣାଗଡ଼ ଜେଲ୍‌ରେ ଅନ୍ୟାୟ ଚାଲିଛି ବୋଲି କହିଥିଲା। ପାଟଣାଗଡ଼ ଜେଲ୍‌ରେ ବିଗତ ଦିନରେ ଘଟିଥିବା ଘଟଣାର ତଦନ୍ତ କରାଯାଉ ବୋଲି ସେ ନିଜର ପ୍ରତିକ୍ରିୟା ରଖି ଅନଶନ କରୁଥିବା କହିଥିଲା। ଗତକାଲିଠାରୁ ଖାଦ୍ୟ ଗ୍ରହଣ କରି ନଥିବା ମଧ୍ୟ କହିଥିଲା। ବଲାଙ୍ଗୀରରେ ପୁଞ୍ଜିଲାଲକୁ ଏକ ସ୍ୱତନ୍ତ୍ର ଲକ୍‌ଅପ୍‌ରେ ରଖାଯାଇଛି। ଅନ୍ୟ କଏଦୀଙ୍କ ସହ ଯେଭଳି ସେ ମିଳାମିଶା ନକରବ,ସେଭଳି ସ୍ଥାନରେ ରଖାଯାଇଛି ବୋଲି ଜେଲର ସଂଜୟ ବର୍ମା କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖ ପାଟଣାଗଡ଼ ଜେଲରେ ୬ ଜଣ ବିଚାରାଧୀନ କଏଦୀ ଫେରାର ଉଦ୍ୟମ କରିଥିବାବେଳେ ଏହାପଛରେ ପୁଞ୍ଜିଲାଲର ହାତ ଥିବା କୁହାଯାଉଛି। ଏହି ଘଟଣାକୁ ନେଇ ପଟଣାଗଡ଼ ଜେଲ୍‌ରେ କଏଦୀ ଓ ଜେଲ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୁଞ୍ଜିଲାଲର ନେତୃତ୍ୱରେ ଜେଲ୍‌ ଭିତରେ ସମସ୍ତ ଅନ୍ତେବାସୀ ଅନଶନ କରିଥିଲେ। ଏ ନେଇ ପାଟଣାଗଡ଼ ଜେଲରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ସେହି ଘଟଣାକୁ ନେଇ ପୁଞ୍ଜିଲାଲକୁ ସ୍ଥାନାନ୍ତର ପାଇଁ କୋର୍ଟରେ ଆବେଦନ ହୋଇଥିଲା। କୋର୍ଟ ଅନୁମତି ପରେ ପୁଞ୍ଜିଲାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe