ନବୀନ ନିବାସକୁ ପୁରୀ ନେତାଙ୍କୁ ଡକରା

Advertisment
ନବୀନ ନିବାସକୁ ପୁରୀ ନେତାଙ୍କୁ ଡକରା

ଭୁବନେଶ୍ବର : ନବୀନ ନିବାସରେ‌ ଆଜି ସନ୍ଧ୍ୟାରେ ପୁରୀର ସମସ୍ତ ବିଧାୟକ ଏକାଠି ହେଇଥିଲେ। ପୁରୀ ଜିଲ୍ଲା ବିଜେଡି ସଭାପତି ତଥା ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ସମେତ ଜିଲ୍ଲାର ବିଧାୟକ ଓ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଢେର ସମୟ ଆଲେଚାନା କରିଛନ୍ତି। ପୁରୀ ଜିଲ୍ଲା ନେତାମାନଙ୍କ ସହିତ ହଠାତ୍‌ ମୁଖ୍ୟମନ୍ତ୍ରୀ କାହିଁକି ଆଲୋଚନା କରିବାକୁ ଚାହିଁଲେ ତାହାକୁ ନେଇ ରାଜନୈତିକମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନିକଟରେ ସେବକ-ପୁଲିସ ବିବାଦକୁ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ୧୪ ଘଣ୍ଟା ଧରି ଉପବାସ ରହିଲେ। ଏହାକୁ ନେଇ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ଆସନ୍ତା ୧ ତାରିଖ ଦିନ ପୁରୀରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବ। କାଳେ ନୀତିରେ ବିଭ୍ରାଟ ହେବ ଓ ନିର୍ବାଚନ ବର୍ଷରେ ସରକାର ବଦନାମ ହେବେ, ସେ ନେଇ ଆଲୋଚନା ହୋଇଥିବା ସମ୍ପର୍କ‌ରେ ସୂଚନା ମିଳିଛି। କେବଳ ସେତିକି ନୁହେଁ, ପୁରୀରେ ବାରମ୍ବାର ଘଟୁଥିବା ଆଇନଶୃଙ୍ଖଳା ପରିସ୍ଥିତି ଶ୍ରୀମନ୍ଦିର ପ୍ରସଙ୍ଗ, ପିପିଲି ପୀଡ଼ିତାଙ୍କ ସମ୍ପର୍କରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତବ୍ୟ ଆଦି ପ୍ରସଙ୍ଗକୁ ନେଇ ସରକାର ଚାପଗ୍ରସ୍ତ ଅଛନ୍ତି। ଏଭଳି ସ୍ଥଳେ ଆଜିର ଆଲୋଚନାକୁ ଢେର ଗୁରୁତ୍ବ ଦିଆଯାଉଛି। କିନ୍ତୁ ବୈଠକ ପରେ ଜିଲ୍ଲାର ଅନ୍ୟ‌ ନେତାମାନେ କୌଣସି ପ୍ରତିକ୍ରିୟା ନ ଦେଇ ଚାଲି ଯାଇଥିବା ବେଳ ପୁରୀ ଜିଲ୍ଲା ବିଜେଡି ସଭାପତି ଶ୍ରୀ ମହାନ୍ତି ଏହାକୁ ଦଳର ସାଂଗଠନିକ ଆଲୋଚନା ‌ସମ୍ପର୍କିତ ବୈଠକ ଥିଲା ବୋଲି କହି ଟାଳି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ପୁରୀରେ ଶ୍ରୀମନ୍ଦିରକୁ ନେଇ ବାରମ୍ବାର ଅଭାବନୀୟ ଘଟଣା ଘଟୁଛି ଏବଂ ସରକାର ବଦନାମ ହେଉଛନ୍ତି। ହେଲେ ମନ୍ତ୍ରିମଣ୍ଡଳରେ ଥିବା ପୁରୀ ବିଧାୟକ ମହେଶ୍ବର ମହାନ୍ତି କିମ୍ବା ପ୍ରଦୀପ ମହାରଥି ସ୍ଥିତି ସମ୍ଭାଳିବା ଦିଗ‌ରେ କୌଣସି ପଦକ୍ଷେପ ନେଉନଥିବା ନେଇ ବାରମ୍ବାର ଅଭିଯୋଗ ଉଠିଛି। ଏପରିକି ଦୁଇ ଦିନ ତଳେ ମହାପ୍ରଭୁ ୧୪ ଘଣ୍ଟା ଧରି ଅଖିଆଅପିଆ ଥିଲେ ହେଁ ମନ୍ତ୍ରୀ ଶ୍ରୀ ମହାନ୍ତି ସ୍ଥାନୀୟ ବିଧାୟକ ହିସାବରେ ସେଠାକୁ ଯାଇନଥିଲେ, କିମ୍ବା ସେବାୟତମାନଙ୍କ ସହ ଆଲୋଚନା କରି ଶ୍ରୀମନ୍ଦିର ନୀତି ସ୍ବାଭାବିକ କରିବା ଦିଗରେ କୌଣସି ପଦକ୍ଷେପ ନେଇନଥିଲେ। ଏହା ସ୍ଥାନୀୟ ଅଞ୍ଚଳରେ କେବଳ ଚର୍ଚ୍ଚାର ବିଷୟ ହୋଇଥିଲା ତାହା ନୁହେଁ, ବିରୋଧୀ ଶିବିରକୁ ଆଲୋଚନା ପାଇଁ ଯଥେଷ୍ଟ ଖୋରାକ ଯୋଗାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe