ପବିତ୍ର ପୁରୀରେ ଅପବିତ୍ର ବସ୍‌ଷ୍ଟାଣ୍ଡ

Advertisment

ଯୋଜନା ହେଉଛି, ଫଳବତୀ ହେଉନି, ଆପଣାଯାଉନି କଡ଼ା ଆଭିମୁଖ୍ୟ

ଯୋଜନା ହେଉଛି, ଫଳବତୀ ହେଉନି, ଆପଣାଯାଉନି କଡ଼ା ଆଭିମୁଖ୍ୟ

ପବିତ୍ର ପୁରୀରେ ଅପବିତ୍ର ବସ୍‌ଷ୍ଟାଣ୍ଡ

ପୁରୀ : ସହର ସ୍ବଚ୍ଛ ହେବ। ସ୍ବଚ୍ଛତା ସର୍ବେକ୍ଷଣରେ ପୁରୀ ଆଗୁଆ ହେବ। ଏନେଇ ସାହି ଗଳିକନ୍ଦିରେ ସକାଳୁ ସ୍ବଚ୍ଛତାର ଗୀତ ବାଜୁଛି। ସହରର ପ୍ରମୁଖ ସ୍ଥାନରେ‌ ହୋର୍ଡିଂ ମାଧ୍ୟମରେ ସଚେତନ କରାଯାଉଛି। କିନ୍ତୁ ପୁରୀ ବସ୍‌ଷ୍ଟାଣ୍ଡ୍‌ରେ ପାଦ ଦେଉଦେଉ ପରିସ୍ରା ଗନ୍ଧରେ ନାକ ଫାଟି ପଡ଼ୁଛି। କିଛିଦିନ ଫୁଲରେ ସଜା ହୋଇଥିବା ସ୍ଥାନ ଏବେ ପରିସ୍ରାଗାର ପାଲଟିଛି। ପାନ ଛେପରେ କାନ୍ଥରେ ମାନଚିତ୍ର ସୃଷ୍ଟି ହୋଇଛି। ଅଳିଆ ଆବର୍ଜନା ଉଠାଯାଉନାହିଁ। କିଛି ବ୍ୟକ୍ତି ସ୍ବେଚ୍ଛାକୃତ ଭାବେ ବସ୍‌ଷ୍ଟାଣ୍ଡର ଏହି ସ୍ଥିତି ସୁଧାରିବାକୁ ଉଦ୍ୟମ କରିଛନ୍ତି। ମାତ୍ର ଏହାକୁ ବଜାୟ ରଖିବା ଲାଗି ପ୍ରଶାସନ ପକ୍ଷରୁ ଏଯାଏ ଉଦ୍ୟମ ହୋଇନାହିଁ। ତେଣୁ ‘ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ’ ଭଳି ବସ୍‌ଷ୍ଟାଣ୍ଡର ଅବସ୍ଥା ହୋଇଛି।

publive-image

ବିଡ଼ମ୍ବନା ଏହି ଯେ ଆଧୁନିକ ‌ଜ୍ଞାନକୌଶଳର ଉପଯୋଗରେ ଟଏଲେଟ୍‌ ସ୍ଥାପନ ହୋଇଛି। କିନ୍ତୁ ଏହାକୁ ଲୋକେ ବ୍ୟବହାର କରୁନାହାନ୍ତି। ଏଥିପାଇଁ ନିର୍ଦିଷ୍ଟ ଦେୟ ରଖାଯାଇଥିବାରୁ ଲୋକେ ବାହାରେ ପରିସ୍ରା କରୁଛନ୍ତି। ଲକ୍ଷାଧିକ ଟଙ୍କା ବ୍ୟୟରେ ଶୌଚାଳୟ ନିର୍ମାଣ ହୋଇଥିଲେ ହେଁ ଲୋକେ ତାକୁ ବ୍ୟବହାର କରିବା ପରିବର୍ତ୍ତେ ସୁବିଧାବାଦୀ ଭାବେ ପାର୍ଶ୍ବ କାନ୍ଥକୁ ଆପଣାଇ ନେଉଛନ୍ତି। ଅନ୍ୟପକ୍ଷରେ ସେଇ ନିକଟରେ ଏକ ଶୌଚାଳୟ ରହିଛି। ସେଠାରେ ମୁକ୍ତ ଭାବେ ଶୌଚାଳୟ ବ୍ୟବହାର କରିବା ପାଇଁ ପ୍ରଶାସନ ଘୋଷଣା କରିଛି। ତାକୁ ବି ଲୋକେ ବ୍ୟବହାର କରୁନାହାନ୍ତି। ତେଣୁ କେବଳ ପ୍ରଶାସନ ନୁହେଁ ବରଂ କିଛି ଅମାନିଆ ଓ ସୁବିଧାବାଦୀ ଲୋକଙ୍କ ଯୋଗୁ ବସ୍‌ଷ୍ଟାଣ୍ଡରେ ପରିବେଶ ବିକୃତ ହେଉଛି। ବାହାରେ ପରିସ୍ରା କଲେ ‌ଜରିମାନା ଆଦାୟ ହେବା ନେଇ ଆଇନ ହୋଇଥିଲେ ହେଁ ଏହା କେବଳ ଘୋଷଣାନାମାରେ ରହିଯାଇଛି। ଫଳରେ କଡ଼ା ଆଭିମୁଖ୍ୟ ଅଭାବରୁ ବାରମ୍ବାର ବସ୍‌ଷ୍ଟାଣ୍ଡ ତା’ର ପରିବେଶକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ନିନ୍ଦିତ ହେଉଛି।

publive-image

ଅପରପକ୍ଷେ ଯେଉଁ ପାର୍ଶ୍ବକୁ ଲୋକେ ପରିସ୍ରା ପାଇଁ ବ୍ୟବହାର କରୁଥିଲେ ସେଇ ପାର୍ଶ୍ବରେ ଫୁଲ ଗଛ ସହ କିଛି ସାଜସଜା ଗଛ ରୋପଣ କରାଯାଇଥିଲା। ଖୋଲା ପଡ଼ିଥିବା ନାଳରେ ସ୍ଲାବ୍‌ ପକାଯାଇଥିଲା। ଫଳରେ ପୁତିଗନ୍ଧମୟ ପରିବେଶକୁ ବିକଶିତ କରାଯାଇପାରିଥିଲା। ଫୁଲ ଓ ସାଜସଜା ବୃକ୍ଷରାଜି ଯୋଗୁ ଏହା ଆକର୍ଷଣ ପାଲଟିଥିଲା। ପରବର୍ତ୍ତୀ ସମୟରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ କିଛି ଫୁଲ ଗଛ ଲଗାଇଥି‌ଲା। ମାତ୍ର ମାସ କେଇଟାରେ ସବୁକିଛି ବଦଳିଗଲା। କିଛିଦିନ ପରେ ଫୁଲ ଗଛ ଗାୟବ ହୋଇଗଲା। ସୌନ୍ଦର୍ଯ୍ୟରେ ଝଟକୁଥିବା ସ୍ଥାନରେ ପୁଣି ପରିସ୍ରାର ଧାର ଫିଟିଲା। ଯୋଜନା ଫେଲ୍‌ ମାରିଲା। ସୌନ୍ଦର୍ଯ୍ୟୀକରଣକୁ ବଜାୟ ରଖିପାରିଥିଲେ ଅନ୍ତତଃ ଲୋକେ ସେଠାରେ ପରିସ୍ରା କରିବାକୁ ସଙ୍କୋଚ କରିଥାଆନ୍ତେ। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ବୃକ୍ଷରାଜିଗୁଡ଼ିକ ମରିଗଲାଣି। ଅନ୍ୟପକ୍ଷରେ ବସ୍‌ଷ୍ଟାଣ୍ଡ ପରିସରରେ ଗାଡ଼ି ଧୁଆ ଯାଉଥିବାରୁ ଗାଡ଼ି ଧୁଆ ପାଣି ଯୋଗୁ ସମ୍ପୃକ୍ତ ସ୍ଥାନ ଅମାନିଆ ଲୋକଙ୍କୁ ପରିସ୍ରା କରିବାକୁ ସୁହାଉଛି। କେବଳ ସେତିକି ନୁହେଁ, ବସ୍‌ଷ୍ଟାଣ୍ଡ ପରିସରରୁ ସବୁବେଳେ ଅଳିଆ ସଫେଇ ହେଉନାହିଁ ବୋଲି ମଧ୍ୟ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ସହରର ଅର୍ଦ୍ଧାଧିକ ଲୋକଙ୍କ ଜୀବନ ଜୀବିକା ପୁରୀର ପର୍ଯ୍ୟଟନ କ୍ଷେତ୍ରକୁ ନେଇ ଓ ପର୍ଯ୍ୟଟନ କ୍ଷେତ୍ର ପାଇଁ। ଅନ୍ୟପକ୍ଷରେ ପୁରୀକୁ ଆସୁଥିବା ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପର୍ଯ୍ୟଟକମାନେ ଟ୍ରେନ୍‌ ଓ ବସ୍‌ ଯୋଗେ ହିଁ ପୁରୀକୁ ଆସନ୍ତି। କିନ୍ତୁ ବସ୍‌ଷ୍ଟାଣ୍ଡରେ ଓହ୍ଲାଇବା ପରେ ମୁଖଶାଳାର ଏଭଳି ପୁତିଗନ୍ଧମୟ ପରିବେଶ ନକରାତ୍ମକ ଭା‌ବନା ସୃଷ୍ଟି କରୁଛି। ପୁରୀ ସହର ଯେ ସ୍ବଚ୍ଛତା ରୢାଙ୍କିଂ ପାଇଁ ବାସ୍ତବରେ କେତେ ଆନ୍ତରିକତାର ସହ ଉଦ୍ୟମ କରୁଛି, ତାହା ଅନ୍ତତଃ ବସ୍‌ଷ୍ଟାଣ୍ଡର ଏହି ଦୟନୀୟ ଅବସ୍ଥାରୁ ଜଳଜଳ ବାରି ହୋଇ ପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe