ତିମିଙ୍କ ପାଇଁ ଅସୁରକ୍ଷିତ ପୁରୀ ଉପକୂଳ: ୧୬ ବର୍ଷରେ ଲାଗିଲେଣି ୧୨ ମୃତ ତିମି

ତିମିଙ୍କ ପାଇଁ ଅସୁରକ୍ଷିତ  ପୁରୀ ଉପକୂଳ: ୧୬ ବର୍ଷରେ ଲାଗିଲେଣି ୧୨ ମୃତ ତିମି

ବ୍ରହ୍ମଗିରି: ପୁରୀ ଜିଲ୍ଲା ସମୁଦ୍ର ଉପକୂଳ ଏବେ ତିମିଙ୍କ ପାଇଁ ଅସୁରକ୍ଷିତ ହୋଇ ପଡ଼ିଛି। ବିଗତ ୧୬ ବର୍ଷ ମଧ୍ୟରେ ପୁରୀ ଉପକୂଳରେ ୧୨ଟି ମୃତ ତିମି ଲାଗିଛି। ଏସବୁ ମଧ୍ୟରେ ପ୍ରଶାନ୍ତ ମହାସାଗରୀୟ ତିମିଠାରୁ ଆରମ୍ଭ କରି ବଙ୍ଗପୋସାଗରୀୟ ତିମି ରହିଥିବା ଜଣାପଡ଼ିଛି। ସବୁଠାରୁ ଅଧିକ ମୃତ ତିମି କୃଷ୍ଣପ୍ରସାଦ ବ୍ଲକ୍ ନବା ଗାଁ ନିକଟ ସମୁଦ୍ର କୂଳରେ ଲାଗିଛି। ଏହି ତିମିଙ୍କ ମଧ୍ୟରେ ବିରଳ ତିମି ମଧ୍ୟ ରହିଥିବା ଜଣାପଡ଼ିଛି।

ବ୍ରହ୍ମଗିରି ରେଞ୍ଜରେ ପ୍ରଥମେ ୨୦୦୫ ମସିହାରେ ବାଲିହରଚଣ୍ଡୀ ବିଟ୍‌ରେ ଏକ ପ୍ରଶାନ୍ତ ମହାସାଗରୀୟ ବିରଳ ୱେଲ୍‌ ସାର୍କ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାର ଲମ୍ବ ୩୫ ଫୁଟ ରହିଥିବା ବେଳେ ଓଜନ ୧୫ ଟନ୍‌ରୁ ଅଧିକ ରହିଥିଲା। ଏହା ପରେ ୨୦୦୭ ମସିହାରେ ପୁଣି ଥରେ ବାଲିହରଚଣ୍ଡୀ ମୁହାଣଠାରେ ଆଉ ଏକ ମୃତ ୱେଲ୍‌ ସାର୍କ ଲାଗିଥିଲା। ୨୦୧୧ ମସିହାରେ ଚିଲିକାର ମୁହାଣ ନିକଟ ସମୁଦ୍ର ସାତପଡ଼ା ରେଞ୍ଜ ଅରଖକୁଦା ବିଟ୍‌ରେ ଏକ ବିଶାଳକାୟ ତିମିର ଗଳିତ ଶବକୁ ବନ ବିଭାଗ ଉଦ୍ଧାର କରିଥିଲା। ୨୦୧୪ ମସିହାରେ ରାମଭରତିଆ ମୁହାଣ ନିକଟରେ ଆଉ ଏକ ମୃତ ତିମିକୁ ବନବିଭାଗ ଜବତ କରିଥିଲା। ଏହା ପରେ ପୁରୀ ବେଳାଭୂମି ବାଲୁଖଣ୍ଡ ଅଭୟାରଣ୍ୟ ନିକଟରେ ମୃତ ତିମି ଉଦ୍ଧାର କରାଯାଇଥିଲା। ସେହିପରି ଅସ୍ତରଙ୍ଗ ଉପକୂଳରେ ଏକ ଜୀବିତ ତିମି ଲାଗିଥିବାବେଳେ ପରେ ଏହା ମରି ଯାଇଥିଲା। କୃଷ୍ଣପ୍ରସାଦ ବ୍ଲକ୍ ତଥା ଗଞ୍ଜାମ ଜିଲ୍ଲା ରମ୍ଭା ରେଞ୍ଜ ପିଟିଶାଳ ବିଟ୍‌ ନବା ଗାଁ ନିକଟ ସମୁଦ୍ର ଉପକୂଳରେ ୨୦୧୫ ଓ ୨୦୧୬ ମସିହାରେ ଲଗାତାର ଦୁଇଟି ମୃତ ତିମି ଲାଗିଥିଲା। ଏହା ପରେ ପୁଣି ଥରେ ଆଉ ଏକ ଜୀବିତ ନୀଳ ତିମି ଲାଗିଥିଲା, ଯାହାକି ଛଟପଟ ହୋଇ ଶେଷରେ ସେଠାରେ ପ୍ରାଣ ହରାଇଥିଲା।

ଅସ୍ତରଙ୍ଗ ଉପକୂଳଠାରୁ କୃଷ୍ଣପ୍ରସାଦ ନବା ଉପକୂଳ ପର୍ଯ୍ୟନ୍ତ ବିଗତ ୧୬ ବର୍ଷ ମଧ୍ୟରେ ୧୨ଟି ମୃତ ତିମି ଲାଗି ସାରିଲାଣି। ସବୁଠାରୁ ଅଧିକ ୩ଟି ତିମି କେବଳ ନବା ସମୁଦ୍ର କୂଳରେ ଲାଗିଛି। ସେଥିମଧ୍ୟରୁ ୨ଟି ମୃତ ତିମି ଥିବା ବେଳେ ଗୋଟିଏ ଜୀବନ୍ତ ତିମି ଲାଗି ସାରିଛି। କ୍ରମାଗତ ଭାବରେ ପୁରୀ ଉପକୂଳରେ ବିରଳ ମୃତ ତିମି ଲାଗିବା ପରେ ପରିବେଶବିତ୍‌ ଚିନ୍ତା ପ୍ରକଟ କରିଛନ୍ତି। ବ୍ରହ୍ମଗିରି ଓ ସାତପଡ଼ା ରେଞ୍ଜରେ ଲାଗିଥିବା ମୃତ ତିମିର ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ଗଭୀର ସମୁଦ୍ର ଭିତରେ ଶକ୍ତ ଆଘାତ ଯୋଗୁ ଏମାନଙ୍କ ମୃତ୍ୟୁ ହୋଇଛି। ଦୁଇଟି ଗଳିତ ମୃତ ତିମିର ବ୍ୟବଚ୍ଛେଦ ରିପୋର୍ଟ ଅସ୍ପଷ୍ଟ ରହିଥିବା ସେତେବେଳେ ବନବିଭାଗ କହିଥିଲା। ପୁରୀ ଉପକୂଳ ସମୁଦ୍ରରେ ଲଗାତାର ମୃତ ତିମି ଲାଗିବା ପରିବେଶବିତ୍‌ ଓ ଭୂବିଜ୍ଞାନୀଙ୍କ ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe