ପୁରୀ ଜିଲ୍ଲା କନେଷ୍ଟବଳ ଓ ହାବିଲଦାର ସଂଘ ସଭାପତିଙ୍କ ପରଲୋକ

ପୁରୀ ଜିଲ୍ଲା କନେଷ୍ଟବଳ ଓ ହାବିଲଦାର ସଂଘ ସଭାପତିଙ୍କ ପରଲୋକ

ପୁରୀ : ଦୀର୍ଘଦିନ ଧରି ପୁରୀ ଜିଲ୍ଲା କନେଷ୍ଟବଳ ଓ ହାବିଲଦାର ସଂଘର ରାଜନୀତିରେ ରହି ଚାରି ଚାରି ଥର ସଭାପତି ଥିବା ଟୁଟୁ ଓରଫ ଶୁଭ୍ରାଂଶୁ ଶେଖର ପ୍ରଧାନ ଆଜି କୋଭିଡ୍‌ ଚିକିତ୍ସାଳୟରେ ମୃତ୍ୟୁବରଣ କରିଛନ୍ତି। ଆଜି ଅପରାହ୍ନ ପ୍ରାୟ ଦୁଇଟା ସମୟରେ ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ତାଙ୍କୁ କୋଭିଡ୍‌ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ପହଞ୍ଚିବାର ଅଳ୍ପକ୍ଷଣ ପରେ ଡାକ୍ତର ତାଙ୍କୁ ମୃତ ‌ଘୋଷଣା କରିଥିଲେ। ଏହାପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ରିଜର୍ଭ ପୁଲିସ ଲାଇନ୍‌କୁ ନିଆଯାଇଥିଲା। ସେଠାରେ ପ୍ୟାରେଡ୍‌ ପଡ଼ିଆରେ ଜିଲ୍ଲାପାଳ ବଲୱନ୍ତ ସିଂହ, ଏସ୍‌ପି ଅଖିଳେଶ୍ବର ସିଂହଙ୍କ ସମେତ ବରିଷ୍ଠ ଅଧିକାରୀ ଓ ସହଯୋଗୀମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।

ପ୍ରକାଶଯେ, ଗତ ଦୁଇ ଦିନ ପୂର୍ବେ ତାଙ୍କ ପତ୍ନୀ ଓ ଦୁଇ ଝିଅ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାଙ୍କୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ତାଙ୍କୁ ସଙ୍ଗରୋଧରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେବାରେ ସେ ଆସି ସିଦ୍ଧମହାବୀର ଦାଦାବାଡ଼ିର ସତ୍ୟନଗରସ୍ଥିତ ନିଜ ବାସଭବନରେ ରହିଥିଲେ। ଆଜି ଟୁଟୁଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ଯକ୍ଷ୍ମା ଓ ସଂକ୍ରମଣ ଚିକିତ୍ସାଳୟରେ ଥିବା କୋଭିଡ୍‌ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ପରଲୋକ ଘଟିଥିଲା। ଏହି ଖବର ପାଇ ବରିଷ୍ଠ ପୁଲିସ ପଦାଧିକାରୀ ସେଠାରେ ପହଞ୍ଚିଥିଲେ।

ସୂଚନାଯୋଗ୍ୟ ଯେ, ଟୁଟୁ ଗତ ୮ ବର୍ଷ ଧରି ପୁଲିସ କନେଷ୍ଟବଳ ହାବିଲଦାର ସଂଘ ରାଜନୀତିରେ ଥିଲେ। ସେ ସଂଘର ସଭାପତି ଭାବେ ତିନି ତିନି ଥର ବିଜୟୀ ହେବା ସହ ପୁରୀ ଜିଲ୍ଲା ହାବିଲଦାର ଓ କନେଷ୍ଟବଳମାନଙ୍କର ସ୍ବାର୍ଥ ରକ୍ଷା ପାଇଁ ସର୍ବଦା ସଂଗ୍ରାମ କରି ଆସୁଥିଲେ। ଆସନ୍ତା ନଭେମ୍ବର ମାସରେ ସେ ରାଜ୍ୟ କନେଷ୍ଟବଳ ଓ ହାବିଲଦାର ସଂଘର ସଭାପତି ପ୍ରାର୍ଥୀ ହେବା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଥିଲେ। ତେବେ ତାଙ୍କର ଦେହାନ୍ତ ଖବର ପ୍ରଚାର ହେବା ପରେ ରାଜ୍ୟ ପୁଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe