ଦୟା, ମକରା, ଲୁଣା ଜଳ ବିଷ: ଭୁବନେଶ୍ବରର ବର୍ଜ୍ୟରେ ପୁରୀ ଜିଲ୍ଲା ଅଣନିଃଶ୍ବାସୀ

ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ, ସତ୍ୟବାଦୀ, କଣାସ ଓ ବ୍ରହ୍ମଗିରି ଦେଇ ପ୍ରବାହିତ ହେଉଥିବା ନଦୀଜଳ ବିଷ ପାଲଟିଲାଣି। ବିଶେଷ କରି ଦୟା, ମକରା, ଲୁଣା ନଦୀଜଳ ଅଧିକ ବିଷାକ୍ତ ହୋଇପଡ଼ିଛି।

fffhfhf

ପୁରୀ: ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ, ସତ୍ୟବାଦୀ, କଣାସ ଓ ବ୍ରହ୍ମଗିରି ଦେଇ ପ୍ରବାହିତ ହେଉଥିବା ନଦୀଜଳ ବିଷ ପାଲଟିଲାଣି। ବିଶେଷ କରି ଦୟା, ମକରା, ଲୁଣା ନଦୀଜଳ ଅଧିକ ବିଷାକ୍ତ ହୋଇପଡ଼ିଛି। ଭୁବନେଶ୍ବର ମହାନଗରର ଆବର୍ଜନା ସହ ଶିଳ୍ପସଂସ୍ଥାର ଆବର୍ଜନା ଗଙ୍ଗୁଆ ଓ ଅନ୍ୟ ୮ ନାଳ ଦେଇ ପୁରୀ ଜିଲ୍ଲାରେ ପ୍ରବେଶ କରି ଏହି ନଦୀଜଳକୁ ବିଷାକ୍ତ କରୁଛି। ପରିଣାମସ୍ବରୂପ କଣାସରେ ଝାଡ଼ାବାନ୍ତି ଅଣାୟତ୍ତ ହୋଇପଡ଼ିଛି। ଝାଡ଼ାବାନ୍ତିରେ ଆଜି ସୁଦ୍ଧା କଣାସ ବ୍ଲକ୍‌ର ୪ଜଣଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ବହୁ ଆକ୍ରାନ୍ତ ଏବେ ବି ଚିକିତ୍ସାଧୀନ ଅଛନ୍ତି। ତଥାପି ସରକାରଙ୍କ ନିଦ ଭାଙ୍ଗିନି। ଲୋକଙ୍କ ଜୀବନରେଖା ସାଜିଥିବା ଏହି ସବୁ ନଦୀଜଳ କିଭଳି ଆଉ ପ୍ରଦୂଷିତ ଓ ବିଷାକ୍ତ ନ ହେବ, ସେ ଦିଗରେ କେହି ମଧ୍ୟ ମୁଣ୍ଡ ଖେଳାଉନାହାନ୍ତି।

ଭୁବନେଶ୍ବରର ବର୍ଜ୍ୟରେ ପୁରୀ ଜିଲ୍ଲା ଅଣନିଃଶ୍ବାସୀ 
୪ ଜଣଙ୍କ ମୃତ୍ୟୁ ପରେ ଗାଁ ଗାଁରେ ଭୟ
ଜିଲ୍ଲାପାଳଙ୍କ ବିରୋଧରେ ଥାନାରେ ଏତଲା
ମୃତକଙ୍କୁ କ୍ଷତିପୂରଣ ଓ ନଦୀପଥ ଅବରୋଧମୁକ୍ତ ଦାବି

ଏ ନେଇ ଆଜି ବିଭିନ୍ନ ସଂଗଠନ ଜିଲ୍ଲା ପ୍ରଶାସନକୁ ଘେରିଛନ୍ତି। ମୃତକଙ୍କୁ କ୍ଷତିପୂରଣ ସହ ଦୟା, ମକରା, ଲୁଣା ଆଦି ନଦୀର ପୁନରୁଦ୍ଧାର ସହ ଜଳ ବିଶୋଧନ କରିବାକୁ ଦାବି କରିଛନ୍ତି। ଦୟା ଓ ଏହା ସଂଲଗ୍ନ ନଦୀନାଳ ପୋତି ହୋଇଯିବା ଫଳରେ ଚିଲିକା ଓ ସମୁଦ୍ର ଦେଇ ଜଳ ନିଷ୍କାସନ ବାଟ ବନ୍ଦ ହୋଇଯାଇଛି। ଭୁବନେଶ୍ବରର ବର୍ଜ୍ୟବସ୍ତୁ, ଆବର୍ଜନା ପାଣି ନଦୀ ପ୍ରଦୂଷଣ ବଢ଼ାଇ ଚାଲିଛି ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟାନଦୀ ସୁରକ୍ଷା ଅଭିଯାନ ଅଭିଯୋଗ କରିଛି। ଏହାର ସ୍ଥାୟୀ ପ୍ରତିକାର ସହ ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନର ସୁଦର୍ଶନ ଦାସ, ପ୍ରସନ୍ନ ବିଷୋୟୀ, ସତ୍ୟମନ୍ୟୁ ପ୍ରଧାନ, ଦୟା ସୁରକ୍ଷା ଅଭିଯାନର ଆବାହକ ସଚିକାନ୍ତ ପ୍ରଧାନ, କିସାନ ପଟ୍ଟନାୟକ, ଯୁଧିଷ୍ଠିର ମହାପାତ୍ର, ଅଶୋକ ପ୍ରଧାନ, ଉମାକାନ୍ତ ସ୍ୱାଇଁ, କଣ୍ଡୁରୀ ଚରଣ ବଳିୟାରସିଂ ପ୍ରମୁଖ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେହିପରି ପ୍ରୟାସ  ସଂଗଠନର ସଭାପତି କୃଷ୍ଣ ଜଗଦ୍ଦେବ, ସଂପାଦକ କାମାକ୍ଷା ପ୍ରଧାନ ମଧ୍ୟ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେବା ସହ ତ୍ବରିତ ପ୍ରତିକାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। 

ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ଅଭିଯାନର କର୍ମକର୍ତ୍ତା ଆଜି ଝାଡ଼ାବାନ୍ତି ପ୍ରଭାବିତ କଣାସ ବ୍ଲକ୍‌ର ନୂଆଗାଁ, ନଈକୂଳପାଟଣା, ଜାଗୁଳେଇପଦର ଗାଁକୁ ଯାଇ ସ୍ଥିତି ପରଖିଥିଲେ। ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି ଯେ ଭୁବନେଶ୍ବର ମହାନଗର ନିଗମର ଦୂଷିତ ଜଳ ଗଙ୍ଗୁଆ ନାଳ ଦେଇ କଣ୍ଟିଠାରେ ଦୟା ନଦୀରେ ମିଶୁଛି। ଏହି ପ୍ରଦୂଷିତ ଜଳ ବ୍ୟବହାର କରି କଣାସ ବ୍ଲକ୍‌ ଗଡ଼ିଶାଗୋଦା ପଞ୍ଚାୟତର ନୂଆଗାଁ ଓ ନଇକୂଳପାଟଣା ଗାଁର ୪ଜଣଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି। ଏବେ ବି ଅହଲ୍ୟା ପ୍ରଧାନ ଓ ଅନ୍ୟମାନେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ନୂଆ ଦୋକନ୍ଦା ଗ୍ରାମର ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହି ଦୁର୍ଦ୍ଦଶା ପାଇଁ ସରକାର ଓ ଜିଲ୍ଲାପାଳ ସମ୍ପୂର୍ଣ ଦାୟୀ ବୋଲି ଅଭିଯୋଗ କରି ଆଜି ସଙ୍ଗଠନ ପକ୍ଷରୁ କଣାସ ଥାନାରେ ଜିଲ୍ଲାପାଳଙ୍କ ବିରୋଧରେ ଏତଲା ଦିଆଯାଇଛି। ସେହିପରି ପ୍ରୟାସ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ବରର ନାଳନର୍ଦ୍ଦମା ଦୟା ସହ ଏହାର ଶାଖା ନଦୀଗୁଡ଼ିକର ଜଳକୁ ପ୍ରଦୂଷିତ କରୁଛି। ତୁରନ୍ତ ଭୁବନେଶ୍ବରରେ ଏକ ମେଗା ବର୍ଜ୍ୟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ୍‌ ଜରିଆରେ ଜଳ ପ୍ରଦୂଷଣ ରୋକିବା ଦିଗରେ ପଦକ୍ଷେପ ନେବାକୁ ସଂଗଠନ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe