୩୨୫ ବର୍ଷ ପରେ ଦୋହଲିଲା ନୀଳଚକ୍ର

୩୨୫ ବର୍ଷ ପରେ ଦୋହଲିଲା ନୀଳଚକ୍ର

ପୁରୀ : ମେ ୩ ତାରିଖରେ ପ୍ରଳୟଙ୍କରୀ ବାତ୍ୟା ‘ଫନି’ ଶ୍ରୀମନ୍ଦିରକୁ ଦୋହଲାଇ ଦେଲା। ନୀଳଚକ୍ରକୁ ବି ବଙ୍କେଇ ଦେଲା ବୋଲି ସେବକମାନେ କହୁଛନ୍ତି। ଭଅଣ୍ଡ ଘର କଳସ ଭାଙ୍ଗିଯିବା ସହ ପାର୍ଶ୍ବ ଦେବଦେବୀ ମନ୍ଦିରରେ ଅନେକ କ୍ଷୟକ୍ଷତି କଲା। ବାତ୍ୟାରେ ଶ୍ରୀମନ୍ଦିରର ଏହି ଦୃଶ୍ୟ ବୁଦ୍ଧିଜୀବୀ ଓ ଗବେଷକଙ୍କୁ ୧୬୯୪ ମସିହା ଦିବ୍ୟସିଂହ ଦେବଙ୍କ ଶାସନ କାଳର ବାତ୍ୟା କଥା ମନେ ପକାଇ ଦେଇଛି। ସେହି ବର୍ଷ ଭୟଙ୍କର ବାତ୍ୟାରେ ନୀଳଚକ୍ର ଗଳି ପଡ଼ିଥିଲା। ଅନେକ ଦେଉଳରୁ ଚକ୍ର ଖସାଇ ଦେଇଥିଲା। ଶ୍ରୀମନ୍ଦିର ନୀଳଚକ୍ରକୁ ପୂର୍ବରୁ ବି ଆଘାତ ଦେଇଥିଲା ବାତ୍ୟା। ସେତେବେଳେ ଅବଶ୍ୟ ବାତ୍ୟାର ନାମକରଣ ହୋଇନଥିଲା। କିନ୍ତୁ ବାତ୍ୟା ଯେ ନୀଳଚକ୍ରକୁ ଭାଙ୍ଗି ତଳକୁ ପକାଇ ଦେଇଥିଲା ତାର ପ୍ରମାଣ ମାଦଳା ପାଞ୍ଜିରେ ରହିଛି। ଦିନ ବାର, ତିଥି ଓ ତାରିଖ ଲେଖାଯିବା ସହ କି କି କ୍ଷତି ହୋଇଥିଲା ଏବଂ କିଏ ରାଜା ଥିଲେ ତାହା ବି ସ୍ପଷ୍ଟ ଭାବେ ଲେଖା ରହିଛି।

ଗବେ‌ଷକ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର କହିଛନ୍ତି, ୯ ଅଙ୍କ ପୂରି ୭ ଦିନେ ଶନିବାର ପଡ଼ିଥାଏ। ୧୬୯୪ ମସିହା ଅକ୍ଟୋବର ମାସ ୬ ତାରିଖ ଥିଲା କାର୍ତ୍ତିକ କୃଷ୍ଣପକ୍ଷ ଏକାଦଶୀ ତିଥି। ରାଜା ଥାଆନ୍ତି ଦିବ୍ୟସିଂହ ଦେବ। ଆସିଲା ଭୟଙ୍କର ବାତ୍ୟା। ବଡ଼ ଦେଉଳରୁ ନୀଳଚକ୍ର ଖସି ଭଣ୍ଡ ଗଣେଶ ଦେଉଳ ତଳେ ପଡ଼ିଲା। ଅନେକ ମନ୍ଦିରର ଚକ୍ର ଭାଙ୍ଗି ତଳେ ପକାଇ ଦେଲା। ମନ୍ଦିର ଚୂଡ଼ାରୁ ଗାଙ୍ଗୁଲା ଖସାଇ ଦେଲା। ବିନାଶକାରୀ ଏହି ବାତ୍ୟାରେ ବହୁ ଘରଦ୍ବାର ଭାଙ୍ଗିଯିବା ସହ ଲୋକ ମଲେ, ଗାଈ ମଇଁଷାଦି ପଶୁପକ୍ଷୀ ବି ମରିଗଲେ। ବାତ୍ୟା ଥିଲା ବଡ଼ ଭୟଙ୍କର। ସେହି ବାତ୍ୟାରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ଦୋହଲି ଯାଇଥିଲା। ଏହା ପରେ ନୀଳଚକ୍ର ଓ ବଡ଼ଦେଉଳକୁ ଦୋହଲାଇ ଦେବା ଭଳି ବାତ୍ୟା ହୋଇଥିବାର ମାଦଳା ପାଞ୍ଜିରେ ରେକର୍ଡ ଏ ପର୍ଯ୍ୟନ୍ତ ମିଳିନଥିବା ପୂର୍ଣ୍ଣଚନ୍ଦ୍ର କହିଛନ୍ତି। ଏବେ ୨୦୧୯ ମେ ୩ ତାରିଖରେ ଆସିଲା ବାତ୍ୟା ‘ଫନି’। ରାଜା ଅଛନ୍ତି ଦିବ୍ୟସିଂହ ଦେବ। ବାତ୍ୟା ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରକୁ ଦୋହଲାଇ ଦେଲା। ଯେତେ କଚ୍ଚାଘର ଥିଲା ଭାଙ୍ଗିଲା। ଲୋକେ ମଲେ, ଗାଈ ମହିଷାଦି ପଶୁପକ୍ଷୀ ବି ମଲେ। ନୀଳଚକ୍ର ବଙ୍କିଗଲା, ଅନ୍ୟ ଦେଉଳର ଅନେକ କ୍ଷତି ହେଲା। ୧୬୯୪ଠାରୁ ଏଯାବତ ୩୨୫ ବର୍ଷ ପରେ ଆଉ ଏକ ବାତ୍ୟା ଶ୍ରୀମନ୍ଦିରରେ ପ୍ରଭାବ ପକାଇଛି। ଯାହା ଏବେ ଭକ୍ତ ଓ ଗବେଷକଙ୍କ ମଧ୍ୟରେ ଆଲୋଚ୍ୟ ପ୍ରସଙ୍ଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe