ପୁରୀ : ସହରର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ପୁରୀ ଓକିଲ ସଂଘ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ୧୪ ଦିନ ପୂରିଛି। ସଂଘ ସହ ସରକାରଙ୍କ ପ୍ରତିନିଧି ଆଲୋଚନା କରି ଫେରିଥିଲେ ମଧ୍ୟ ସରକାରଙ୍କ କୌଣସି ନିଷ୍ପତ୍ତି ଆସିନାହିଁ। ବରଂ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ପ୍ରତିନିଧି ସଂଘକୁ ଅନୁରୋଧ କରିଛନ୍ତି। ଓକିଲ ସଂଘ ସଦସ୍ୟଙ୍କ ପିକେଟିଂ ଫଳରେ କୋର୍ଟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ତହସିଲ ଅଫିସ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ପଞ୍ଜିକରଣ କାର୍ଯ୍ୟାଳୟ ସହ ଆରଟିଓ କାର୍ଯ୍ୟାଳୟ ବନ୍ଦ ରହିଛି। ପ୍ରଥମେ ଏହା ସ୍ୱାଭାବିକ ଚାଲିଥିବା ନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରେସ୍ ବିବୃତି ଦେବା ପରେ ୨୦ରୁ ଊଦ୍ଧ୍ଵର୍ କର୍ମଚାରୀଙ୍କର ସରକାରୀ କାର୍ଯ୍ୟାଳୟରେ ଅନୁପସ୍ଥିତି ବା କାର୍ଯ୍ୟ କରୁନଥିବା ନେଇ ଦରମା ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଏହି ଆନ୍ଦୋଳନ ନିଆଁରେ ଘିଅ ସଦୃଶ ହୋଇଛି। ଆସନ୍ତାକାଲି ଓକିଲ ସଂଘର ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏଥିରେ ଆନ୍ଦୋଳନ ଆଗକୁ ବଢ଼ିବ କି ନାହିଁ ବା ଆଗକୁ କାର୍ଯ୍ୟପନ୍ଥା କଣ ହେବ ସେ ନେଇ ନିଷ୍ପତ୍ତି ନିଆଯିବ। ପୂର୍ବରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକର ମୁଖ୍ୟ ଫାଟକ ବନ୍ଦ ରହୁଥିବା ବେଳେ ଏବେ ଦରମା ବନ୍ଦ ଭୟରେ ଅଧିକାରୀ ବା କର୍ମଚାରୀ କାର୍ଯ୍ୟାଳୟ ବନ୍ଦ କରିବେ ନାହିଁ କିମ୍ବା ସରକାରୀ କାମରେ ବାଧା ଦେବା ଭଳି ପରିସ୍ଥିତି ଉପୁଜାଇବାକୁ ଦେବେନାହିଁ। ଏଣୁ ପିକେଟିଂ ବେଳେ ଓକିଲ ଦଳ ଓ ସରକାରୀ କର୍ମଚାରୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛିି। ଅନ୍ୟପଟେ ଯଦି ଓକିଲମାନେ କାର୍ଯ୍ୟାଳୟକୁ ପୂର୍ବବତ୍ ବନ୍ଦ କରିବା ପାଇଁ ଯାଉନାହାନ୍ତି ତେବେ ଯାହାଙ୍କ ବଦଳି ଦାବି ହେଉଛି ତାଙ୍କୁ ଡରିଗଲା ବୋଲି ଅନୁମେୟ ହେବ। ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଆସନ୍ତାକାଲି ଡିଜିଙ୍କ ସହ ଆଲୋଚନା ହେବାକୁ ସ୍ଥିର ହୋଇଛି। ଷ୍ଟିୟରିଂ କମିଟି ସହ ଏକ ପ୍ରତିନିଧି ଦଳ ଡିଜିଙ୍କୁ ଭେଟିବାକୁ ଯାଉଛି।
ଦୋଛକିରେ ଓକିଲଙ୍କ ଆନ୍ଦୋଳନ
Advertisment
Follow Us