ପୁରୀ ସାହିତ୍ୟ ମହୋତ୍ସବ; ନିସଙ୍ଗତାରେ ସାହିତ୍ୟ ଥାଏ, ଭିଡ଼ରେ ନୁହେଁ: ଗୌରହରି

ନିସଙ୍ଗତାରେ ସାହିତ୍ୟ ଥାଏ, ଭିଡ଼ରେ ନୁହେଁ। ବିଶ୍ବସନୀୟତା ନ ରହିଲେ ସାହିତ୍ୟ ଆଦୃତ ହେବନି। ବିଜ୍ଞାନ ଅଜଣା କଥାକୁ ସିଧା ଜଣାଇଥାଏ। ସାହିତ୍ୟ ଜଣା କଥାକୁ ବୁଲେଇ ବଙ୍କେଇ ଉପସ୍ଥାପନ କରିଥାଏ ଯାହା ପାଠକକୁ ବାନ୍ଧି ରଖେ।

fhfhbvbv

ପୁରୀ: ନିସଙ୍ଗତାରେ ସାହିତ୍ୟ ଥାଏ, ଭିଡ଼ରେ ନୁହେଁ। ବିଶ୍ବସନୀୟତା ନ ରହିଲେ ସାହିତ୍ୟ ଆଦୃତ ହେବନି। ବିଜ୍ଞାନ ଅଜଣା କଥାକୁ ସିଧା ଜଣାଇଥାଏ। ସାହିତ୍ୟ ଜଣା କଥାକୁ ବୁଲେଇ ବଙ୍କେଇ ଉପସ୍ଥାପନ କରିଥାଏ ଯାହା ପାଠକକୁ ବାନ୍ଧି ରଖେ। ପରିବର୍ତ୍ତନ ସହ ଆମକୁ ବଦଳିବାକୁ ହେବ, ଆମ ଲେଖା ବଦଳିବ। ହେଲେ ମୌଳିକତା ବଜାୟ ରଖିବାକୁ ହେବ। ପୁରୀ ସାହିତ୍ୟ ମହୋତ୍ସବ-୨୦୨୫ର ଦ୍ବିତୀୟ ଦିନର ଏକ ‘ଏକବିଂଶ ଶତାବ୍ଦୀରେ ଓଡ଼ିଆ ସାହିତ୍ୟ’ ଶୀର୍ଷକ ପ୍ରସଙ୍ଗ ଆଲୋଚନାରେ ବିଶିଷ୍ଟ କଥାକାର ଡ. ଗୌରହରି ଦାସ ବିଜ୍ଞାନ ଓ ସାହିତ୍ୟ ମଧ୍ୟରେ ପାର୍ଥକ୍ୟକୁ ଅତି ସହଜରେ ବୁଝାଇଥିଲେ। ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର ଯୋଗଦେଇ ଆଜିର ସାହିତ୍ୟକୁ କୃତ୍ରିମ ମେଧା ଓ ସଂଚାର ପ୍ରଭାବିତ କରିଥିବା କହିଥିଲେ। ସଂପାଦିକା ଡ. ଇତିରାଣୀ ସାମନ୍ତ, କବି ରକ୍ଷକ ନାୟକ, ଯୁବ ଗାଳ୍ପିକ ଦେବବ୍ରତ ଦାସ, ପେନ୍‌ଇନ୍‌ ବୁକ୍‌ସ୍‌ର ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ସମ୍ପୃକ୍ତ ବିଷୟ ଉପରେ ଆଲୋଚନା କରିଥିଲେ। ଦ୍ବିତୀୟ ଦିନର ପ୍ରଥମ ସତ୍ରରେ ହିନ୍ଦୋଳ ସେନଗୁପ୍ତା, ମଧୁପର୍ଣ୍ଣା ଦାସ ଓ ଅଭିଜିତ ମଜୁମଦାର ‘ବର୍ତ୍ତମାନ ସମୟରେ ଲେଖକଙ୍କର ଅବଦାନ’ ବିଷୟରେ ଚର୍ଚ୍ଚା କରିଥିଲେ। ଜଣେ ଲେଖକ ନିର୍ଭୟରେ ତା’ର ଲେଖନୀ ଚଳାଇଥାଏ, କିନ୍ତୁ ଅପ୍ରାସଙ୍ଗିକ ଭାବେ ଲେଖିବା କେତେ ଗ୍ରହଣୀୟ, ତାହା ଉପରେ ପ୍ରଶ୍ନ ଉଠାଇଥିଲେ। 

‘ଓଡ଼ିଶା-୨୦୩୬: ପୂର୍ବୋଦୟରେ ଓଡ଼ିଆ ଓ ଓଡ଼ିଶାର ଭୂମିକା’ ଆଲୋଚନାଚକ୍ର 

ଦ୍ୱିତୀୟ ଅଧିବେଶନରେ ଦୀପ୍ ହଳଧର, ନନ୍ଦିନୀ ସେନଗୁପ୍ତା, ତୁହିତ ସିହ୍ନା, ଉତ୍ପଳ କୁମାର, ମୌପିଆ ବାସୁ ପ୍ରମୁଖ 'ପରିବର୍ତ୍ତନର ସ୍ୱର: ସାମାଜିକ ସମାଲୋଚକ ଏବଂ ସକ୍ରୀୟକର୍ମୀ ଭାବେ ଲେଖକଙ୍କ ଭୂମିକା' ଉପରେ ଚର୍ଚ୍ଚା କରିଥିଲେ। ତୃତୀୟ ଅଧିବେଶନରେ ରାଘବ କୃଷ୍ଣ, ରାଜୀବ ବାସୁଦେବନ, ଅଜିତ ପଦ୍ମନାଭ ପ୍ରମୁଖ 'ନବୋତ୍ପାଦ ଏବଂ ନବ ଆକାଂକ୍ଷା: ଭାରତରେ ଷ୍ଟାର୍ଟ-ଅପ୍ ବିପ୍ଳବ' ପ୍ରସଙ୍ଗରେ ଆଲୋଚନା କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ରୋଜାଲିନ୍‌ ପାଟ୍ଟସାଣୀ ଓ ପ୍ରିୟଦର୍ଶୀ ମିଶ୍ର ବକ୍ତାମାନଙ୍କୁ ପଟ୍ଟଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ଶେଷରେ '୨୦୩୬ରେ ଓଡ଼ିଶା: ପୂର୍ବୋଦୟର ଓଡ଼ିଶା ଏବଂ ଓଡ଼ିଆଙ୍କ ଭୂମିକା' ବିଷୟରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, କଟକ ବାରବାଟି ବିଧାୟିକା ସୋଫିଆ ଫିରଦୌସ୍‌, ପୂର୍ବତନ ପ୍ରାଶାସନିକ ଅଧିକାରୀ ଜିତେନ୍ଦ୍ର ନାଥ ମିଶ୍ର ପ୍ରମୁଖ ଆଲୋଚକ ଭାବେ ଉପସ୍ଥିତ ଥିଲେ। ଅମିତ୍ କୁମାର ସିଂହ ଓ ସୋମ୍ ପରିଡ଼ା ପରିଚାଳନା କରିଥିଲେ। ଶେଷ ଅଧିବେଶନରେ 'ମ୍ୟୁଜ୍ ନା ମେସିନ୍‌? ଡିଜିଟାଲ୍ ଯୁଗରେ କଳାରେ ଆତ୍ମାର ଅନୁସନ୍ଧାନ' ଉପରେ ରବି ଶଙ୍କର ଏଟେଥ୍‌, ସାଇସ୍ୱରୂପା ଲିୟର, ନମିତ ସକ୍ସେନା ପ୍ରମୁଖ ଏଆଇ ଉପରେ ଆଲୋଚନା କରିଥିଲେ।
ପୁରୀ ସାହିତ୍ୟ ମହୋତ୍ସବର ସଦସ୍ୟ ରାକେଶ ବାରିକ, ବାସୁଦେବ ସନତ, ମହେନ୍ଦ୍ର ସିଂ, ପୂର୍ଣ୍ଣିମା ମହାନ୍ତି କଳ୍ପତରୁ ଦାସ, ହିମା ଠାକୁର ଏବଂ ଆଦ୍ୟାଶା ପ୍ରମୁଖ ଅତିଥିଙ୍କୁ ସମ୍ମାନିତ କରିଥିଲେ। ପ୍ରଧାନମନ୍ତ୍ରୀ ଯୁବ ଲେଖକ ପୁରସ୍କାରପ୍ରାପ୍ତ ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କ ସଂକଳନରେ 'ଆଧୁନିକ ଓଡ଼ିଆ ଗଳ୍ପ' ଓ 'ଆଧୁନିକ ଓଡ଼ିଆ କବିତା' ଉନ୍ମୋଚିତ ହୋଇଥିଲା। ଆସନ୍ତାକାଲି ଏହାର ଉଦ୍‌ଯାପନୀ ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe