ନୂଆଦିଲ୍ଲୀ: ଇଚ୍ଛା ମୃତ୍ୟୁ ଲାଗି ଅନୁମତି ପାଇଁ ଦେଶର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶ୍ରୀଜଗନ୍ନାଥଙ୍କ ସେବକ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସେବକ ନରସିଂହ ପୂଜାପଣ୍ଡା ବୁଧବାର ସୁପ୍ରିମକୋର୍ଟରେ ‘ଇଚ୍ଛାମୃତ୍ୟୁ’ ଲାଗି ଅନୁମତି ଲୋଡିଛନ୍ତି। ସେ ତାଙ୍କ ଆବେଦନରେ ଜଣାଇଛନ୍ତି କି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁରୀ ଜଗନ୍ନାଥ ମନ୍ଦିର ଭିତରେ ଦାନଦକ୍ଷିଣା ପ୍ରଦାନ ବ୍ୟବସ୍ଥା ବନ୍ଦ ହୋଇ ଯିବାରୁ ତାଙ୍କୁ ପେଟପୋଷିବା ଅସମ୍ଭବ ହୋଇପଡ଼ିଛି। ସେ ନିଜର ଓ ପରିବାର ଭରଣପୋଷଣ କରିବାକୁ ଅକ୍ଷମ। ଏହି ଦୃଷ୍ଟିରୁ ତାଙ୍କୁ ‘ଇଚ୍ଛା ମୃତ୍ୟୁ’ ବରଣ କରିବାକୁ ଅନୁମତି ଦିଆଯାଉ ବୋଲି ସେ ଆବେଦନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ନରସିଂହ ପୂଜାପଣ୍ଡା ଏଥିପୂର୍ବରୁ ମାର୍ଚ୍ଚ ୨୪ ତାରିଖରେ ପୁରୀ ଏସ୍ଡିଜେଏମ୍ଙ୍କ କୋର୍ଟରେ ମଧ୍ୟ ଅନୁରୂପ ଆବେଦନ କରିଥିଲେ। ଅଦାଲତ ତାଙ୍କ ମାମଲାର ବିଚାର କରି କହିଥିଲେ କି ଏଭଳି ଅନୁମତି ପ୍ରଦାନ କରିବା ଆମ କ୍ଷମତା ପରିସର ବାହାରେ। ତେଣୁ ସେ ଏଥିଲାଗି ଉପଯୁକ୍ତ ଅଦାଲତରେ ଆବେଦନ କରି ପାରନ୍ତି। ଏହାପରେ ଶ୍ରୀ ପୂଜାପଣ୍ଡା ସୁପ୍ରିମକୋର୍ଟ ଯାଇ ଆବେଦନ କରିଥିବା ଜଣାପଡ଼ିଛି।
Follow Us