ଭକ୍ତଙ୍କୁ ଝୁରିଲେ ମହାପ୍ରଭୁ

ଏଥର ବି କଟକଣାରେ ହେଲା ରଥଟଣା, ଶରଧାବାଲିରେ ସଅଳ ପହଞ୍ଚିଲା ତିନି ରଥ

ଭକ୍ତଙ୍କୁ ଝୁରିଲେ ମହାପ୍ରଭୁ

ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ପାଣିରେ ପ୍ରତିବିମ୍ବିତ ହେଉଛି ତିନି ରଥ

ପୁରୀ : ହରିବୋଲ ହୁଳହୁଳିରେ ଫାଟି ପଡ଼ୁନଥିଲା ବଡ଼ଦାଣ୍ଡ। ସମୂହ ଘଣ୍ଟନାଦରେ ଉଛୁଳୁ ନଥିଲା ପରିବେଶ। ଆଖିରେ ଆଖିରେ ଭାବ ବିନୋଦିଆ ଠାକୁରଙ୍କ ସହ ତଲ୍ଲୀନ ହେବାର ସୁ‌ଯୋଗ ନ ଥିଲା। ବଡ଼ଦାଣ୍ଡକୁ ଭକ୍ତଙ୍କ ପାଇଁ ପ୍ରଭୁ ଆସିଥିଲେ, କିନ୍ତୁ ଭକ୍ତଙ୍କ ଗହଳି ନ ଥିଲା। ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଘରେ ରହି ବ୍ୟାକୁଳ ହେଉଥିଲେ ଭକ୍ତ। ଆଉ ମହାପ୍ରଭୁ ବି ଝୁରି ହେଉଥିଲେ ଭକ୍ତଙ୍କୁ। ଭକ୍ତ ଓ ଭଗବାନଙ୍କ ଭିତରେ ସୃଷ୍ଟି ହୋଇଥିବା ଏହି କରୋନାଜନିତ ପ୍ରତିବନ୍ଧକ ହଟାଇ ପୁଣି ଥରେ ସେହି ମହାମିଳନ ପାଇଁ ପ୍ରାର୍ଥନା କରୁଥିଲେ ଅଗଣିତ ଶ୍ରଦ୍ଧାଳୁ। ବିଶେଷକରି ଅଣହିନ୍ଦୁମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ନଥିବାରୁ ପ୍ରଭୁ ତାଙ୍କରି ପାଇଁ ଏହି ଲୀଳା ରଚନ୍ତି। ଜନ୍ମବେଦିକୁ ବୁଲିଯିବା ବାହାନାରେ ଏହି ଭକ୍ତମାନଙ୍କ ସହ ଭାବ ଦିଆନିଆ କରନ୍ତି। କିନ୍ତୁ କୋଭିଡ୍‌ ଏଥର ମଧ୍ୟ ବାଡ଼ ପକାଇ ଦେଲା।

publive-image

ଦିନ ତମାମ ଛାଇ ଆଲୁଅର ଖେଳ ଭିତରେ ଚାଲିଥିଲା ବିଶ୍ବନିୟନ୍ତାଙ୍କ ଏହି ଅନନ୍ୟ ଲୀଳାଖେଳା। କିନ୍ତୁ ବଡ଼ଦାଣ୍ଡର ଦୃଶ୍ୟ ରଥଯାତ୍ରା ଭଳି ଲାଗୁନଥିଲା। ଗହଳଚହଳ ନଥିଲା କି ରଥ ଉପରୁ ଭୋଗ ଟିକେ ପାଇବାକୁ ପ୍ରତିଯୋଗିତା ଲାଗୁନଥିଲା। ରଥ ଦଉଡ଼ି ଧରିବାକୁ ଭକ୍ତର ସଂଘର୍ଷ ଦେଖିବାକୁ ମିଳୁନଥିଲା କି ନଡ଼ିଆଟିଏ ବଡ଼ଦାଣ୍ଡରେ ବାଡ଼େଇ ଦେଇ ରଥ ସାମ୍ନାରେ ଦେଖେଇଦେଇ ଭକ୍ତ ଏହାକୁ‌ ପ୍ରସାଦ ବୋଲି ମାନି ନେଉନଥିଲା। ମହାପ୍ରଭୁଙ୍କ ପାଇଁ କେହି ଦୀପଟିଏ ଧରି ଅପେକ୍ଷା କରି ରହିନଥିଲା କି ଶ୍ରୀକ୍ଷେତ୍ରବାସୀ ଦଳବଳ ହୋଇ ରଥ ନିକଟକୁ ଛୁଟି ଆସୁନଥିଲେ। ବଡ଼ଦାଣ୍ଡରେ ରଥ ଗଡ଼ିବା ବେଳେ ଏ ସମସ୍ତ ଅଭାବବୋଧ ଆଜି ବାରି ହୋଇ ପଡ଼ୁଥିଲା। କୋଭିଡ୍‌ କଟକଣା ଭିତରେ ନିର୍ଦ୍ଧାରିତ ସମୟର ତିନି ଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିବା ବେଳେ ତିନି ଠାକୁର ସଅଳ ମାଉସୀ ମା’ ଘରେ ପହଞ୍ଚି ଯାଇଥିଲେ।

publive-image

ଘର ନିକଟରେ ଏତେ ବଡ଼ ଯାତ୍ରା, କିନ୍ତୁ ସେ ଯାତ୍ରାକୁ ଉପଭୋଗ ନକରିପାରିବାର ଅବସୋସ ଭିତରେ ଘାଣ୍ଟି ଚକଟି ହେଉଥିଲେ ଶ୍ରୀକ୍ଷେତ୍ରବାସୀ। କେହିକେହି ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ଗଳି ପର୍ଯ୍ୟନ୍ତ ଆସି ସେଇଠାରେ ଦର୍ଶନ କରି ଅଶ୍ରୁ ନିଗାଡ଼ୁଥିଲେ। ଯେମିତି ଅଭିମାନ କରି କହୁଥିଲେ, ପ୍ରଭୁ ଆଉ କେତେ ‌ଦିନ ଏମିତି ଦୂରେଇ ରଖିବ? ଅନେକ ଟିଭି ସମ୍ମୁଖରେ ଦର୍ଶନ କରିବା ବେଳେ ବି ଭାବବିହ୍ବଳ ହୋଇପଡ଼ୁଥିଲେ। ଏଥର ଯେ ଆଉ ରଥ ଉପରେ ପ୍ରତ୍ୟକ୍ଷ ଦର୍ଶନ ମିଳିବନାହିଁ ସେଇ ଦୁଃଖରେ ମ୍ରିୟମାଣ ଭକ୍ତମାନେ ଟିଭି ସମ୍ମୁଖରେ ଦୀପ ଜାଳି ପ୍ରାର୍ଥନା ବାଢ଼ିଥିଲେ। ଏ ସମସ୍ତ ଅଭାବବୋଧ ମଧ୍ୟରେ ବି ଭକ୍ତମାନେ ନିଜକୁ ନିୟନ୍ତ୍ରଣରେ ରଖି କହିଥିଲେ, ଆମେ ‌ପଛେ ନଯାଉ, ମହାପ୍ରଭୁଙ୍କ ରଥ ଗଡ଼ୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe