୭ଦିନ ପରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା: ଏଯାଏ ଅସଜଡ଼ା ସହର

ଆଲୋକ ବ୍ୟବସ୍ଥା ଏବେ ବି ଅଚଳ, ବଡ଼ଦାଣ୍ଡକୁ ଗୁରୁତ୍ବ, ସଂଲଗ୍ନ ରାସ୍ତା ‌ଅବହେଳିତ

୭ଦିନ ପରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା: ଏଯାଏ ଅସଜଡ଼ା ସହର

ପୁରୀ : ଆଉ ମାତ୍ର ଦିନ କେଇଟା ପରେ ରଥଯାତ୍ରା। ମାତ୍ର ଏଯାଏ ସରୁନି ଡ୍ରେନ୍‌ କି ବିଦ୍ୟୁତ କାମ। କିଛି ସ୍ଥାନରେ ଆଜିଠୁ ନାଳ ନିର୍ମାଣ ପାଇଁ ଖୋଳାଖୋଳି ଆରମ୍ଭ ହୋଇଛି। ପୁଣି କେଉଁଠି ବିଦ୍ୟୁତ ତାର ବିଛା ଚାଲିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବଡ଼ଦାଣ୍ଡକୁ ଯେତିକି ଗୁରୁତ୍ବ ଦିଆଯାଉଛି ବଡ଼ଦାଣ୍ଡ ସଂଲଗ୍ନ ଗଳିଗୁଡ଼ିକ ସେତିକି ଧ୍ୟାନ ଦିଆଯାଉନାହିଁ। ଫଳରେ ରଥ ପୂର୍ବରୁ କାମ ସରିବ ନା ନାହିଁ ତାହା ଏବେ ସନ୍ଦେହ ସୃଷ୍ଟି କରିଛି। ସବୁଠୁ ବଡ଼କଥା ହେଲା, ପର୍ଯ୍ୟଟକଙ୍କ ସୁବିଧା ଦର୍ଶନ ଲାଗି ଡିଣ୍ଡିମ ପିଟୁଥିବା ସରକାର ଏଯାଏ ପର୍ଯ୍ୟଟକଙ୍କ ଯାତାୟାତ ରାସ୍ତାରେ ହାଇମାଷ୍ଟ ଲଗାଇନାହିଁ କି ପ୍ରବେଶ ପଥରେ ଅସଜଡ଼ା ହୋଇ ପଡ଼ିଥିବା ସିସିଟିଭି କ୍ୟାମେରା ସଜାଡ଼ିବା ପାଇଁ ତତ୍ପରତା ପ୍ରକାଶ ପାଇନାହିଁ।

ରଥଯାତ୍ରା ସୁରୁଖୁରୁରେ ପରିଚାଳନା ଲାଗି ୩ ଥର ସମନ୍ବୟ ବୈଠକ ବସିଲାଣି। ମାତ୍ର ସମସ୍ତେ କେବଳ ବଡ଼ଦାଣ୍ଡ କଥା କହୁଥିବା ବେଳେ ସଂଲଗ୍ନ ରାସ୍ତା ଓ ପ୍ରବେଶ ପଥରେ ଥିବା ସମସ୍ୟା ବାବଦରେ କେହି ମୁହଁ ଖୋଲୁନାହାନ୍ତି। ଆଜି ଲବଣିଖିଆ ଛକ ନିକଟରେ ରାସ୍ତାକଡ଼ରେ ଥିବା ଡ୍ରେନ୍‌ ଖୋଳି ଏହାକୁ ସଜାଡ଼ିବାକୁ କାମ ଆରମ୍ଭ କରାଯାଇଛି। ସେହିଭଳି ଶ୍ରୀକୃଷ୍ଣ ସିନେମା ହଲ୍‌ ଗଳିରେ ବିଦ୍ୟୁତ ତାର ବିଛାଇବା କାମ ଆରମ୍ଭ ହୋଇଛି। ରଥଯାତ୍ରା ସମନ୍ବୟ ବୈଠକରେ ଅଧିକାରୀମାନେ ସବୁ କାମ ସରିଆସିଲାଣି ବୋଲି କହୁଥିବା ବ‌େଳେ ବାସ୍ତବ ଚିତ୍ର ଭିନ୍ନ କଥା ବୟାନ କରୁଛି। ଏନେଇ ବାସିନ୍ଦା ସୂର୍ଯ୍ୟ ନାରାୟଣ ରଥ କହିଛନ୍ତି, ରଥଯାତ୍ରାକୁ ନେଇ ବାରମ୍ବାର ସମନ୍ବୟ ବୈଠକ ବସୁଛି ସତ, କିନ୍ତୁ ବାସ୍ତବ କ୍ଷେତ୍ରରେ ଏହାର ପ୍ରତିଫଳନ ସେଭଳି ଦେଖିବାକୁ ମିଳୁନାହିଁ। ଫଳରେ ବାହାଘର ବେଳେ ବାଇଗଣ ରୁଆ ଭଳି ଏବେ ନାଳ ଓ ବିଦ୍ୟୁତ ତାର ବିଛା କାମ କରାଯାଉଛି।

ବିଶେଷକରି ରଥଯାତ୍ରାରେ ପ୍ରବଳ ଜନସମାଗମ ହେବାକୁ ଯାଉଥିବାରୁ ଅନେକ ଭିଡ଼ ଏଡ଼ାଇବା ଲାଗି ବିଭିନ୍ନ ଗଳି ବାଟରେ ବଡ଼ଦାଣ୍ଡକୁ ଆସିବାକୁ ଚେଷ୍ଟା କରିବେ। ତେଣୁ ଅନ୍ତତଃ ଭକ୍ତମାନଙ୍କୁ ଦୃଷ୍ଟିରେ ରଖି ସାହି ଗଳିକନ୍ଦିରେ ମଧ୍ୟ ଖାଲ ଢିପ ହୋଇ ପଡ଼ିଥିବା ରାସ୍ତାଘାଟଗୁଡ଼ିକ ସଜଡ଼ାଯିବା ଆବଶ୍ୟକ ବୋଲି ବାସିନ୍ଦା ଆଦିତ୍ୟ ରାୟ କହିଛନ୍ତି। ସେ ଏକଥା ବି କହିଛନ୍ତି, ଏବେ ବି ଅଧିକାଂଶ ସ୍ଥାନରେ ନାଳ ଉପ‌ରେ ପଡ଼ିଥିବା ସ୍ଲାବ୍‌ ଭାଙ୍ଗିଯାଇଛି। କିଛିକିଛି ସ୍ଥାନରେ ଏହା ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଅଛି। ତେଣୁ ଯେଉଁମାନେ ରଥଯାତ୍ରାରେ ଭିଡ଼ ଏଡ଼ାଇବା ଲାଗି ଗଳିକନ୍ଦି ରାସ୍ତାରେ ଯିବେ, ସେମାନେ ଏହା ଦ୍ବାରା ଦୁର୍ଘଟଣାଗ୍ରହ ହେବାର ଆଶଙ୍କା ରହିଛି। ଅନ୍ୟ ପକ୍ଷରେ ବଡ଼ଦାଣ୍ଡ ସଂଲଗ୍ନ ନାଳଗୁଡ଼ିକୁ ସଫା କରାଯାଇଥିଲେ ହେଁ ଗଳିକନ୍ଦି ରାସ୍ତା ସଂଲଗ୍ନ ନାଳ ପଙ୍କ ଓ ବଣବୁଦାରେ ଭରିଗଲାଣି। ଏଯାଏ ପୁରୀରେ ଭଲରେ ବ‌ର୍ଷା ହୋଇନଥିବାରୁ, ଯଦି ରଥ ବେଳେ ବର୍ଷା ଉତ୍ପାତ କରେ ତେବେ ଅବସ୍ଥା ଶୋଚନୀୟ ହୋଇପଡ଼ିବ। ଏଣେ ରଥଯାତ୍ରାରେ ୧୦ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଉଛି। ,ଭଳି ସମୟରେ ପୁରୀ-କୋଣାର୍କ ମେରାଇନ୍‌ ରାସ୍ତାରେ ଆଜିଯାଏ କୌଣସି ହାଇମାଷ୍ଟ ସଜଡ଼ା ଗଲା ନାହିଁ। ବାଲିଘାଟ ଅତିକ୍ରମ କରିବା ପରେ କୋଣାର୍କ ପର୍ଯ୍ୟନ୍ତ ଅନ୍ଧକାରାଚ୍ଛନ୍ନ ରାସ୍ତା ଦେଇ ପର୍ଯ୍ୟଟକଙ୍କୁ ଯାତ୍ରା କରିବାକୁ ପଡ଼ିବ। ତେଣୁ ବଡ଼ଦାଣ୍ଡ ସହ ଅନ୍ୟ ସଂଲଗ୍ନ ରାସ୍ତା ଓ ପ୍ରବେଶପଥକୁ ମଧ୍ୟ ଧ୍ୟାନ ଦେବାକୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe