ରଥ ସମ୍ମୁଖରେ ଭକ୍ତଙ୍କ ସଂକୀର୍ତ୍ତନଗୀତଗୋବିନ୍ଦ ଗାଇଲେ ସେବାୟତ, ମନେପଡ଼ିଲେ କ୍ରିଷନ୍ କୁମାର
ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ସେବାୟତମାନେ ଗୀତଗୋବିନ୍ଦ ଗାନ କରିଥିଲେ। ରଥ ସମ୍ମୁଖରେ ସେବାୟତମାନଙ୍କ ଦ୍ବାରା ଏହି ଭାବପୂର୍ଣ୍ଣ ନୈବେଦ୍ୟ ବେଶ୍ ରୋଚକ ଅନୁଭବ ଦେଇଥିଲା। ଭକ୍ତମାନେ ବି ସେବାୟତଙ୍କ ସହ ଗୀତଗୋବିନ୍ଦ ଗୁଣୁଗୁଣେଇଥିଲେ। ମାତ୍ର ଚଳିତ ବର୍ଷ ଏହି ଗୀତଗୋବିନ୍ଦ ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ପୂର୍ବତନ ମୁଖ୍ୟ ପ୍ରଶାସକଙ୍କ ଅନୁପସ୍ଥିତି ବାରି ହୋଇ ପଡ଼ୁଥିଲା। ରଥ ସଫଳତାର ସହ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଏବଂ ବାହୁଡ଼ାରେ ଶ୍ରୀମନ୍ଦିର ନିକଟରେ ଲାଗିବା ପରେ କ୍ରିଷନ୍ କୁମାର ମଧ୍ୟ ସେବାୟତଙ୍କ ସହ ମିଶି ଗୀତଗୋବିନ୍ଦ ଗାନ କରୁଥିଲେ। ମାତ୍ର ଚଳିତ ବର୍ଷ ରଥଯାତ୍ରାରେ କ୍ରିଷନ୍ କୁମାରଙ୍କ ଅଭାବ ଅନୁଭବ ହୋଇଥିଲା।
ଦୃଷ୍ଟିହୀନ ଭକ୍ତ ଉପଭୋଗ କଲେ ରଥଯାତ୍ରା
ସେମାନେ ଦେଖିପାରୁନଥିଲେ ସତ, କିନ୍ତୁ ମହାପ୍ରଭୁ ରଥରେ ଗୁଣ୍ଡିଚା ଘର ଯିବା ବେଳେ ହରିବୋଲ ହୁଳହୁଳି ପଡ଼ିବା ମାତ୍ରେ ହାତ ଯୋଡ଼ି ମୁଣ୍ଡିଆ ମାରୁଥିଲେ। ଦେଖିପାରୁ ନଥିଲେ ହେଁ ରଥଯାତ୍ରାର ଏହି ମହାର୍ଘ ଅବସରକୁ ସେମାନେ ଉପଭୋଗ କରି ତୃପ୍ତ ହୋଇଥିଲେ। ବଳଗଣ୍ଡି ସ୍କୁଲ୍ର ତିନି ମହଲା ଉପରେ ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ହୋଇଥିବା ସ୍ବତନ୍ତ୍ର ଟେଣ୍ଟରେ କିଛି ଦୃଷ୍ଟିହୀନଙ୍କ ସମେତ ପ୍ରାୟ ୮୦ ଜଣ ଦିବ୍ୟାଙ୍ଗ ରଥଯାତ୍ରା ଉପଭୋଗ କରିଥିଲେ। ସ୍ବେଚ୍ଛାସେବୀ ସତ୍ୟନାରାୟଣ ସାହୁଙ୍କ କହିବା ମୁତାବକ, ସେଠାରେ ଦିବ୍ୟାଙ୍ଗମାନଙ୍କୁ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ମୋଟ ୨୬ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହୋଇଥିବା ବେଳେ ବଳଗଣ୍ଡି ଟେଣ୍ଟରେ ୧୦ ଜଣ ଥିବା ବେଳେ ମାଳତୀପାଟପୁର, ତାଳବଣିଆ ଓ ରେଳଷ୍ଟେସନରେ ଅନ୍ୟ ସ୍ବେଚ୍ଛାସେବୀମାନେ ଉପସ୍ଥିତ ଥିଲେ। ବସ୍ ଓ ଟ୍ରେନ୍ ଯୋଗେ ଆସୁଥିବା ଦିବ୍ୟାଙ୍ଗମାନଙ୍କୁ ବ୍ୟାଟେରି ଅଟୋ ଯୋଗେ ବଳଗଣ୍ଡି ଟେଣ୍ଟକୁ ଆଣିଥିଲେ।
ରଥଯାତ୍ରାରେ ସ୍ମାରକୀ ଡାକ ମୋହର
ରଥଯାତ୍ରା ଅବସରରେ ଡାକ ବିଭାଗ ପକ୍ଷରୁ ଲୋକାର୍ପିତ ହୋଇଛି ରଥଯାତ୍ରା ସ୍ମାରକୀ ଡାକ ମୋହର। ଦୁଇବର୍ଷ ପରେ ଭକ୍ତଙ୍କୁ ନେଇ ରଥଯାତ୍ରା ବିଭିନ୍ନ ଦୃଷ୍ଟିକୋଣରୁ ସ୍ବତନ୍ତ୍ର ହୋଇଥିବାରୁ ଏହି ଡାକ ମୋହର ପ୍ରସ୍ତୁତ କରାଯାଇଥିଲା। ଆଜି ପୁରୀ ମୁଖ୍ୟ ଡାକ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଡାକ ମଣ୍ଡଳର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ ଶୁଭେନ୍ଦୁ ସ୍ବାଇଁ, ପୁରୀ ଡିଭିଜନ ପୋଷ୍ଟ ଅଫିସ୍ର ସୁପରିଟେଣ୍ଡେଣ୍ଟ ବିପିନ ବିହାରୀ ମହାନ୍ତି, ପୁରୀ ହେଡ୍ ପୋଷ୍ଟ ଅଫିସ୍ ପୋଷ୍ଟମାଷ୍ଟର ଆରତି ଚୌଧୁରୀ ଏହି ସ୍ବତନ୍ତ୍ର ମୋହରକୁ ଉନ୍ମୋଚନ କରିଥିଲେ। ଏହାକୁ କିଣିବା ଲାଗି ବହୁ ଡାକ ଟିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।
Follow Us