ବ୍ୟତିକ୍ରମ ଇତିହାସ ପାଲଟିବ : ଚାହାଣୀ ମଣ୍ଡପ ଓ ସ୍ନାନମଣ୍ଡପ ମଧ୍ୟଭାଗରେ ହେବ ରଥ ନିର୍ମାଣ ଅନୁକୂଳ

Advertisment

ଜଳକ୍ରୀଡ଼ା ମଣ୍ଡପ, ମାଜଣା ମଣ୍ଡପରେ ହେବ ବାହାର ଚନ୍ଦନଯାତ୍ରା ନୀତି

ଜଳକ୍ରୀଡ଼ା ମଣ୍ଡପ, ମାଜଣା ମଣ୍ଡପରେ ହେବ ବାହାର ଚନ୍ଦନଯାତ୍ରା ନୀତି

ବ୍ୟତିକ୍ରମ ଇତିହାସ ପାଲଟିବ : ଚାହାଣୀ ମଣ୍ଡପ ଓ ସ୍ନାନମଣ୍ଡପ ମଧ୍ୟଭାଗରେ ହେବ ରଥ ନିର୍ମାଣ ଅନୁକୂଳ

ସଂକ୍ରମଣ ରୋକିବା ପାଇଁ ସୀମିତ ହେଲା ସେବାୟତଙ୍କ ସଂଖ୍ୟା
ପୂଜାର୍ଚ୍ଚନା ପାଇଁ ଉତ୍ତରଦ୍ବାର ଦେଇ ଗଲା ତିନି ଧଉରା କାଠ

ପୁରୀ : କରୋନା କଟକଣା ପାଇଁ ଚଳିତ ବର୍ଷର ପବିତ୍ର ଅକ୍ଷୟ ତୃତୀୟା ପର୍ବ ଏକ ବ୍ୟତିକ୍ରମ ଇତିହାସ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ବିଶ୍ବନିୟନ୍ତାଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ପର୍ବ ଶ୍ରୀମନ୍ଦିର ‌ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି। ଶ୍ରୀମନ୍ଦିର ବାହାର ବେଢ଼ାରେ ଚାହାଣୀ ମଣ୍ଡପ ଓ ସ୍ନାନମଣ୍ଡପ ମଧ୍ୟଭାଗରେ ଆସନ୍ତାକାଲି ଏହି ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ଚୂଡ଼ାନ୍ତ ହୋଇଛି।

ଏଥି ପାଇଁ ୩ ଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଆଜି ସଂଧ୍ୟାରେ ଭୋଇ ସେବକମାନେ ଉତ୍ତରଦ୍ବାର ଦେଇ ଶ୍ରୀମନ୍ଦିର ବେଢ଼ାକୁ ନେଇଛନ୍ତି। ସେପଟେ ପ୍ରଥମ ଥର ପାଇଁ ବାହାର ଚନ୍ଦନଯାତ୍ରା ଶ୍ରୀମନ୍ଦିର ଭିତରେ ହିଁ ଅନୁଷ୍ଠିତ ହେବ। ଆଉ ନରେନ୍ଦ୍ର ପୁଷ୍କରିଣୀ ନଯାଇ ଶ୍ରୀମନ୍ଦିର ଭିତରେ ହିଁ ମହାପ୍ରଭୁ ଜଳକ୍ରୀଡ଼ା କରିବେ। ଏଥିପାଇଁ ସ୍ବତନ୍ତ୍ର ‌ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ସଂପୃକ୍ତ ସେବାୟତ ସଂଖ୍ୟାକୁ ବି ସୀମିତ କରାଯାଇଛି। ଆଜି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂଙ୍କ ଉପସ୍ଥିତିରେ ନୀତି ସଂପୃକ୍ତ ସେବାୟତଙ୍କ ସହମତି କ୍ରମେ ଏହା ଚୂଡ଼ାନ୍ତ ହୋଇଛି।

ଗତକାଲି ରଥଯାତ୍ରା ଓ ଚନ୍ଦନଯାତ୍ରାକୁ ନେଇ ଦିନତମାମର ତର୍ଜମା ପରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ପରମ୍ପରା ଭଙ୍ଗ ନ କରିବାକୁ ପରାମର୍ଶ ଦେଇଥିଲେ। ବାହାରେ ନ ହେଲେ ବି ମହାପ୍ରଭୁଙ୍କ ଯାହା ବିଧି ରହିଛି, ଶ୍ରୀମନ୍ଦିର ଭିତରେ ତା’ର ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଏହି ନିଷ୍ପତ୍ତି ପରେ ରଥ ନିର୍ମାଣ ଅନୁକୂଳ ପର୍ବ ଓ ଚନ୍ଦନଯାତ୍ରାର ବାଟ ଖୋଲିଛି। ତେବେ କଟକଣା ଭିତରେ ଆସନ୍ତାକାଲି ଏହି ନୀତିକାନ୍ତି ସଂପନ୍ନ ହେବ।

ଗତକାଲିର ଏହି ନିଷ୍ପତ୍ତି କ୍ରମେ ନୀତି ତଥା ସ୍ଥାନ ଚୂଡ଼ାନ୍ତ ପାଇଁ ଆଜି ଜିଲ୍ଲାପାଳ ଶ୍ରୀ ସିଂ ପରିଚାଳନା କମିଟି ସଦସ୍ୟଙ୍କ ସହ ନୀତି ସଂପୃକ୍ତ ସେବାୟତ ତଥା ପୂଜାପଣ୍ଡା ସେବକ, ପୁଷ୍ପାଳକ ସେବକ, ତଳୁଚ୍ଛ ସେବକ, ଭିତରଚ୍ଛୁ ସେବକ, ମେକାପ ସେବକ, ଗରାବଡ଼ୁ ସେବକ, ବିମାନବଡ଼ୁ ସେବକ, ପଞ୍ଚୁ ମହାଦେବଙ୍କ ସେବକ ପ୍ରମୁଖଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆଲୋଚନା ପାଇଁ ଡାକିଥିଲେ। ବିସ୍ତୃତ ଆଲୋଚନା ପରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ମୁତାବକ, ବନଜାଗ ବିଧିରେ ହିଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ପର୍ବ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ବାହାର ବେଢ଼ା ତଥା ଚାହାଣୀ ମଣ୍ଡପ ଓ ସ୍ନାନମଣ୍ଡପର ମଧ୍ୟଭାଗରେ ତିନି ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ। ସାତପାହାଚକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଆସିବା ପରେ ସେଠାରୁ ପୂଜାପଣ୍ଡା ସେବକମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ରଥ ନିର୍ମାଣ ଅନୁକୂଳ ସ୍ଥଳକୁ ଆଣିବେ। ପୂର୍ବରୁ ୧୧ଜଣ ସ୍ରୋତ୍ରୀୟ ବ୍ରାହ୍ମଣ ଓ ଦୁଇଜଣ ଦେଉଳ ପୁରୋହିତ ରଥ ନିର୍ମାଣ ଅନୁକୂଳ କାର୍ଯ୍ୟ ସଂପାଦନ କରୁଥିଲେ। କିନ୍ତୁ କରୋନା କଟକଣା ପାଇଁ ଏହି ସଂଖ୍ୟାକୁ ୭ରେ ସୀମିତ ରଖାଯାଇଛି। ସେହିଭଳି ପ୍ରତିବର୍ଷ ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁ ଚନ୍ଦନଯାତ୍ରାରେ ବାହାରି ନରେନ୍ଦ୍ର ପୁଷ୍କରିଣୀରେ ୨୧ଦିନର ଚାପ ଖେଳୁଥିଲେ। ମହାପ୍ରଭୁ ବାହାର ଚନ୍ଦନଯାତ୍ରା ଶେଷ କରି ଯେଉଁ ଠାରେ ୨୧ ଦିନର ଭିତର ଚନ୍ଦନଯାତ୍ରା କରୁଥିଲେ ଓ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହେଉଥିଲା, ସେହି ଠାରେ ହିଁ ବାହାର ଚନ୍ଦନଯାତ୍ରା ନୀତି ଅନୁଷ୍ଠିତ ହେବ। ଜଳକ୍ରୀଡ଼ା ମଣ୍ଡପ ଓ ମାଜଣା ମଣ୍ଡପରେ ଏହି ନୀତି ଅନୁଷ୍ଠିତ ‌ହେବ। ଜଳକ୍ରୀଡ଼ା ପାଇଁ ଦୁଇଟି ସ୍ବତନ୍ତ୍ର କୁଣ୍ଡ ପ୍ରସ୍ତୁତ ହେବ। କାଠ ତିଆରି ଡଙ୍ଗାରେ କୁଣ୍ଡ ଭିତରେ ଜଳକ୍ରୀଡ଼ା ତଥା ଚାପ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଜଳକ୍ରୀଡ଼ା ପାଇଁ ବିମାନରେ ନେବାକୁ ପୂର୍ବରୁ ୧୦ ଜଣ ବିମାନବଡ଼ୁ ସେବକ ରହୁଥିଲେ। କରୋନା ପାଇଁ ଏହି ସଂଖ୍ୟାକୁ ତିନି ଭିତରେ ସୀମିତ ରଖାଯାଇଛି। ଦୁଇଜଣ ବିମାନବଡ଼ୁ ସେବକ ମହାପ୍ରଭୁଙ୍କୁ ବିଜେ କରାଇବେ ଓ ଜଣେ ସହଯୋଗୀ ଭାବେ ରହିବେ। ଯଦି କାହାରି ଅଶୁଦ୍ଧି ହୁଏ, ସହଯୋଗୀ ସେବକ ବିଜେ ନୀତିରେ ରହିବେ।

ଏ ସଂପର୍କରେ ଜିଲ୍ଲାପାଳ ଶ୍ରୀ ସିଂ କହିଛନ୍ତି, କରୋନା କଟକଣା ଭିତରେ ଚଳିତ ବର୍ଷ ଅକ୍ଷୟ ତୃତୀୟା ନୀତି ଅନୁଷ୍ଠିତ ହେବ। ଯଥାସମ୍ଭବ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଏହି କାର୍ଯ୍ୟ ସଂପାଦନ ହେବ। ଯଥାବିଧି ଯେଭଳି ମହାପ୍ରଭୁଙ୍କ ନୀତିକାନ୍ତି ସଂପନ୍ନ ହେବ ସେ ଉପରେ ଗୁରୁତ୍ବ ଦିଆଯାଇଛି। ୩ ତାରଖ ପର୍ଯ୍ୟନ୍ତ କଟକଣା ଭିତରେ ସମସ୍ତ କାର୍ଯ୍ୟ ସଂପନ୍ନ ହେବ। ୩ ତାରିଖ ପରେ କରୋନା ଉପରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଯାହାକିଛି ନୂଆ ନିୟମ ଆସିବ, ସେହି ଅନୁସାରେ କାର୍ଯ୍ୟ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି। ବରିଷ୍ଠ ଦଇତାପତି ସେବକ ତଥା ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, କଟକଣା ପାଇଁ ସୀମିତ ସଂଖ୍ୟକ ସେବାୟତଙ୍କ ଗହଣରେ ଏହି ନୀତି ସଂପନ୍ନ ହେଉଛି ଓ ଏ ଦିଗରେ ସେବାୟତ ସମୂହ ସହଯୋଗ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe