୭ ଦିନ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା : ରଥ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି ରଥଖଳା

ଆଜି ସକାଳ ୮ଟାରୁ ଆରମ୍ଭ ହେବ ରଥ ନିର୍ମାଣ

ପୁରୀ : କରୋନା କଟକଣା ଭିତରେ ବି ମହାପ୍ରଭୁ ଶ୍ରୀଜଗନ୍ନାଥ ନୀତିକାନ୍ତି ଯଥାରୀତି ଆଗେଇ ଚାଲିଛି। ଏ ଭିତରେ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଆଦ୍ୟପବର୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଉ ଦୁଇ ମାସ ପରେ ଅର୍ଥାତ୍‌ ଜୁନ ୨୩ରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ପୂର୍ବପ୍ରସ୍ତୁତି ପରମ୍ପରା ମୁତାବକ ଆରମ୍ଭ ହୋଇଛି। ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ ରଥକାଠ ପର୍ଯ୍ୟାୟକ୍ରମେ ରଥଖଳାରେ ପହଞ୍ଚିବା ସହ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ବି ସମାନ ପ୍ରକାରେ ପ୍ରସ୍ତୁତି ଆଗେଇ ଚାଲିଛି। ଲକ୍‌ଡାଉନ୍‌ ଭିତରେ ହିଁ ପବିତ୍ର ଅକ୍ଷୟ ତୃତୀୟା ପଡ଼ୁଛି। ଆସନ୍ତା ୨୬ ତାରିଖରେ ରଥ ନିର୍ମାଣ ଅନୁକୂଳ ସହ ମହାପ୍ରଭୁ ୨୧ ଦିନିଆ ଚନ୍ଦନଯାତ୍ରାରେ ବାହାରିବେ। ଏହା ଉଭୟ ମନ୍ଦିର ପ୍ରଶାସନ ଓ ସଂପୃକ୍ତ ସେବାୟତଙ୍କ ପାଇଁ ଏକ ଆହ୍ବାନ। ଏହାରି ଭିତରେ ବି ପୂର୍ବପ୍ରସ୍ତୁତି ଆଗେଇ ଚାଲିଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ରକ୍ଷା ଉପଲକ୍ଷେ ପୂର୍ବ ବର୍ଷ ଅପେକ୍ଷା ରଥଖଳାକୁ ବଡ଼ କରାଯାଇଛି। ଚନ୍ଦନଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରିଣୀକୁ ସଫା କରାଯିବା ସହ ଚତୁଃପାର୍ଶ୍ବ ପ୍ରାଚୀର ରଙ୍ଗଦିଆ କାମ ଆରମ୍ଭ ହୋଇଛି। ନରେନ୍ଦ୍ର ପୁଷ୍କରିଣୀର ପ୍ରବେଶ ପଥ, ମନ୍ଦିର ରଙ୍ଗଦିଆ କାମ ବି ଆରମ୍ଭ ହୋଇଛି। ଦେବାବେଦୀଙ୍କ ଚିତ୍ରରେ ନରେନ୍ଦ୍ର ପୁଷ୍କରିଣୀ ମନ୍ଦିର ସୁସଜ୍ଜିତ ହେଲାଣି। ସେପଟେ ନରେନ୍ଦ୍ରରୁ ନନ୍ଦା, ଭଦ୍ରା ‌ଓ ବୈଜୟନ୍ତୀ ଉଠିବା ପରେ ଏହାକୁ ସଜାଯିବା କାର୍ଯ୍ୟ ଆଗେଇ ଚାଲିଛି। ଏହାରି ଭିତରେ ଭୋଇ ସର୍ଦ୍ଦାର ରଥ ନିର୍ମାଣ ପାଇଁ କ୍ଷେତ୍ର ପ୍ରସ୍ତୁତି କରିବାକୁ ଅନୁମତି ପତ୍ର ପାଇବା ପରେ ରଥଖଳା କାମ ବି ଆଗେଇ ଚାଲିଛି। ବିଶ୍ବକର୍ମାମାନେ ଯେଉଁ ସ୍ଥାନରେ ରଥ ନିର୍ମାଣ କରିବେ, ସେହି ସ୍ଥାନକୁ ଛାଇ ଯୋଗାଇଦେବା ପାଇଁ ଚାଞ୍ଚରେ ଆଚ୍ଛାଦିତ କରାଯାଇଛି। ରଥଖଳ‌ାରେ କପଡ଼ା ପଡ଼ିବା ବିଧି ନଥିବାରୁ ଚାଞ୍ଚରେ ସଂପୂର୍ଣ୍ଣ ଭାବେ ରଥଖଳା ପ୍ରସ୍ତୁତ କରାଯାଉଛି। ରାଜନଅର ନିକଟରେ ବଡ଼ଦାଣ୍ଡ ଉପରେ ଥିବା ଏହି ରଥଖଳାର ଜାଗାକୁ ସଂପୂର୍ଣ୍ଣ ଖାଲି କରାଯାଇଛି। ପୂର୍ବରୁ ଥିବା ଦୋକାନ ସବୁ ହଟାଯାଇଛି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ଭୋଇ ସେବକମାନେ ରଥଖଳା ଚାରିପଟେ ବାଉଁଶ ପୋତି ଛାମୁଣ୍ଡିଆ ତିଆରି କରୁଛନ୍ତି। ସେହିଭଳି ଚନ୍ଦନଯାତ୍ରା ପାଇଁ ମହାପ୍ରଭୁ ଶ୍ରୀମନ୍ଦିରରୁ ବିମାନରେ ଯିବା ସମୟରେ ବଡ଼ଦାଣ୍ଡରେ ବିଭିନ୍ନ ସ୍ଥାନରେ ରହି ରହି ଯିବେ। ଯେଉଁ ସ୍ଥାନରେ ରହିବେ, ସେହି ସ୍ଥାନମାନଙ୍କରେ ଛାମୁଣ୍ଡିଆର ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe