ରଥଖଳା ଚଳଚଞ୍ଚଳ: ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ

ରଥଖଳା ଚଳଚଞ୍ଚଳ: ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ

ପୁରୀ : ରଥ ସଂହିତା ଆଧାରରେ ଗୁରୁବାର ଦିନ ପବିତ୍ର ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ପ୍ରଭୁ ଶ୍ରୀନୃସିଂହ ଦେବଙ୍କ ଜନ୍ମଦିନରେ ରଥଖଳାରେ କୋଣଗୁଜ ଅନୁକୂଳ ନୀତି ସମ୍ପନ୍ନ ହୋଇଛି। ରୂପକାର ସେବକମାନେ ଆଜିଠାରୁ କୋଣଗୁଜ କାମ ଆରମ୍ଭ କରିଛନ୍ତି। ସେପଟେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ମାଟିରେ ପୋତା ହୋଇ ରହିଥିବା ଯନ୍ତାଗାଡ଼କୁ ଖୋଳା ହୋଇଛି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ଭୋଇ ସେବକମାନେ ଏହି କାର୍ଯ୍ୟ କରିଥିବା ବେଳେ ଆଗାମୀ ଦିନରେ ଏଥିରେ ଭୋଇ ସେବକମାନେ ଯନ୍ତା ବାଡ଼ିଆ କାର୍ଯ୍ୟ ଆରମ୍ଭ କରିବେ।

ଗୁରୁବାର ଦିନ ନୃସିଂହ ଚତୁର୍ଦଶୀରେ ତିନି ରଥ ପାଇଁ ୭ଟି ଲେଖାଁଏ ୧୨ ଫୁଟିଆ ଧଉରା କାଠ ତିନି ରଥ ଚାଳିକୁ ଯୋଗାଇ ଦିଆଯାଇଥିଲା। ପରେ ତିନି ରଥର ମୁଖ୍ୟ ମହାରଣାମାନେ ନଡ଼ିଆ ବାଡେଇ ଅନୁକୂଳ ପୂଜା ପୂର୍ବକ ଗୁଜ ପାଇଁ ଉଦ୍ଦିଷ୍ଟ ୧୨ ଫୁଟିଆ ଧଉରା କାଠଗୁଡ଼ିକର ଉପର ଅଂଶକୁ ବାରିସୀରେ ହାଣି ସମତଳ କରି ଚଉପଟ(ଚାରି କୋଣିଆ) କରିଥିଲେ। ଅପରାହ୍ଣରେ ମହାପ୍ରଭୁଙ୍କ ଜାତଭୋଗ ପରେ ଚନ୍ଦନ ଠାକୁର ଚନ୍ଦନ ପୋଖରୀକୁ ବିଜେ ସମୟରେ ତିନିରଥର ମହାରଣା ସେବକ ଗୁଜ ଅନୁକୂଳ ପାଇଁ ରୂପକାର ସେବକଙ୍କୁ ତିନି ବାଡ଼ର ଗୋଟିଏ ଲେଖାଏଁ ଚଉପଟ ହୋଇଥିବା ଗୁଜ କାଠ ଯୋଗାଇ ଦେଇଥିଲେ। ପରେ ତିନିରଥର ମୁଖ୍ୟ ରୂପକାର ସେବକ ଗୁଜ କାଠରେ ନଡ଼ିଆ ବାଡେଇ, ମାଳ, ମାହାର୍ଦ୍ଦ ସମର୍ପଣ ପୂର୍ବକ ଅନୁକୂଳ ପୂଜା ସମ୍ପନ୍ନ କରିଥିଲେ। ତିନି ରଥରେ ଶ୍ରୀନୃସିଂହ ଦେବଙ୍କ ପ୍ରତିମା ଖୋଦେଇ କରି ପ୍ରାରମ୍ଭିକ କୋଣଗୁଜ ନିର୍ମାଣର ଅନୁକୂଳ ନୀତି ସମ୍ପନ୍ନ କରିଥିଲେ। ପ୍ରତି ରଥର ୭ଟି ଲେଖାଏଁ ଗୁଜ ଚଉପଟ କାମ ଶେଷ ହୋଇଛି। ସେପଟେ ଅସ୍ଥାୟୀ କମାରଶାଳରେ ତିନି ଓଝା ସେବକମାନେ ଅରକଣ୍ଟା, ପନ୍ଦାରି ଓ ବଳା ନିର୍ମାଣ କାମ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe