ରଥଖଳା ଚଳଚଞ୍ଚଳ: ତିନି ରଥରେ ଲାଗିଲା ତୃତୀୟ ଭୂଇଁ

ରଥଖଳା ଚଳଚଞ୍ଚଳ: ତିନି ରଥରେ ଲାଗିଲା ତୃତୀୟ ଭୂଇଁ

ପୁରୀ : ଗତକାଲି ପବିତ୍ର ସ୍ନାନପୂର୍ଣ୍ଣିମାରେ ତିନିରଥର ‘ଚଉଦ ନାହାକା’ ଖମ୍ବି ବୁଲିବା ସହ ପ୍ରଥମ ଭୂଇଁ ଉଠିଥିଲା। ଆଜି ନନ୍ଦିଘୋଷ ଓ ତାଳଧ୍ବଜ ରଥର ଆଗଆଣି ‘ଢମକ’ ପଡ଼ିଛି। ଦର୍ପଦଳନ ରଥର ଆଗଆଣି ଓ ପଛଆଣି ‘ଢମକ’ ପଡ଼ି କଣ୍ଟାବାଡ଼ିଆ ଶେଷ ହୋଇଛି। ଏହି ‘ଢମକ’ ଚାରିନାହାକାର ଭିତର ପଟ ଓ ବାହାର ପଟକୁ ଲାଗିପଡ଼ିଛି। ତିନିରଥର ଢମକ ପଡ଼ିବା ପରେ ଆଜି ତୃତୀୟ ଭୂଇଁ ବା ଅଗ ଭୂଇଁ ଫ୍ରେମ୍‌ ନିର୍ମାଣ ଶେଷ ପରେ ତିନିରଥରେ ସଂଯୋଗ ହୋଇଛି। ତୃତୀୟ ଭୂଇଁ ପଡ଼ିବା ପୂର୍ବରୁ ୪ଟି ଚଉତା ବର୍ଗାକାରରେ ସଂଯୋଗ ହୋଇ ଚାରିକୋଣରେ ୪ଟି ଭୂଇଁ ଗୋଡ଼ ଉଠି ପ୍ରତି ପାର୍ଶ୍ବରେ ୬ଟି ଲେଖାଏଁ ଛିଆଣ ଲଗାଯାଇଛି।

ରୂପକାର ସେବକମାନେ ତିନି ରଥର ନାଟଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରି ରଖିଛନ୍ତି। ଏଥିସହ ତିନି ରଥର ଗୋଟିଏ ଲେଖାଏଁ ଧୂଳି ଦଣ୍ଡାରେ ପଦ୍ମ ଡାଳିଲତା ଖୋଦେଇ କାର୍ଯ୍ୟ ଶେଷ କରିଛନ୍ତି। ଖୋଦେଇ ଶେଷ ପରେ ରୂପକାର ସେବକମାନେ ଏଥିରେ ରଙ୍ଗ ଦେବା ଆରମ୍ଭ କରିଛନ୍ତି। ଦୋଳବେଦି କମାରଶାଳରେ ଓଝା‌ ସେବକମାନେ ତିନି ରଥର ତୃତୀୟ ଭୂଇଁ କଣ୍ଟା ନିର୍ମାଣ ସାରି ରଥଖଳାକୁ ଯୋଗାଇ ଦେଇଛନ୍ତି। ଏଥିସହ ତିନି ରଥର ପୋଟଳ କଣ୍ଟା, ମୂଳ କଇଁଚି କଣ୍ଟା ଓ ତାଗ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe