ଭାଙ୍ଗି ଦେଲେ ରଥ ନିର୍ମାଣ ପରମ୍ପରା : ବନ୍ଦ କରିଦେଲେ ଚକଡେରା ଶେଷ ନୀତି

Advertisment
ଭାଙ୍ଗି ଦେଲେ ରଥ ନିର୍ମାଣ ପରମ୍ପରା : ବନ୍ଦ କରିଦେଲେ ଚକଡେରା ଶେଷ ନୀତି

ପୁରୀ : ବିଶ୍ବନିୟନ୍ତାଙ୍କ ରଥ ନିର୍ମାଣ ପାଇଁ ନିର୍ଦ୍ଦିଷ୍ଟ ପରମ୍ପରା ରହିଛି। ଏହି ପରମ୍ପରା ଆଧାରରେ ଯୁଗଯୁଗ ଧରି ରଥଖଳାରେ ରଥ ନିର୍ମାଣ ହୋଇ ଆସୁଛି। କିନ୍ତୁ ଚଳିତବର୍ଷ ବ୍ୟତିକ୍ରମ ପରେ ବ୍ୟତିକ୍ରମ ଦେଖାଦେଇଛି। ପ୍ରଥମେ ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ ନୀତି ବନ୍ଦ କରି ଦେଇଥିଲେ। ଏବେ ଚକଡେରା ଶେଷ ନୀତିକୁ ବି ଏକ ପ୍ରକାର ବନ୍ଦ କରି ଦିଆଯାଇଛି। ଆଜି ଶୀତଳଷଷ୍ଠୀରେ ଏହି ନୀତି ଅନୁଷ୍ଠିତ ହେବାର ବିଧି ରହିଥିଲେ ବି ଏହା କରାଯାଇନି। ସେ‌ପଟେ ଭୋଇ ସେବକମାନେ ଏଥିପାଇଁ ପ୍ରସ୍ତୁତ ହୋଇ ରହିଥିଲେ ବି ସେମାନଙ୍କୁ ଏ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇନି। କେହି କେହି ଆସନ୍ତାକାଲି ଗୁଆଲିରେ ଚକଡେରା ‌ଶେଷ ହେବ ବୋଲି କହୁଥିବାବେଳେ କିଛି ଚକଡେରା ଶେଷ ନୀତି ହେବନି ବୋଲି ମତ ଦେଇଛନ୍ତି।

ରଥ ସଂହିତା ଅନୁଯାୟୀ, ଶ୍ରୀରାମ ନବମୀରେ ରଥ କାଠ ଚିରଟ ଅନୁକୂଳ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯାଇଥାଏ। ଏହା ପରେ ଭଉଁରୀରେ ଚକ ଡେରା କାମ ଆରମ୍ଭ, ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ ଓ ଶୀତଳଷଷ୍ଠୀରେ ଚକଡେରା କାର୍ଯ୍ୟ ଶେଷ ହୋଇଥାଏ। ସ୍ନାନପୂର୍ଣ୍ଣିମାରେ ରଥ ଚାରିନାହାକା ଉଠିବା ପରେ ରଥଯାତ୍ରା ଦିନ ସକାଳେ ବନଯାଗ ବିଧିରେ ରଥ ପ୍ରତିଷ୍ଠା ମଣ୍ଡପରେ ରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ପରେ ଚତୁର୍ଦ୍ଧାମୂର୍ତ୍ତି ତିନି ରଥରେ ବିଜେ ହୋଇ ରଥଯାତ୍ରାରେ ବାହାରିଥାନ୍ତି। ଶୀତଳଷଷ୍ଠୀରେ ଚକଡେରା ଶେଷ ନୀତି ଅର୍ଥାତ୍‌ ଏହି ଦିନ ତିନି ରଥର ୪୨ ଚକ ଓ ୨୧ ଅଖ ସମ୍ପୂର୍ଣ୍ଣ ହୋଇ ସଂଯୋଗ ପରେ ଠିଆ କରି ରଖାଯାଇଥାଏ। ଆଜି ଶୀତଳଷଷ୍ଠୀ ଥିଲେ ବି ଏହି ନୀତି ଅନୁଷ୍ଠିତ ହୋଇନି।

ଏ ସମ୍ପର୍କରେ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି, ଶୀତଳଷଷ୍ଠୀରେ ଚକଡେରା ନୀତି ହେବା କଥା, କିନ୍ତୁ ଏହା କରାଯାଇନି। ଆସନ୍ତାକାଲି ବି ଏହା ହେବା ନେଇ କୌଣସି ସମ୍ଭାବନା ନାହିଁ। ଭୋଇ ସର୍ଦ୍ଧାର ରବି ଭୋଇ କହିଛନ୍ତି, ଆସନ୍ତାକାଲି ଗୁଆଲିରେ ଚକଡେରା ଶେଷ ପାଇଁ ଆମେ ସମସ୍ତ ପ୍ରସ୍ତୁତି କରିଛୁ। ମହାରଣା ସେବକମାନେ ଚିହ୍ନ ଦେଲେ ଆମେ ଚକ ଡେରିବୁ। କିନ୍ତୁ ଆମକୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନି। ପୂର୍ବରୁ ଆଗୁଆ ସୂଚନା ଦିଆଯାଇଥାଏ। କିନ୍ତୁ ଚଳିତବର୍ଷ ସେଭଳି କିଛି କରାଯାଇନି। ସେପଟେ ପଞ୍ଚୁପାଣ୍ଡବ ତଥା ପଞ୍ଚ ମହାଦେବ ଶ୍ରୀମନ୍ଦିର ବାହାରକୁ ଆସିବେ କି ନାହିଁ ତାହା ବି ଜଣାପଡ଼ିନି। ଏଭଳି ପରିସ୍ଥିତିରେ ଆମେ ବି ଦ୍ବନ୍ଦ୍ବରେ ରହିଛୁ। କିନ୍ତୁ ଆମ ତରଫରୁ ଚକ ଓ ଅଖ ପ୍ରସ୍ତୁତ ରଖାଯାଇଛି ବୋଲି ଭୋଇ ସର୍ଦ୍ଧାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe