ରଥଯାତ୍ରା ଦାୟିତ୍ବରେ ୧୦ ହଜାର ପୁଲିସ, ସୁରକ୍ଷା ଦାୟିତ୍ବରେ ୪ ଆଇଜି

Advertisment

ଭକ୍ତଙ୍କ ପାଇଁ ୫୦୦ ‌ଅସ୍ଥାୟୀ ଶୌଚାଳୟ, ସେବା ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଡ୍ରେସ୍‌ କୋଡ୍, ଆଜି ମୁଖ୍ୟମନ୍ତ୍ରୀ କରିବେ ରଥଯାତ୍ରା ସମୀକ୍ଷା

ଭକ୍ତଙ୍କ ପାଇଁ ୫୦୦ ‌ଅସ୍ଥାୟୀ ଶୌଚାଳୟ, ସେବା ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଡ୍ରେସ୍‌ କୋଡ୍, ଆଜି ମୁଖ୍ୟମନ୍ତ୍ରୀ କରିବେ ରଥଯାତ୍ରା ସମୀକ୍ଷା

ରଥଯାତ୍ରା ଦାୟିତ୍ବରେ ୧୦ ହଜାର ପୁଲିସ, ସୁରକ୍ଷା ଦାୟିତ୍ବରେ ୪ ଆଇଜି

puriholidayresort.com

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ସୁରୁଖୁରରେ ଶେଷ କରିବା ପାଇଁ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି। ଶାନ୍ତିଶୃଙ୍ଖଳାର ସହ ଭକ୍ତମାନେ କିଭଳି ମହାପ୍ରଭୁଙ୍କ ଦର୍ଶନ କରି ଫେରିବେ ସେ ଦିଗକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ଏ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ପୁରୀ ଜିଲ୍ଲା ପ୍ରଶାସନ। ରଥଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନଶୃଙ୍ଖଳା, ସ୍ବାସ୍ଥ୍ୟକର ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଶୌଚ ଆଦି କାର୍ଯ୍ୟର ଦାୟିତ୍ବ ବାଣ୍ଟିଛି ପ୍ରଶାସନ।

ପୁରୀ ସ୍ବତନ୍ତ୍ର ସର୍କିଟ୍ ହାଉସଠାରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଜିଲ୍ଲାପାଳ ବଲୱନ୍ତ ସିଂ କହିଥିଲେ, ବାତ୍ୟାରେ ପୁରୀ ସହର ଓ ସହରତଳି ଅଞ୍ଚଳରେ ଲାଗିଥିବା ୭ ହଜାର ୫୦୦ ଷ୍ଟ୍ରିଟ୍‌ ଲାଇଟ୍‌ରୁ ୫ ହଜାର ୫୦୦ ଷ୍ଟ୍ରିଟ୍‌ ଲାଇଟ୍ ଅଚଳ ହୋଇ ଯାଇଥିଲା। ଏସବୁର ମରାମତି କାମ ଶେଷ ହୋଇଛି। ସେହିପରି ଅଚଳ ହାଇମାଷ୍ଟ ଲାଇଟ୍‌ର ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସହର ଭିତରେ ୫୦୦ଟି ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ଏହାର ପରିଚାଳନା ଦାୟିତ୍ବ ନେଇଛି। ଏହା ଛଡ଼ା ୫ ୟୁନିଟ୍ ଭ୍ରାମ୍ୟମାଣ (ମୋବାଇଲ୍) ଶୌଚାଳୟ ବ୍ୟବସ୍ଥା କରାଯାଇଛି। ସଫେଇ କାମ ପାଇଁ ୫୦୦ କର୍ମଚାରୀ ମୁତୟନ ହୋଇଛନ୍ତି। ପିଇବା ପାଣି ପାଇଁ ୩୨ଟି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି। ବିଜୁଳି, ଡ୍ରେନ୍‌ ତଥ୍ୟ ଅନ୍ୟାନ୍ୟ କାର୍ଯ୍ୟ ତଦାରଖ ପାଇଁ ୨ ହଜାର ସରକାରୀ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଏହି କର୍ମଚାରୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଡ୍ରେସ୍‌କୋଡ୍ କରାଯାଇଛି। ଯାହାଦ୍ବାରା କୌଣସି ସାହାଯ୍ୟ ସହଯୋଗ ଆବଶ୍ୟକ କରୁଥିବା ଭକ୍ତମାନେ ସହଜରେ ଏହି କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କଠାରୁ ସହଯୋଗ ନେଇପାରିବେ।

ରଥଯାତ୍ରାରେ ଆଶୁ ଚିକିତ୍ସା ପାଇଁ ୨୫୦ରୁ ଅଧିକ ଡାକ୍ତର ନିୟୋଜିତ ହେବେ। ୧୩୬ ଜଣ ରେଗୁଲାର ଡାକ୍ତରଙ୍କ ସହ ଜିଲ୍ଲା ଭିତରୁ ୫୦ ଜଣ ଓ ଜିଲ୍ଲା ବାହାରୁ ୭୫ ଜଣ ଡାକ୍ତର ରଥଯାତ୍ରା ଲାଗି ପ୍ରସ୍ତୁତ ରହିବେ। ସେମାନଙ୍କ ସହିତ ୪୦୦ ପାରା ମେଡିକାଲ୍ ଷ୍ଟାଫ୍ ବି ମୁତୟନ ହେବେ। ୩୨ଟି ଫାଷ୍ଟ ଏଡ୍ ଏବଂ ୩୦ଟି ସରକାରୀ ଆମ୍ବୁଲାନ୍ସ ନିୟୋଜିତ କରାଯିବ। ଆବଶ୍ୟକ ପଡ଼ିଲେ ଘରୋଇ ଆମ୍ବୁଲାନ୍ସର ଆବଶ୍ୟକତା ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ରଥଯାତ୍ରାରେ ଅଖାଦ୍ୟ ବିକ୍ରିକୁ ରୋକିବା ତଥା ଖାଦ୍ୟର ମାନ ଯାଞ୍ଚ ପାଇଁ ୫ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ମୁତୟନ କରାଯିବ।

ଆଇନୃଶଙ୍ଖଳା ସମ୍ପର୍କରେ ସୂଚନା ଦେଇ ଏସ୍‌ପି ଉମାଶଙ୍କର ଦାଶ କହିଥିଲେ, ଚଳିତ ବର୍ଷ ରଥଯାତ୍ରା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଭିତର ଶୃଙ୍ଖଳା ଦାୟିତ୍ବ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦିଆଯାଇଛି। ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ଆଇଜି ଅସିତ୍ ପାଣିଗ୍ରାହୀ, ରଥ କର୍ଡନ ପାଇଁ ଅରୁଣ ବୋଥ୍ରା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଅମିତାଭ ଠାକୁର ରହିବେ। ୧୫୫ ପ୍ଲାଟୁନ୍ ଫୋର୍ସ ଓ ପୁଲିସ ଅଧିକାରୀଙ୍କୁ ମିଶାଇ ଏଥର ୧୦ ହଜାର ପୁଲିସ ରଥଯାତ୍ରାରେ ମୁତୟନ ହେବେ। ଟ୍ରାଫିକ୍ ବ୍ୟବସ୍ଥା ପୂର୍ବ ବର୍ଷ ଭଳି ରହିଛି। ରାଜ୍ୟ ବାହାର ବସ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବାର ବ୍ୟବସ୍ଥା କରାଯାଇଛି। ରେଗୁଲାର ବସ ତାଳବଣିଆଠାରେ ପାର୍କିଂ କରିବେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ପୁରୁଣା ଜେଲଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ବ୍ରହ୍ମଗିରି ପଟୁ ଆସୁଥିବା ଭକ୍ତଙ୍କ ପାଇଁ ମଶାଣି ଚଣ୍ଡୀ ଓ ଫ୍ଲୋରିସ୍ ଇଣ୍ଡିଆଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଦୁଇଚକିଆ ‌ଗାଡ଼ି ମଶାଣି ଚଣ୍ଡୀ ଓ ଚାରିଚକିଆ ଫ୍ଲୋରିସ୍ ଇଣ୍ଡିଆଠାରେ ପାର୍କିଂ କରିବେ। କୋଣାର୍କ ପଟୁ ଆସୁଥିବା ଭକ୍ତଙ୍କ ପାଇଁ ତାଳବଣିଆଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବର ଆଡ଼ୁ ଆସୁଥିବା ଭକ୍ତଙ୍କ ପାଇଁ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚାରିଚକିଆ ଗାଡ଼ି ତାଳବଣିଆ ଓ ଦୁଇଚକିଆ ଗାଡ଼ି ପୁରୁଣା ଜେଲଠାରେ ପାର୍କିଂ କରିବେ। ପୁରୁଣା ଜେଲଠାରେ ପାର୍କିଂ ହୋଇଥିବା ଗାଡ଼ି ଅଠରନଳା ଦେଇ ଫେରିବାର ବ୍ୟବସ୍ଥା କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜି ଏସ୍ ସିଂ, ସହକାରୀ ସୂଚନା ଓ ଲୋକସଂପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ମୁଖ୍ୟମନ୍ତ୍ରୀ କରିବେ ରଥଯାତ୍ରା ସମୀକ୍ଷା

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ପୁରୀ ଗସ୍ତରେ ଆସି ରଥଯାତ୍ରା ସମନ୍ବୟର ଶେଷ ବୈଠକରେ ଯୋଗ ଦେଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ। ଆସନ୍ତାକାଲି ନୀଳାଦ୍ରି ଭକ୍ତ ନିବାସଠାରେ ପୂର୍ବାହ୍ଣ ୧୧ଟାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ଏହା ପୂର୍ବରୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ରଥଯାତ୍ରା ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ତୃତୀୟ ସମନ୍ବୟ ବୈଠକ ମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe