ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଂଗ : ସତ୍ୟପାଠ ସମୟସୀମା ଶେଷ, ଜୁଲାଇ ୩୦ରେ ପୁରୀରେ କମିସନଙ୍କ ବୈଠକ

ଶ୍ରୀମନ୍ଦିର ପ୍ରଶାସକ, ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ରହିବେ

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଂଗ : ସତ୍ୟପାଠ ସମୟସୀମା ଶେଷ, ଜୁଲାଇ ୩୦ରେ ପୁରୀରେ କମିସନଙ୍କ ବୈଠକ

କଟକ : ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଗଠିତ ଜଷ୍ଟିସ ରଘୁବୀର ଦାଶ କମିସନ୍‌ଙ୍କ ନିକଟରେ ସତ୍ୟପାଠ ଆହ୍ଵାନର ଅବଧି ଆଜି ଶେଷ ହୋଇଛି। ସିଧା ସଳଖ ମୋଟ ୪ଟି ସତ୍ୟପାଠ କମିସନଙ୍କ ନିକଟରେ ଦାଖଲ କରାଯାଇଥିବା ସୂଚନା ମିଳିଛି। ଜୁଲାଇ ୨୬ରେ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ଟର୍ମ ଅଫ୍‌ ରେଫରେନ୍ସ ଆଧାରରେ ଜନସାଧାରଣ, ବିଭିନ୍ନ ଅନୁଷ୍ଠାନ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ଅଧିକାରୀଙ୍କ ନିକଟରୁ ପ୍ରସ୍ତାବ ଆହ୍ଵାନ କରାଯାଇଥିଲା। କମିସନଙ୍କ କଟକ ସର୍କିିଟ ହାଉସସ୍ଥିତ କାର୍ଯ୍ୟାଳୟ ସହିତ ପୁରୀ ଏଡିଏମଙ୍କ ନିକଟରେ ସିଧା ସଳଖ ସତ୍ୟପାଠ ଦାଖଲ କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଗତ ମାସରୁ ପୁରୀରେ ରଥଯାତ୍ରା ସଂପର୍କିତ ନୀତି ଆରମ୍ଭ ହୋଇଥିଲା। ବାହୁଡା ପରେ ଜୁଲାଇ ୨୫ରେ ଶ୍ରୀଜିଉଙ୍କ ନୀଳାଦ୍ରିବିଜେ ନୀତି ସଂପାଦିତ ହୋଇଥିବା ବେଳେ ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଭକ୍ତ ଏଥି ପାଇଁ ବ୍ୟସ୍ତ ଭିତରେ ରହିଥିଲେ। ଏପରି ପରିସ୍ଥିତିରେ ସତ୍ୟପାଠ ଦାଖଲର ସମୟ ସୀମା ବୃଦ୍ଧି କରାଯିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ପୁରୀଠାରେ ଜୁଲାଇ ୩୦ରେ କମିସନଙ୍କ ପ୍ରଥମ ବୈଠକ ବସିବ। ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଏସପି ଓ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରମୁଖ ଉପସ୍ଥିତ ରହିବା ପାଇଁ ଗୃହ ବିଭାଗ ପକ୍ଷରୁ ଚିଠି କରାଯାଇଛି ବୋଲି କମିସନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ବୈଠକରେ ତଦନ୍ତ ପ୍ରକ୍ରିୟାର ବିଭିନ୍ନ ଦିଗ ସଂପର୍କରେ ବିସ୍ତତ ଆଲୋଚନା କରାଯିବ। ଏହି ବୈଠକ ପରେ କମିସନ ନିଜ ତଦନ୍ତ କାର୍ଯ୍ୟକୁ ଅଧିକ ତ୍ୱରାନ୍ଵିତ କରିବେ। ସେହିପରି ଏଥି ପାଇଁ ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତି କରିବା ପାଇଁ ଗୃହ ବିଭାଗ ପକ୍ଷରୁ ଆଡ଼ଭୋକେଟ ଜେନେରାଲ(ଏଜି)ଙ୍କୁ ଏକ ଚିଠି ଲେଖାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ସରକାରୀ ଓକିଲଙ୍କୁ ନିଯୁକ୍ତି ଦିଆଯାଇ ନଥିବା ସୂଚନା ମିଳିଛି। ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧିନରେ କାର୍ଯ୍ୟରତ ଆଇନ ଅଧିକାରୀ ଦାମୋଦର ପଣ୍ଡାକୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ନୋଡାଲ ଅଫିସର କମିସନଙ୍କ ତଦନ୍ତ ପ୍ରକ୍ରିୟାରେ ବିଭିନ୍ନ ବିଭାଗ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ମଧ୍ୟରେ ସମନ୍ଵୟ ରକ୍ଷା କରିବେ ବୋଲି ଜଣା ପଡିଛି।

ଏଠାରେ ସୂଚନା ଯୋଗ୍ୟ ଯେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଂଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାର ବିଚାର ବିଭାଗୀୟ ତନନ୍ତ ପାଇଁ ସରକାର ଘୋଷଣା କରିଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ କମିସନଙ୍କ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ୨୦୧୮, ଜୁନ୍‌ ୮ରେ ଗୃହ ବିଭାଗ ପକ୍ଷରୁ ତଦନ୍ତର ଟର୍ମ ଅଫ୍‌ ରେଫରେନ୍ସ ପ୍ରକାଶ ପାଇଥିଲା। ୩ ମାସ ଭିତରେ କମିସନ୍‌ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe