ଭକ୍ତଙ୍କୁ ବାନ୍ଧିରଖିଛି କାଳିଆ ମୋହ : ତାଲାବନ୍ଦରେ ବି ବନ୍ଦ ହୋଇନି ହୁଣ୍ଡିଦାନ

ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ ଉପରେ ଜନଶୁଣାଣି, ‘ଜମି ବଦଳରେ ଜମି ଦିଅ’

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥ ଭାବଦିଆ ଠାକୁର। ମାନବଦେହୀ ମହାପ୍ରଭୁ ଭକ୍ତର ମନକଥା ଭଲ ଭାବେ ବୁଝିପାରନ୍ତି। ଏହି ଅଗାଧ ବିଶ୍ବାସ ନେଇ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଦୌଡ଼ି ଆସନ୍ତି। ତେବେ ତାଲାବନ୍ଦ ଘୋଷଣା ପରେ ମହାପ୍ରଭୁଙ୍କ ଦର୍ଶନ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। କେବଳ ମହାପ୍ରଭୁଙ୍କ ନୀତିକାନ୍ତି ଯଥାରୀତି ସଂପନ୍ନ ହେଉଛି। ଆଶା କରାଯାଉଥିଲା ଭକ୍ତଙ୍କ ଦର୍ଶନ ପରେ ହୁଣ୍ଡିଦାନ ସଂପୂର୍ଣ୍ଣ ବନ୍ଦ ହୋଇଯିବ। କିନ୍ତୁ ତାଲାବନ୍ଦର ପ୍ରଭାବ ମହାପ୍ରଭୁଙ୍କ ହୁଣ୍ଡିଦାନକୁ ପ୍ରତିହତ କରିପାରିନି। ପରିମାଣ କମିଛି ସତ, କିନ୍ତୁ ଭକ୍ତ-ଭଗବାନଙ୍କୁ ଏହି ତାଲାବନ୍ଦ ଅଲଗା କରିପାରିନି। ଯେଉଁଥିପାଇଁ ଏବେ ବି ହୁଣ୍ଡିଦାନ ଅବ୍ୟାହତ ରହିଛି।

୧୯୮୩ ମସିହାରେ ଶ୍ରୀମନ୍ଦିର ନାଟ ମଣ୍ଡପରେ ହୁଣ୍ଡି ସ୍ଥାପନ କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ। ପ୍ରଥମ ଭକ୍ତ ଭାବେ ଶ୍ରୀ ପଟ୍ଟନାୟକ ହୁଣ୍ଡିରେ ଦାନ ଟଙ୍କା ପକାଇଥିଲେ। ସେବେଠୁ ଭକ୍ତମାନେ ମହାପ୍ରଭୁଙ୍କ ଏହି ହୁଣ୍ଡିରେ ଦାନ କରି ଆସୁଛନ୍ତି। କାଳକ୍ରମେ ପ୍ରଚାରପ୍ରସାର ପରେ ହୁଣ୍ଡି ଦାନ ପରିମାଣ ବି ବଢ଼ିଛି। ଏବେ ଦୈନିକ ହୁଣ୍ଡିରୁ ୩ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଦାନସୂ୍ତ୍ରରେ ଆସୁଛି। କିନ୍ତୁ 'କରୋନା' ପାଇଁ ଯେବେଠୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ତଥା ପ୍ରବେଶରେ କଟକଣା ଲାଗୁ କରାଯାଇଛି, ସେବେଠୁ ଦାନ ଅର୍ଥ କମିବାରେ ଲାଗିଛି। 'କରୋନା' କଟକଣା ପରେ ଶେଷ ଥର ପାଇଁ ମାର୍ଚ ୧୫ରେ ଶ୍ରୀମନ୍ଦିର ହୁଣ୍ଡିରୁ ୩ ଲକ୍ଷ ୩୬ ହଜାର ୩୧୭ ଟଙ୍କା ସର୍ବାଧିକ ଦାନ ମିଳିଥିଲା। ସେବେଠୁ କ୍ରମାଗତ ଏହି ଦାନ କମିବାରେ ଲାଗିଛି। ୧୬ ମାର୍ଚରେ ଦାନ ପରିମାଣ ୯୮ହଜାର ୮୭୨ ଟଙ୍କା ରହିଥିଲା। ମାର୍ଚ ୧୭ରୁ ମାର୍ଚ ୨୦ ପର୍ଯ୍ୟନ୍ତ ଦାନ ଅର୍ଥ ୨୩ ହଜାର ଟଙ୍କାରୁ ୭୨ହଜାର ଟଙ୍କା ଭିତରେ ରହିଥିଲା। ଏହା ପରଠାରୁ ଦାନ ଅର୍ଥ ଚାରି ସଂଖ୍ୟାକୁ ଖସି ଆସିଛି। ମାର୍ଚ ୨୧ରେ ୨ ହଜାର ୫୯୯ ଟଙ୍କା, ମାର୍ଚ ୨୨ରେ ୧ହଜାର ୭୫୨ ଟଙ୍କା, ମାର୍ଚ ୨୪ରେ ୨ ହଜାର ୯୭୯ ଟଙ୍କା, ମାର୍ଚ ୨୬ରେ ଏକ ହଜାର ୯୭୭ ଟଙ୍କା, ମାର୍ଚ ୨୭ରେ ୧ହଜାର ୪୩୩ ଟଙ୍କା, ମାର୍ଚ ୩୦ରେ ଏକ ହଜାର ୩୮୯ ଟଙ୍କା, ମାର୍ଚ ୩୧ରେ ୩ହଜାର ୪୬୩ ଟଙ୍କା, ଏପ୍ରିଲ ୧ରେ ୧ହଜାର ୧୮୨ ଟଙ୍କା ଓ ଆଜି ୩ହଜାର ୧୫୫ ଟଙ୍କା ଦାନସୂତ୍ରରେ ହୁଣ୍ଡିରୁ ମିଳିଛି। ମାର୍ଚ ୨୩ରେ ସର୍ବନିମ୍ନ ୪୬୭ ଟଙ୍କା ହୁଣ୍ଡିରୁ ମିଳିଛି। କିନ୍ତୁ କୌଣସି ଦିନ ହୁଣ୍ଡିଦାନ ଶୂନ ହୋଇନି। ଏହା ମହାପ୍ରଭୁଙ୍କ ପ୍ରତି ଭକ୍ତଙ୍କ ଦୁର୍ବଳତାକୁ ପରିପ୍ରକାଶ କରୁଛି। ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ତାଲାବନ୍ଦ ଥିଲେ ବି ଭକ୍ତମାନେ ଅବଢ଼ା ବରାଦି ଦେଉଛନ୍ତି। ଯେଉଁ ଭକ୍ତମାନେ ଅବଢ଼ା ବରାଦି ଦେଉଛନ୍ତି, ସେମାନେ ସେବାୟତ ଅବା ବୋଝିଆଙ୍କ ହାତରେ ଦାନ ଅର୍ଥ ହୁଣ୍ଡିରେ ପକାଇବାକୁ ଦେଉଛନ୍ତି। ଏହାବାଦ୍ ବହୁ ଭକ୍ତ ଅଛନ୍ତି, ଯେଉଁମାନେ ଦୈନିକ ହୁଣ୍ଡିରେ ଟଙ୍କା ପକାଇଥାନ୍ତି। ସେମାନେ ବର୍ତ୍ତମାନ କଟକଣା ଯୋଗୁଁ ମନ୍ଦିର ଯାଇପାରୁନାହାନ୍ତି ସତ, କିନ୍ତୁ ହୁଣ୍ଡିରେ ଟଙ୍କା ପକାଇବା ବନ୍ଦ କରିନାହାନ୍ତି। ଯେଉଁ ଭକ୍ତମାନେ ଦୈନିକ ନିଜେ ଆସି ହୁଣ୍ଡିରେ ଦାନ କରୁଥିଲେ, ସେମାନେ ଏବେ ସେବାୟତଙ୍କ ଜରିଆରେ ହୁଣ୍ଡିରେ ଦାନ କରୁଛନ୍ତି। ଏପରିକି ମହାପ୍ରଭୁ ଅଣସରରେ ଥିବାବେଳେ ଦାନ ଟଙ୍କା କେବେ ବି ବନ୍ଦ ହୋଇନି। ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାରେ ବି ହୁଣ୍ଡିରେ ଦାନ ଟଙ୍କା ପଡ଼େ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe