ରତ୍ନଭଣ୍ଡାର ପାଇଁ ଏତେ ତରବର କାହିଁକି?

Advertisment
ରତ୍ନଭଣ୍ଡାର ପାଇଁ ଏତେ ତରବର କାହିଁକି?

୪୮ ଘଣ୍ଟା ପରେ ଖୋଲିବ
କିଛି ଜଣାଉନାହାନ୍ତି ଅଧିକାରୀ
ଅସନ୍ତୋଷ ତେଜିଲାଣି, ଅକଳରେ ସରକାର
ଭକ୍ତଙ୍କ ଭାବାବେଗ ସହିତ ଖେଳ!

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ସ୍ଥିତି କେମିତି ଅଛି? ଏହା ଦୁର୍ବଳ ହୋଇଯାଇନାହିଁ ତ?

ଶ୍ରୀମନ୍ଦିର ପ୍ରଶାସନ ମନର ଏହି ଗୋଟିଏ ଦ୍ୱନ୍ଦ୍ୱ ଏବେ ସମଗ୍ର ରାଜ୍ୟରେ ବଡ଼ ପ୍ରତିକ୍ରିୟା ସୃଷ୍ଟି କଲାଣି। ଏମିତି ଯେ ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠ ଆଧାରରେ ହାଇକୋର୍ଟ ଆସନ୍ତା ୨୬ ଓ ୨୭ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯେଉଁ ନିର୍ଦେଶ ଦେଇଛନ୍ତି, ତାହାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେବାୟତ ଆତ୍ମହୁତି ଉଦ୍ୟମ ଧମକ ଦେଇଥିବା ବେଳେ ଆଉ କିଛି ସଂଗଠନ ଖୋଲାଖୋଲି ଏହାକୁ ବିରୋଧ କରୁଛନ୍ତି।

ସବୁଠାରୁ ବଡ଼ କଥା ହେଉଛି, ରତ୍ନଭଣ୍ଡାର ଯାଞ୍ଚ ନେଇ ଶ୍ରୀମନ୍ଦିର ପ୍ରଶାସନର ତରବରିଆ ନିଷ୍ପତ୍ତି ଓ ପଦକ୍ଷେପ ବୁଦ୍ଧିଜୀବୀ ମହଲକୁ ବି ଆନ୍ଦୋଳିତ କଲାଣି। ଏଥିସହିତ ଏହି ପ୍ରସଙ୍ଗଟି ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବାକୁ ଯାଉଛି।

ମହାପ୍ରଭୁଙ୍କ ବ୍ରହ୍ମବିଭ୍ରାଟ ଘଟଣାର ସନ୍ଦେହ ଜାଲରୁ ଶ୍ରୀମନ୍ଦିର ପ୍ରଶାସନ ଏଯାଏ ମୁକୁଳିପାରିନାହିଁ। ଏହାକୁ ନେଇ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମନରେ ଯଥେଷ୍ଟ କ୍ଷୋଭ ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି (ନୂଆ) ଗଠନ ହେବା ପରେ ବି ଏହି ରିପୋର୍ଟକୁ ସାର୍ବଜନୀନ କରାନଯିବା, ଏକ ସ୍ୱତନ୍ତ୍ର କମିଟି କରି ଏହାର ତର୍ଜମା ନିର୍ଦେଶ ଦେଇ ସମୟ ଗଡାଇବା ଘଟଣା ପ୍ରଶାସନର ସ୍ୱଚ୍ଛତା ଓ ନିଷ୍ଠା ଉପରେ ସନ୍ଦେହର କଳାବାଦଲ ଢାଙ୍କିଛି। କିଛି ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ଲାଗି ପ୍ରଶାସନ ସାଧାରଣ ଲୋକଙ୍କ ଭାବାବେଗ ସହିତ ଖେଳିବା ଆରମ୍ଭ କରିଛି ବୋଲି ଧାରଣା ସୃଷ୍ଟି ହେଉଛି।

ଏହି ସମୟରେ ତରବରିଆ ଭାବେ ରତ୍ନଭଣ୍ଡାର ଯାଞ୍ଚ ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ କେହି ଗ୍ରହଣ କରିପାରୁନାହାନ୍ତି। ଆଉ ୪୮ ଘଣ୍ଟା ପରେ ରତ୍ନଭଣ୍ଡାର ଖୋଲାଯାଇପାରେ। ହେଲେ ଯାଞ୍ଚ ବେଳେ କେତେଦୂର ସ୍ୱଚ୍ଛତା ଅବଲମ୍ବନ କରାଯାଇପାରିବ, ସେ ନେଇ ପ୍ରଶାସନ ଏଯାଏ ଉଁ କି ଚୁଁ କହୁନାହିଁ। ଏଣୁ ସ୍ୱାଭାବିକ ଭାବେ ଏହି ପ୍ରସଙ୍ଗଟି ଅଧିକ ବିବାଦୀୟ ହେବାରେ ଲାଗିଛି। ପ୍ରଶାସନର କାର୍ଯ୍ୟତରିକା ବି ଲୋକଙ୍କ ଭିତରେ ଏ ବିବାଦକୁ ଅଧିକ ତେଜିବାରେ ସାହାଯ୍ୟ କରୁଛି।

ପ୍ରଶ୍ନ ଉଠୁଛି, ରତ୍ନଭଣ୍ଡାରରେ ରତ୍ନଦ୍ରବ୍ୟ ଥାଇ ଏଏସ୍‌ଆଇ କର୍ତ୍ତୃପକ୍ଷ ଯାଞ୍ଚ କରିବେ? ଏହାଦ୍ୱାରା ସମୁଦାୟ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ହେବ କେମିତି? ଯଦି ସେୟା ନୁହେଁ, ରତ୍ନଭଣ୍ଡାରରେ ଯାଞ୍ଚ ବେଳେ କୋଟି କୋଟି ଟଙ୍କା ମୂଲ୍ୟର ରତ୍ନ ବାକ୍ସ, ସିନ୍ଦୁକ, ଆଲମାରି କେଉଁଠି ରହିବ? ତା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅସ୍ଥାୟୀ ଭଣ୍ଡାର ପ୍ରସ୍ତୁତ କରିଛି? ଭଣ୍ଡାର ଖୋଲିବା ପାଇଁ ସରକାର ଅନୁମତି ଦେଲେଣି? କେଉଁମାନଙ୍କ ଉପସ୍ଥିତିରେ ସାଧାରଣ ଲୋକଙ୍କ ଭାବନା ସହିତ ଯୋଡି ହୋଇରହିଥିବା ରତ୍ନଭଣ୍ଡାର ଖୋଲିବ? ନା ପ୍ରଶାସନିକ ଅଧିକାରୀମାନେ ଆପେ ଆପେ ଖୋଲି ସ୍ଥିତି ଯାଞ୍ଚ କରିବେ? ସ୍ଥିତି ଯାଞ୍ଚ ବେଳେ ସିନ୍ଦୁକ ବା ଆଲମାରି ଖୋଲାଯିବନି ଏହାର ଗ୍ୟାରେଣ୍ଟି କଣ? ଆଜିଯାଏ ଚୁପ୍‌ ଥିବା ପ୍ରଶାସନ ହଠାତ୍‌ ରତ୍ନଭଣ୍ଡାରକୁ ନେଇ ଏତେ ସକ୍ରିୟ ହୋଇପଡିଛି କାହିଁକି? ଯେଉଁ ପ୍ରଶାସନର ଅପରାଗତା ଲାଗି ବ୍ରହ୍ମ ବିଭ୍ରାଟ ଭଳି ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଲା, ସେମାନେ ଭରସାଯୋଗ୍ୟ କି? ଏସବୁକୁ ନେଇ ସାଧାରଣ ଲୋକଙ୍କ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି ଓ ପ୍ରସଙ୍ଗଟି ଜଟିଳ ରୂପ ଧାରଣ କରୁଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଏଏସ୍‌ଆଇ ଇତିମଧ୍ୟରେ ମହାପ୍ରଭୁଙ୍କ ଜଗମୋହନ ମରାମତି କାର୍ଯ୍ୟ ଶେଷ କରିଛି। ଏହା ପରେ ନାଟମଣ୍ଡପ ମରାମତି ହେବା କଥା। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ଯୁକ୍ତି ରଖୁଛି ଯେ ଜଗମୋହନରେ ସାଧାରଣ ଲୋକଙ୍କୁ ପ୍ରବେଶ ଅନୁମତି ଦେବା ପୂର୍ବରୁ ଏହା ସହିତ ସଂଲଗ୍ନ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ହେବା ଦରକାର। ଏଏସ୍‌ଆଇ କର୍ତ୍ତୃପକ୍ଷ ଯଦି ଏହା ଠିକ୍‌ ଥିବା କୁହନ୍ତି, ତେବେ ଜଗମୋହନ ଖୋଲାଯିବ ଓ ନାଟମଣ୍ଡପ କାମ ଆରମ୍ଭ ହେବ। ଯଦି ରତ୍ନଭଣ୍ଡାର ସ୍ଥିତି ଖରାପ ଥାଏ, ତେବେ ଏହାର ମରାମତି ସରିବା ପରେ ନାଟମଣ୍ଡପ କାମ ଆଗେଇବ।

ରତ୍ନଭଣ୍ଡାର ସ୍ଥିତି ଯେ ଖରାପ ଅଛି, ଏ ନେଇ ଠୋସ୍‌ ତଥ୍ୟ କାହା ପାଖରେ ନାହିଁ। ଯେହେତୁ ଏହା ବର୍ଷ ବର୍ଷ ଧରି ବନ୍ଦ ରହିଛି ଏଣୁ ପ୍ରଶାସନ ଆଶଙ୍କା କରୁଛି, ଯେ ଏହା ପ୍ରଭାବିତ ହୋଇଥାଇପାରେ। ଏଣୁ ଜଗମୋହନରେ ପ୍ରବେଶ ଅନୁମତି ଦେବା ପୂର୍ବରୁ ଏହାକୁ ଥରେ ଯାଞ୍ଚ କରିବା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ହାଇକୋର୍ଟଙ୍କୁ ଜଣାଇଛନ୍ତି।

କେବଳ ସେତିକି ନୁହେଁ, ନୂଆ ପରିଚାଳନା କମିଟି ବୈଠକରେ ମଧ୍ୟ ଏହାକୁ ନେଇ ଆଲୋଚନା ହୋଇଛି। ଶ୍ରୀମନ୍ଦିର ପ୍ରଶାସକଙ୍କ ସତ୍ୟପାଠ ଆଧାରରେ ହାଇକୋର୍ଟ ଏହାର ଯାଞ୍ଚ ପାଇଁ ଏଏସ୍‌ଆଇକୁ ଅନୁମତି ଦେଇଛନ୍ତି ଓ ଆମିକସ୍‌କ୍ୟୁରି ଏନ୍‌ କେ ମହାନ୍ତିଙ୍କୁ ବି ସେଠାରେ ଉପସ୍ଥିତ ରହିବା ଲାଗି କହିଛନ୍ତି। ରତ୍ନଭଣ୍ଡାର ସ୍ଥିତି କେମିତି ଅଛି, ତାହା ପରବର୍ତ୍ତୀ ତାରିଖରେ ଜଣାଇବା ଲାଗି କୋର୍ଟ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।

ଗୋଟିଏ ପଟେ କୋର୍ଟ ନିର୍ଦିଷ୍ଟ ତାରିଖ ନିର୍ଧାରଣ କରିସାରିଛନ୍ତି। ଏପଟେ ଶ୍ରୀମନ୍ଦିର ପ୍ରଶାସନ ସାଧାରଣ ଲୋକଙ୍କ ଭାବନା ସହିତ ଖେଳ ଖେଳି ଅତ୍ୟନ୍ତ ଗୋପନୀୟ ଢଙ୍ଗରେ କାମ କରିବାକୁ ଆଗ୍ରହ ରଖୁଛି। ଅନ୍ୟଥା ସେବାୟତ ବା ବିଭିନ୍ନ ସଂଗଠନ ପ୍ରତିବାଦ କରୁଥିବା ବେଳେ ଅଧିକାରୀମାନେ ଚୁପ୍‌ କାହିଁକି?

ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଦୁଇଟି ଭାଗରେ ବିଭକ୍ତ। ଗୋଟିଏ ଭିତର ଭଣ୍ଡାର ଓ ଅନ୍ୟଟି ବାହାର ଭଣ୍ଡାର। ବାହାର ଭଣ୍ଡାରରେ ମହାପ୍ରଭୁଙ୍କ ଯାନିଯାତ୍ରା ଓ ନୀତିଦିନ ବ୍ୟବହାର ହେଉଥିବା ସୁନାଳଙ୍କାର ରହିଥାଏ। ମାତ୍ର ଭିତର ଭଣ୍ଡାରକୁ ନେଇ ଅନେକ ରହସ୍ୟ ଆଲୋଚନା ହୁଏ।

ଶ୍ରୀମନ୍ଦିର ପ୍ରଶାସନର ଜଣେ ପୂର୍ବତନ ଅଧିକାରୀଙ୍କ କହିବା କଥା, ୧୯୫୨ରେ ଭିତର ଭଣ୍ଡାରର ସୁନାଳଙ୍କାରର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ସୂତ୍ରରୁ ଆହୁରି ସୂଚନା ମିଳିଛି ଯେ ୧୯୭୮ରେ ମଧ୍ୟ ଏଭଳି ତାଲିକା ପ୍ରସ୍ତୁତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କୋର୍ଟଙ୍କୁ ଜଣାଇଛନ୍ତି ଯେ ୧୯୮୪ରେ ରତ୍ନଭଣ୍ଡାରର ଯାଞ୍ଚ ହୋଇଥିଲା। ଅର୍ଥାତ୍‌ ଏବେ ପାଖାପାଖି ୩୪ ବର୍ଷ ପରେ ଶ୍ରୀମନ୍ଦିରର ଭିତର ଭଣ୍ଡାର ଚାବି ଖୋଲିବ।

କୌତୂହଳର କଥା ହେଉଛି, ଦୁଇ ଦୁଇ ଥର ସୁନାଅଳଙ୍କାର ଗଣତି ହୋଇଥିଲେ ହେଁ, ଏହି ତାଲିକା ଏଯାଏ ସାର୍ବଜନୀନ ହୋଇନାହିଁ। ଶ୍ରୀମନ୍ଦିର ପ୍ରଶାସନ କେବେ କେଉଁଠାରେ ଏ ସଂକ୍ରାନ୍ତ ତଥ୍ୟ ଦେଇନାହିଁ। କେବଳ ସେତିକି ନୁହେଁ, ଏହି ସୁନାଅଳଙ୍କାର ତାଲିକାଭୁକ୍ତ କରାଯିବା ବେଳେ ସମୁଦାୟ ଭଣ୍ଡାର ଘରେ ଥିବା ସଂପତ୍ତିକୁ ହିସାବ କରାଯାଇଛି କିମ୍ବା ଏହା ତାହାର କିଛି ଅଂଶ, ତାହା ମଧ୍ୟ ପ୍ରଶାସନ ପ୍ରଶ୍ନ ସ୍ପଷ୍ଟ କରୁନାହିଁ।

ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁସାରେ, ଭିତର ଭଣ୍ଡାର ଘର ଖୋଲିବା ଲାଗି ରାଜ୍ୟ ସରକାରଙ୍କର ଅନୁମତି ଦରକାର। ଛତିଶାନିଯୋଗର ସମ୍ମତି ନିଆଯାଇପାରେ। ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏହା ଖୋଲିବା ଉଚିତ। କିନ୍ତୁ ଏଯାଏ ନା ସରକାର ଅନୁମତି ଦେଇଛନ୍ତି ନା ପ୍ରଶାସନ ସାଧାରଣ ଲୋକଙ୍କ ଭାବାବେଗକୁ ଧରିବା ଲାଗି କିଛି ବି ପଦକ୍ଷେପ ନେଇଛି। ଏପରିସ୍ଥଳେ ଆସନ୍ତା ୨୬ କିମ୍ବା ୨୭ରେ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାରକୁ ନେଇ ସାଧାରଣରେ ସୃଷ୍ଟି ହୋଇଥିବା ସନ୍ଦେହ ବଢିବନି?

ଜଣେ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଯାଞ୍ଚ କରିବ ନାହିଁ। କେବଳ ରତ୍ନଭଣ୍ଡାରର ସ୍ଥିତି ପରଖାଯିବ। ଏଣୁ କୌଣସି ଆଶଙ୍କା ହେବା କଥା ନୁହେଁ। ଏମିତିରେ ବି ଯଦି ଯାଞ୍ଚ ନ ହୁଏ, ତେବେ ଭବିଷ୍ୟତରେ ବିପଦ ଦେଖାଦେଇପାରେ। ଏକ ବିପଦ ପୂର୍ଣ୍ଣ କୋଠରୀରେ ମହାପ୍ରଭୁଙ୍କ ସଂପତ୍ତି କଣ ସୁରକ୍ଷିତ ରହିବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe