ସ୍ବର୍ଗଦ୍ବାରର ଉନ୍ନତୀକରଣ ପାଇଁ ଭୂମିପୂଜା

ଚୂଡ଼ାନ୍ତ ନକ୍ସା ଦେଲା ହାଇଦ୍ରାବାଦ ସ୍ଥପତି ସଂସ୍ଥା, ୬ ମାସରେ ଦୁଇ ପର୍ଯ୍ୟାୟରେ ସରିବ ନିର୍ମାଣ କାର୍ଯ୍ୟ

ସ୍ବର୍ଗଦ୍ବାରର ଉନ୍ନତୀକରଣ ପାଇଁ ଭୂମିପୂଜା

ପୁରୀ : ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଆବଶ୍ୟକ ପରିବର୍ତ୍ତନ ପରେ ସ୍ବର୍ଗଦ୍ବାରର ଉନ୍ନତୀକରଣ ପାଇଁ ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ ହୋଇଛି। ହାଇଦ୍ରବାଦର ସ୍ଥପତି ସଂସ୍ଥା ଫିନିକ୍ସ ଫାଉଣ୍ଡେସନ୍‌ ଆଜି ଏହି ନକ୍ସା ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି। ଏହି କ୍ରମରେ ଆଜି ସ୍ବର୍ଗଦ୍ବାର ଉନ୍ନତିକରଣ ଭୂମିପୂଜନ କାର୍ଯ୍ୟ ଶେଷ ହୋଇଛି। ପ୍ରଶାସନିକ ଅଧିକାରୀ ଓ ସ୍ଥପତି ସଂସ୍ଥାର ଅଧିକାରୀଙ୍କ ଉପସ୍ଥିତିରେ ମାପଚୁପ କାର୍ଯ୍ୟ ବି ଶେଷ ହୋଇଛି। ୬ ମାସ ଭିତରେ ଦୁଇଟି ପର୍ଯ୍ୟାୟରେ ଉନ୍ନତୀକରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବଡ଼ଦାଣ୍ଡ ଉଚ୍ଚରେ ସ୍ବର୍ଗଦ୍ବାର ଜାଗା ସମତୁଲ ହେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ପୂର୍ବାହ୍ଣରେ ଜିଲ୍ଲାପାଳ ବଲୱନ୍ତ ସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ସ୍ଥପତି ସଂସ୍ଥା ଓ ଓବିସିସି(ଓଡ଼ିଶା ବ୍ରିଜ୍‌ ଆଣ୍ଡ୍ କନଷ୍ଟ୍ରକସନ୍‌ କର୍ପୋରେସନ୍‌) ସହ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ଥପତି ସଂସ୍ଥା ଫିନିକ୍ସର ମୁଖ୍ୟ ସି. ସୁରେଶଙ୍କ ସହ ଅନ୍ୟମାନେ ଏହି ବୈଠକରେ ଯୋଗ ଦେଇଥିଲେ। ବିସ୍ତୃତ ଆଲୋଚନା ପରେ ସ୍ଥପତି ସଂସ୍ଥା ସ୍ବର୍ଗଦ୍ବାର ଉନ୍ନତିକରଣର ଚୂଡ଼ାନ୍ତ ନକ୍ସା ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲା। ପରେ ଜିଲ୍ଲାପାଳଙ୍କ ସହ ସ୍ଥପତି ସଂସ୍ଥା ଓ ଓବିସିସି ଅଧିକାରୀଙ୍କ ଏକ ମିଳିତ ଦଳ ସ୍ବର୍ଗଦ୍ବାର ଯାଇ ଜାଗା ମାପଚୁପ କରିଥିଲେ।

ପରେ ସ୍ବର୍ଗଦ୍ବାର ପରିସରରେ ଅନୁଷ୍ଠିତ ଭୂମିପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୂଜାର୍ଚ୍ଚନା ପରେ ନଡ଼ିଆ ବାଡ଼େଇ ଏହି ଉନ୍ନୟନ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe