ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି : ଡ୍ରୋନ୍‌ କ୍ୟାମେରାରେ ଯାଞ୍ଚ ହେବ ନୀଳଚକ୍ର

Advertisment

ଏଏସ୍ଆଇ ଉପରେ ଅସନ୍ତୋଷ ଝାଡିଲେ ଗଜପତି, ଲୁହାଭାରା କାଢ଼ି ନଥିବାରୁ କ୍ଷମା ମାଗିଲା ଏଏସ୍‌ଆଇ, ସ୍ଥାନାନ୍ତର ହେବ ସିଂହଦ୍ବାର ପାଦଧୁଆ ବ୍ୟବସ୍ଥା, ବରାଦି ଅବଢ଼ା ଉପରେ ରହିବ କଟକଣା

ଏଏସ୍ଆଇ ଉପରେ ଅସନ୍ତୋଷ ଝାଡିଲେ ଗଜପତି, ଲୁହାଭାରା କାଢ଼ି ନଥିବାରୁ କ୍ଷମା ମାଗିଲା ଏଏସ୍‌ଆଇ, ସ୍ଥାନାନ୍ତର ହେବ ସିଂହଦ୍ବାର ପାଦଧୁଆ ବ୍ୟବସ୍ଥା, ବରାଦି ଅବଢ଼ା ଉପରେ ରହିବ କଟକଣା

ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି : ଡ୍ରୋନ୍‌ କ୍ୟାମେରାରେ ଯାଞ୍ଚ ହେବ ନୀଳଚକ୍ର

Holiday Resort, Puri

ପୁରୀ : ନୀଳଚକ୍ର ବଙ୍କା ହୋଇଛି କି ନାହିଁ ତାର ଯାଞ୍ଚ ହେବ। କମ୍‌ ସମୟରେ ଲୁହାଭାରା ଲଗାଯିବା ସମ୍ଭବ ନୁହେଁ, ତେଣୁ ଡ୍ରୋନ୍‌ କ୍ୟାମେରାରେ ଅନୁଧ୍ୟାନ କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ଏଏସ୍‌ଆଇର ଏହି ପ୍ରସ୍ତାବରେ ହଁ ଭରିଛି। ତେବେ ଏଥି ପାଇଁ କିଛିଟା ସର୍ତ୍ତ ରଖିଛି। ଆଜି ପରିଚାଳନା କମିଟି ବୈଠକରେ ଏଥିସହିତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ମୋହର ବାଜିଛି।

ମେ ୩ ତାରିଖ ‘ଫନି’ ମାଡ଼ରେ ନୀଳଚକ୍ର ବଙ୍କା ହୋଇଥିବା ଚୁନରା ସେବକମାନେ କହୁଛନ୍ତି। ଆଜି ଏଏସ୍‌ଆଇ ପକ୍ଷରୁ ଏହାର ଯାଞ୍ଚ ପ୍ରସ୍ତାବ ପରିଚାଳନା କମିଟି ଆଗରେ ରଖାଯାଇଥିଲା। ଏତେ କମ୍‌ ସମୟ ମଧ୍ୟରେ ଲୁହାଭାରା ନୀଳଚକ୍ର ପର୍ଯ୍ୟନ୍ତ ବାନ୍ଧିବା ସମ୍ଭବ ନୁହେଁ। ତେଣୁ ଡ୍ରୋନ୍‌ କ୍ୟାମେରାରେ ସବୁ ଦିଗରୁ ପରଖାଯିବ। ତେବେ ଏହି ଡ୍ରୋନ୍‌ ଉଡ଼ାଇବା କାର୍ଯ୍ୟକୁ ଏକ କମିଟି ପରିଚାଳନା କରିବ। ଡ୍ରୋନ୍‌ ଚିତ୍ରର ସମସ୍ତ ସ୍ବତ୍ବାଧିକାର ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିବ ବୋଲି ପରିଚାଳନା କମିଟି ନିଷ୍ପତ୍ତି ନେଇଛି। ଏଥିରେ ସହମତ ହୋଇ ଏ ଦିଗରେ ପଦକ୍ଷେପ ନେବାକୁ ରାଜି ହୋଇଛି ଏଏସ୍‌ଆଇ।

ବୈଠକରେ ଅଧ୍ୟକ୍ଷତା କରୁଥିବା ଗଜପତି ମହାରାଜ ଦିବ୍ୟସିଂହ ଦେବ ଆରମ୍ଭରୁ ଏଏସ୍‌ଆଇ ଉପରେ ଅସନ୍ତୋଷ ଝାଡିଥିଲେ। ଶ୍ରୀମନ୍ଦିର ପ୍ରଶାସନ ଆଗୁଆ ଖବର ପାଇ ବାନା ଛୋଟ କରିପାରିଲା। ଅଥଚ ୧୨ ଦିନ ପୂର୍ବରୁ ବାତ୍ୟା ଖବର ପାଇ ମଧ୍ୟ ଏଏସ୍‌ଆଇ କାହିଁକି ଲୁହାଭାରା ଖୋଲି ପାରିଲାନି? ଯାହାଦ୍ବାରା ଏତେ ବଡ଼ ସମସ୍ୟା ହେଲା। ମନ୍ଦିରର କାରୁକାର୍ଯ୍ୟ ନଷ୍ଟ ହେବା ସହ ଭିତରେ ପାଣି ପଶିଲା। ଏପରି ଦାୟିତ୍ବହୀନତା ପାଇଁ ଏଏସ୍‌ଆଇକୁ କଡ଼ା ତାଗିଦ୍‌ କରିଥିଲେ ଗଜପତି। ଏଥିରେ ଏଏସ୍‌ଆଇର ଅଧିକ୍ଷକ ଅରୁଣ ମଲ୍ଲିକ କ୍ଷମା ମାଗିଥିଲେ। ଆଗକୁ ଏ ଦିଗରେ ଧ୍ୟାନ ଦିଆଯିବ ବୋଲି କହିଥିଲେ। କ୍ଷତିଗ୍ରସ୍ତ ହୋଇଥିବା ସୂର୍ଯ୍ୟମନ୍ଦିର ମରାମତି ସରିବା ଉପରେ। ଖୁବ୍‌ଶୀଘ୍ର ଏହାକୁ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଥିଲେ ଶ୍ରୀ ମଲ୍ଲିକ। ସିଂହଦ୍ବାରରେ ଭାଙ୍ଗିଥିବା ଜୟ ମୂର୍ତ୍ତି ସହ ବିଜୟ ମୂର୍ତ୍ତି ବଦଳାଯିବ ବୋଲି ଏଏସ୍‌ଆଇର ପ୍ରସ୍ତାବକୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଛି। ସେଠାରେ ଦୁଇଟି ପଥର ମୂର୍ତ୍ତି ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।

ସମସ୍ତ ଅବ୍ୟବସ୍ଥା ସତ୍ତ୍ବେ ବାତ୍ୟା ଦିନ ନୀତି କରିଥିବା ସେବକମାନଙ୍କୁ ଦୁଇ ମାସର ଦୁଇ ଗୁଣା ପାଳିଆ ପୁରସ୍କାର ଦେବା ପାଇଁ ରାଜ୍ୟ ସରକାରଙ୍କୁ ଲେଖାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ବାତ୍ୟାରେ କ୍ଷତିଗ୍ରସ୍ତ କୁମ୍ଭକାରମାନଙ୍କର ଦାବି ଉପରେ ମଧ୍ୟ ପରିଚାଳନା କମିଟି ଆଲୋଚନା କରିଥି‌ଲେ। ୨ ଦିନ ମଧ୍ୟରେ ସେମାନଙ୍କ କ୍ଷୟକ୍ଷତି ଆକଳନ କରାଯିବ ଏବଂ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରାଥମିକ ସହାୟତା ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଥିଲେ। ସେ କହିଲେ, କୁମ୍ଭକାରମାନଙ୍କର ବ୍ୟାପକ କ୍ଷତି ହୋଇଛି। ତଥାପି କୋଠ ଭୋଗ ପାଇଁ କୁଡ଼ୁଆ ଅଭାବ ହେବନାହିଁ। ବରାଦି ଭୋଗ ପାଇଁ ସେମାନେ ଯଥାସମ୍ଭବ ଯୋଗାଇବେ। ତେବେ ସୁଆରମାନେ ଏହି ସମୟରେ ବରାଦି ଭୋଗ କମ୍‌ କରନ୍ତୁ। କୁଡ଼ୁଆ ମିଳିବା ପରେ ଅଧିକ କଲେ କିଛି ଆପତ୍ତି ନାହିଁ। ଏହାବ୍ୟତୀତ କୁମ୍ଭକାରମାନଙ୍କୁ ଜିଲ୍ଲା ପ୍ରଶାସନ ମଧ୍ୟ ସହାୟତା କରିବ ବୋଲି ଜିଲ୍ଲାପାଳ ବଲବୀର ସିଂହ କହିଥିଲେ। ସିଂହଦ୍ବାରରେ ଥିବା ପାଦଧୁଆ ବ୍ୟବସ୍ଥା ଏବେ ସମସ୍ୟା ହେଉଛି। ଧାଡ଼ି ଦର୍ଶନ ବେଳେ ଭକ୍ତମାନେ ପାଦ ଧୋଇବାରେ ଅସୁବିଧା ଭୋଗୁଛନ୍ତି। ତେଣୁ ପାଦଧୁଆ ବ୍ୟବସ୍ଥାକୁ ବଡ଼ଛତା ମଠ ଆଡ଼କୁ ସ୍ଥାନାନ୍ତର କରାଯିବ। ଏହାକୁ ଅତ୍ୟାଧୁନିକ ଢ଼ଙ୍ଗରେ କରାଯିବ। ଶ୍ରୀ ମହାପାତ୍ର କହିଲେ, ‘ଫନି’ ଦ୍ବାରା ହୋଇଥିବା କ୍ଷୟକ୍ଷତି ଭରଣା ପାଇଁ ଆଜି ପରିଚାଳନା କମିଟି ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିସହ ଶ୍ରୀମନ୍ଦିର ଭିତରେ ଏଲ୍‌ଇଡି ଆଲୋକ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ନିକଟରେ ଏକ ଶୌଚାଳୟ ଓ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଶୌଚାଳୟ କମ୍ପ୍ଲେକ୍ସ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe